ରାୟପୁର,୪।୧୧: ଛତିଶଗଡ଼ର ବିଳାସପୁରରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ଖୋଜା ଯାଉଛି ବିଭିନ୍ନ କାରଣ। MEMU ଲୋକାଲ୍ ଟ୍ରେନ୍ କାହିଁକି ସିଗନାଲ ଭାଙ୍ଗିଲା ତା ଉପରେ ରହିଛି ତଦନ୍ତ ପକ୍ରିୟା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଟ୍ରେନ୍ ଟି ନିର୍ଦ୍ଧାରିତ ସିଗନାଲକୁ ଅତିକ୍ରମ କରି ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇଥିଲା। ଏହା ଦୁର୍ଘଟଣାର ପ୍ରାଥମିକ କାରଣ ବୋଲି କୁହାଯାଉଛି।
ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ (SECR) ର ସୂତ୍ର ଅନୁଯାୟୀ, ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡୁଛି MEMU ଟ୍ରେନ୍ ସିଗନାଲକୁ ଅତିକ୍ରମ କରିଛି। ରେଲଓ୍ବେ ଅପରେସନ୍ ବିଭାଗ ଅନୁଯାୟୀ, ଯେତେବେଳେ ଟ୍ରେନ୍ ଟି ବିଳାସପୁର ଷ୍ଟେସନ ନିକଟରେ ପହଞ୍ଚିଲା, ସେତେବେଳେ ଏକ ମାଲବାହୀ ଟ୍ରେନ୍ ପୂର୍ବରୁ ବିପରୀତ ଲାଇନରେ ଠିଆ ହୋଇଥିଲା। MEMU ଟ୍ରେନ୍ ଡ୍ରାଇଭର ସମ୍ଭବତଃ ସିଗନାଲରେ ଅଟକି ପାରି ନଥିଲେ ଏବଂ ଟ୍ରେନ୍ ଟି ସିଧାସଳଖ ମାଲବାହୀ ଟ୍ରେନ୍ ସହିତ ଧକ୍କା ଦେଇ ଉପରେ ଚଢି ଯାଇଥିଲା।
ତଦନ୍ତକାରୀ ଦଳ ଏବେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ଓଭରସୁଟ୍ ହେବା ପଛରେ ଯାନ୍ତ୍ରିକ ତ୍ରୁଟି ନା ମାନବ ତ୍ରୁଟି ଥିଲା ? ରେଳ ଅଧିକାରୀମାନେ କହିଛନ୍ତି ଯେ MEMU ଟ୍ରେନଗୁଡ଼ିକରେ ଆଧୁନିକ ସିଗନାଲିଂ ଏବଂ ବ୍ରେକିଂ ସିଷ୍ଟମ ଅଛି, ଯାହା ଏପରି ତ୍ରୁଟିକୁ ବହୁତ କମ କରିଥାଏ। ତଥାପି, ଦୁର୍ଘଟଣା ସମୟରେ ଟ୍ରେନର ଗତି ଏବଂ ବ୍ରେକିଂ ସିଷ୍ଟମ ଠିକ୍ ଭାବରେ କାର୍ଯ୍ୟ କରୁଥିଲା କି ନାହିଁ ତାହାର ତଦନ୍ତ କରାଯାଉଛି। ଜଣେ ଅଧିକାରୀ କହିଛନ୍ତି, ‘ଏହା ଲୋକୋ ପାଇଲଟଙ୍କ ତ୍ରୁଟି କିମ୍ବା ସିଷ୍ଟମ ବିଫଳତା ଏବେ କହିବା ଠିକ୍ ହେବନି। ଦୁର୍ଘଟଣାର ବିଶ୍ଳେଷଣ କରାଯାଉଛି।’