ରାୟପୁର, ୧୮/୦୭: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପୁଅ ଗିରଫ । ଚୈତନ୍ୟ ବଘେଲଙ୍କୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭିଲାଇ ସ୍ଥିତ ବାସଭବନରୁ ଗିରଫ କରିଛି । ଅବକାରୀ ଘୋଟାଲା ସହିତ ଜଡ଼ିତ ଅର୍ଥ ହେରଫେର୍ ମାମଲାରେ ତାଙ୍କୁ ବନ୍ଧିଛି ଇଡ଼ି । ଆଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍ ମାରିଥିଲା । ୩୨ଶହ କୋଟି ମଦ ଦୁର୍ନୀତି ମାମଲାରେ ପୁଅ ଚୈତନ୍ୟ ବଘେଲଙ୍କୁ ପଚରାଉଚରା କରୁଥିଲା । ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଗିରଫ କରିଛି ଇଡି ।
ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍ ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଭିଲାଇ ସ୍ଥିତି ବାସନ ଭବନରେ ଇଡି ରେଡ୍ କରିଥିଲା । । ଏହାପୂର୍ବରୁ ଅନେକ ଥର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଛାପା ମାରିଛି । ଚଳିତବର୍ଷ ମାର୍ଚ୍ଚ ମାସରେ ଇଡି ଦୁର୍ଗ ଜିଲ୍ଲାରେ ଥିବା ଭୂପେଶ ବଘେଲଙ୍କ ପୁଅ ଓ ତାଙ୍କ ସହଯୋଗୀଙ୍କ ଘର ସମେତ ୧୪ ଠିକଣାରେ ରେଡ୍ କରିଥିଲା । ଏଥିରେ ନଗଦ ଟଙ୍କା ଜବତ ହୋଇଥିଲା ।
କ'ଣ ମଦ ଦୁର୍ନୀତି ମାମଲା ?
ଛତିଶଗଡରେ ମଦ ଦୁର୍ନୀତିର ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରୁ ଜଣାପଡିଛି ଯେ, ରାଜ୍ୟରେ ଏକ ସଂଗଠିତ ମଦ ସିଣ୍ଡିକେଟ୍ କାର୍ଯ୍ୟ କରୁଥିଲା, ଯେଉଁଥିରେ ଅନୱର ଧେବର, ଅନିଲ ଟୁଟେଜା ଏବଂ ଅନେକ ଲୋକ ସାମିଲ ଥିଲେ। ଏହି ଦୁର୍ନୀତିରେ ପ୍ରାୟ ୨୧୬୧ କୋଟି ଟଙ୍କାର ବେଆଇନ ରୋଜଗାର ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଅର୍ଥାତ୍ ଚତୁର୍ଥ ସପ୍ଲିମେଣ୍ଟାରୀ ଚାର୍ଚ୍ଚସିଟ୍ ଦାଖଲ ବେଳେ ଏହା ୩୨ଶହ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ତତ୍କାଳୀନ ଅବକାରୀ ମନ୍ତ୍ରୀ ଥିବା କାୱାସି ଲଖମାଙ୍କୁ ଏହି ଦୁର୍ନୀତିରୁ ପ୍ରତି ମାସରେ ବିପୁଳ ପରିମାଣର ନଗଦ ରାଶି ଦିଆଯାଉଥିଲା । ୨୦୧୯ରୁ ୨୦୨୨ ମଧ୍ୟରେ ଏହି ଦୁର୍ନୀତି ହୋଇଛି। ଏଥିରେ ବିଭିନ୍ନ ଉପାୟରେ ବେଆଇନ ରୋଜଗାର କରାଯାଇଥିଲା ।
ମଦ କ୍ରୟ ଉପରେ କମ୍ପାନୀ ଠାରୁ କମିଶନ ଭାବରେ ଲାଞ୍ଚ ନିଆଯାଇଥିଲା । ଏହି ମଦ ଛତିଶଗଡ ରାଜ୍ୟ ମାର୍କେଟିଂ କର୍ପୋରେସନ ଦ୍ୱାରା କିଣାଯାଇଥିଲା । କୌଣସି ରେକର୍ଡ ବିନା ଦୋକାନରୁ ମଦ ବିକ୍ରି କରାଯାଉଥିଲା । ଏହି ବିକ୍ରିରୁ ସରକାରଙ୍କୁ ଗୋଟିଏ ଟଙ୍କା ମଧ୍ୟ ମିଳିନଥିଲା ସମସ୍ତ ଟଙ୍କା ସିଣ୍ଡିକେଟ୍ ପକେଟକୁ ଯାଇଥିଲା । ଡିଷ୍ଟିଲରମାନଙ୍କଠାରୁ ଲାଞ୍ଚ ନିଆଯାଇଥିଲା । ଏହି ମାମଲାରେ ପ୍ରାୟ ୨୦୫ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି ।