ପୁରୀ,୨୪/୦୨: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦୋଳପୂର୍ଣ୍ଣିମା ଓ ହୋଲିରେ ମହାପ୍ରଭୁଙ୍କ ବିଶେଷ ନୀତି ନିମନ୍ତେ ଛତିଶା ନିଯୋଗ ବୈଠକ ବସିବ । ଦୋଳପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ନୀତିକୁ ଶୃଙ୍ଖଳିତ ଭାବେ ନିର୍ଦ୍ଧାରିତ ସମୟରେ ପାଳନ କରିବାକୁ ବୈଠକରେ ଆଲୋଚନା ହେବ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ନୀତିକାନ୍ତି ସମୟ ନିର୍ଘଣ୍ଟ ପ୍ରସ୍ତୁତ ହେବ ।
ସୂଚନା ମୁତାବକ, ଦୋଳ ପୂର୍ଣ୍ଣମୀରେ ଲାଗୁଛି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ । ପୁରୀକୁ ଏହା ଦିନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ସ୍ପର୍ଶ କରିବ । ଗ୍ରାସ ଥାଇ ଚନ୍ଦ୍ର ଉଦୟ ହେବେ । ସନ୍ଧ୍ୟା ୬ଟା ୪୭ ମିନିଟ୍ ୧୩ ସେକେଣ୍ଡରେ ସର୍ବମୋକ୍ଷ ରହିଛି । ତେଣୁ ଉକ୍ତ ଦିନ ସୂର୍ଯ୍ୟ ଉଦୟ ପରଠାରୁ ଦେବନୀତି ନିଷେଧ ରହିବ । ତେଣୁ ଦେବନୀତି ସୂର୍ଯ୍ୟ ଉଦୟ ପୂର୍ବରୁ ଅର୍ଥାତ୍ ପ୍ରତ୍ୟୁଷରେ ସାରିବାକୁ ପଡ଼ିବ ।
ଏହି ଦିନ ମହାପ୍ରଭୁଙ୍କ ରାଜାଧିରାଜ ବେଶ, ନାଭିକଟା ମଣ୍ଡପକୁ ଦିଅଁ ବିଜେ ସହ ଦୋଳବେଦିକୁ ବିଜେ କରିବା ବିଧି ରହିଛି । ତେଣୁ କୂଆ କା’ କହିବା ପୂର୍ବରୁ ଶ୍ରୀମନ୍ଦିର ଫିଟାଯାଇ ଆନୁସଙ୍ଗିକ ନୀତି ସାରିବା ପ୍ରଶାସନ ଓ ସେବକଙ୍କ ନିମନ୍ତେ ଆହ୍ୱାନ ରହିବ । ଛତିଶା ନିଯୋଗ ବୈଠକ ଓ ନୀତି ସବ୍କମିଟି ବୈଠକରେ ଏହି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି ।
ଆହୁରି ପଢ଼ନ୍ତୁ :- ଭୁବନେଶ୍ବର ନୂଆଗାଁ ନିକଟ ସୁପରମାର୍ଟରେ ଅଗ୍ନିକାଣ୍ଡ