ଭୁବନେଶ୍ୱର,୦୬/୧୧: ମାସେ ହେଲାଣି  ପାଟିରେ ଆଇଁଷ ବାଜିନଥିଲା । କିଏ ୭ଦିନ ତ  ଆଉ କିଏ ପଞ୍ଚକ ୫ଦିନ ଧରି ଆଇଁଷ ଛାଡ଼ିଥିଲେ ।  ଅପେକ୍ଷା କରିଥିଲେ ଛାଡ଼ ଖାଇକୁ । ଗୁରୁବାର ଛାଡଖାଇ ପଡୁଥିବାରୁ ଏହା ପୁଣି ଦିନେ ଘୁଞ୍ଚିଛି ।  ଶୁକ୍ରବାର ପାଳିବେ ଛାଡଖାଇ । ହେଲେ ଏଥରକ  ଆମିଷ ବଜାର ଉପରେ ଚଡ଼କ ପଡିବ । ଗୋଟିଏ  ପଟେ ଆନ୍ଧ୍ରପ୍ରଦେଶରେ ବାତ୍ୟା ମୋନ୍‌ଥା ମାଛଦରକୁ ଦେଢ଼ଗୁଣ କରିଥିବା ବେଳେ ଖାସି, ଚିକେନ୍‌ ଦର  ବି ଉପରମୁହାଁ । ଯେମିତି ବି ହେଉ, ଆମିଷଖିଆଙ୍କ  ପକେଟ ଫାଙ୍କା କରିଦେବ ଛାଡଖାଇ । 

ବର୍ଷତମାମ ମାଛ ପାଇଁ ଆନ୍ଧ୍ରପ୍ରଦେଶ ହିଁ  ଓଡିଶାକୁ ସାହା ହୁଏ । ହେଲେ ଚଳିତବର୍ଷ ବାତ୍ୟା ମୋନ୍‌ଥା ପାଇଁ ଆନ୍ଧ୍ରପ୍ରଦେଶରେ ମାଛ  ଦର ବଢ଼ିଯାଇଛି । ଛାଡଖାଇକୁ ଦୃଷ୍ଟିରେ ରଖି  ଏଥରକ ୧୫ଟି ମାଛ ଟ୍ରକ ପାଇଁ ଆନ୍ଧ୍ରପ୍ରଦେଶକୁ  କୁହାଯାଇଥିବା ବେଳେ ରୋହି, ଭାକୁର, ମିରିକାଳି  ଭଳି ମାଛ କିଲୋପ୍ରତି ୨୦ରୁ ୩୦ଟଙ୍କା ବଢ଼ିପାରେ  ବୋଲି ବେପାରୀମାନେ କହିଛନ୍ତି । ପୂର୍ବରୁ ୧୫ ଟ୍ରକ  ମାଛରେ ଥିବା ୧୫୦ଟନ୍‌ ମାଛ କିଣିବାକୁ ୨ କୋଟି  ଟଙ୍କା ଖର୍ଚ୍ଚ ହେଉଥିଲା । ହେଲେ ଏବେ ସେତିକି ମାଛ  କିଣିବାକୁ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଆକଳନ କରାଯାଇଛି । ଏସବୁ ମଧ୍ୟରେ କିନ୍ତୁ  କୁକୁଡ଼ା, ଛେଳିଙ୍କ ଆୟୁଷ ଗୋଟିଏ ଦିନ ବଢ଼ିଛି । 

ରାଜଧାନୀର ସବୁଠୁ ବଡ ମାଛ ହାଟ  କୁହାଯାଉଥିବା ୟୁନିଟ-୪ ହାଟରେ ଆଜି  ବେପାରୀମାନେ ଚଳଚଞ୍ଚଳ ହୋଇପଡିଥିଲେ ।  ଏହି ହାଟରେ ଓଡିଶାରେ ଉପଲବ୍ଧ ସବୁ ପ୍ରକାରର  ମାଛ, କୁକୁଡା, ଛେଳି ଓ ଅଣ୍ଡା ମିଳିଥାଏ । ଏବର୍ଷ  ଅଧିକ ଚାହିଦାରେ ଅଛି ବିହାର ଓ କୋଲକାତାରୁ  ଆସୁଥିବା ଖାସି । ଯାହର ଦର ରହିଛି ୮୦୦ରୁ  ୯୦୦ । ଏହାରି ମଧ୍ୟରେ ମାଛକୁ ନେଇ ପ୍ରଶ୍ନସୃଷ୍ଟି  ହୋଇଛି । ଅନ୍ୟଦିନ ମାନଙ୍କରେ ପାଖାପାଖି ୧୦ଟି  ମାଛ ଟ୍ରକ ଆନ୍ଧ୍ରରୁ ଆସୁଥିଲା । ରଜ, ଛାଡଖାଇ  ବେଳେ ଆଉ ଅଧିକ ୫ଗାଡି ଆସିଥାଏ । ହାଟରେ  ରୋହି କିଲୋପ୍ରତି ୧୨୦ରୁ ୧୪୦ ଓ ଭାକୁର ୧୫୦ରୁ  ୧୭୦ଟଙ୍କାରେ ବିକ୍ରି ହୁଏ । ଯଦି ଆନ୍ଧ୍ରପ୍ରଦେଶରେ  ଦର ବଢ଼ୁଛି ତେବେ ଭୁବନେଶ୍ୱର ମାର୍କେଟରେ  ଗ୍ରାହକଙ୍କୁ ଅଧିକ ୨୦ ଟଙ୍କା ଦେବାକୁ ପଡିବ । ବାସ୍ତବ  ଦର ନିର୍ଦ୍ଧାରଣ ପାଇଁ ଗୁରୁବାର ସଂଧ୍ୟାରେ ଆଲୋଚନା  କରାଯିବ ବୋଲି ବ୍ୟବସାୟୀମାନେ କହିଛନ୍ତି । 

ଜସିପୁର, ବାରିପୁର, ବାରିପଦାହରିପୁର ଓ ଦଶପଲ୍ଲାରୁ ମଟନ୍‌, ପାରାଦୀପ, ଭଦ୍ରକବ୍ରହ୍ମପୁର, ଭୁଷଣ୍ଡପୁରରୁ ଇଲିସି ସହ ଦେଶୀମାଛପିପିଲି, କଣାସ, ଆଠଗଡ, ନିଆଳିରୁ ଦେଶୀ ଓ  ବ୍ରଏଲର କୁକୁଡା ଆସିବ ବୋଲି ନିଖିଳ ଉତ୍କଳ  ଆମିଷ ବ୍ୟବସାୟୀ ମହାସଂଘର ସଭାପତି ଶେଖ୍‌  ମୁନ୍ତାକିମ୍‌ ବକ୍ସ କହିଛନ୍ତି । ନିକଟରେ ବିଏମ୍‌ସି  ପକ୍ଷରୁ ୟୁନିଟ-୪ ମାଛ ମାର୍କେଟ ରୋଡ୍‌ର ଉଭୟ  ପାଖରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା ।  ଏପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ଅଳିଆ ଡ୍ରେନ  ପାଶ୍ୱର୍ରେ ପଡିରହିଛି । ଛାଡଖାଇ ବେଳେ ହଜାର  ଗ୍ରାହକ ଆମିଷ କିଣିବାକୁ ୟୁନିଟ-୪ ମାଛ ମାର୍କେଟକୁ  ଆସିବେ । ଯଦି ତା ଆଗରୁ ଏସବୁ ଅଳିଆ ନ ଉଠିବ  ତାହା ହେଲେ ଛାଡଖାଇ କରାବାରରେ ବିଭିନ୍ନ  ସମସ୍ୟା ସୃଷ୍ଟି ହେବ । ମାଛ ମାର୍କେଟ ରୋଡ ଜାମ୍‌  ଓ ଟ୍ରାଫିକ ନିୟନ୍ତ୍ରଣ ଅଣାୟତ୍ତ ହେବ ବାଲି ଆମିଷ  ବ୍ୟବସାୟମାନେ କହିଛନ୍ତି । ବିଏମସି ଏଥିପ୍ରତି  ଧ୍ୟାନ ହେବାକୁ ଦାବି ହୋଇଛି ।