ମାଲକାନଗିରି, ୨୯/୧୧ : ମାଲକାନଗିରି ଜିଲ୍ଲା ପୋଲିସକୁ ସଫଳତା । ଦୁଇ ଲକ୍ଷ ପୁରସ୍କାର ଘୋଷିତ ଛତିଶଗଡି କ୍ୟାଡ଼ର ମହିଳା ମାଓବାଦୀ ଆନ୍ତି ମାଡବି(୨୯) ଓରଫ ଲାକେକୁ ଗିରଫ କରିଛି ମାଲକାନଗିରି ଜିଲ୍ଲା ପୋଲିସ। ମାଲକାନଗିରି ଜିଲ୍ଲା ଏମଭି ୭୯ଥାନାସ୍ଥ କୁର୍ତ୍ତୀ ଜଂଗଲରୁ ଆଜି ଗିରଫ ହୋଇଛନ୍ତି ମାଓନେତ୍ରୀ ଲାକେ । ସେ ଦୀର୍ଘ ବର୍ଷ ଧରି ଆଗ ଧାଡ଼ିର ବରିଷ୍ଠ ମାଓ ନେତା ଉଦୟଙ୍କ ପ୍ରୋଟେକ୍ସନ ଟିମ୍ ସଦସ୍ୟା କାମ କରୁଥିଲେ । ମାଓନେତ୍ରୀ ଲାକେଙ୍କ ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଥିଲା। ଲାକେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ତିନି ରାଜ୍ୟରେ ଅନେକ ମାଓ ହିଂସାରେ ଜଡିତ ଥିବା ସହିତ ୧୧ଟି ଏନକାଉଣ୍ଟର ଘଟଣାରେ ସାମିଲ ଥିଲେ। ବିଶେଷ କରି ଓଡ଼ିଶାର ମାଲକାନଗିରି ଜିଲ୍ଲା ମାଥିଲି ଥାନା ସ୍ଥ ମାଓଗଡ଼ ତୁଳସି ଓ ଦୁଲଦୁଲି ପାହାଡ଼ରେ ପୋଲିସ ସହିତ ଏନକାଉଣ୍ଟରରେ ସାମିଲ ଥିଲେ।
ଛତିଶଗଡ଼ ରାଜ୍ୟର ୫ଟି, ଆନ୍ଧ୍ରପ୍ରଦେଶର ଦୁଇଟି ଏନକାଉଣ୍ଟର ଘଟଣାରେ ସାମିଲ ଥିବା ଦକ୍ଷୀଣ ପିଶ୍ଚିମାଞ୍ଚଳ ଡିଆଇଜି ନିତି ଶେଖର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ମାଲକାନଗିରି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗିରଫ ମାଓ ନେତ୍ରୀ ଆନ୍ତି ମାଡିବିକୁ ପ୍ରଦର୍ଶନ କରି ଡିଆଇଜି ନୀତି ଶେଖର ସମସ୍ତ ସୂଚନା ଦେବା ସହ ଖୁବଶୀଘ୍ର ମାଲକାନଗିରି ଜିଲ୍ଲା ମାଓମୁକ୍ତ ହେବ । ବର୍ତ୍ତମାନ ଗୁଇନ୍ଦା ବିଭାଗକୁ ଆକ୍ଟିଭ କରାଯାଇଛି । ଦୁର୍ଗମ ଓ ଗ୍ରାମାଞ୍ଚଳରୁ ସେମାନେ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରୁଛନ୍ତି । ଜିଲ୍ଲାର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳ ଗୁଡିକରେ ନିୟମିତ ଭାବେ ଜିଲ୍ଲା ପୋଲିସ,ଏସଓଜି, ଡିଭିଏଫ ଏବଂ ବିଏସଏଫ ଯବାନଙ୍କ ଦ୍ୱାରା କୁମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଛି । ବିଶେଷ କରି ଆନ୍ଧ୍ର ଓ ଛତିଶଗଡ଼ ସୀମାନ୍ତ ସିଲ କରାଯାଇ ବ୍ୟାପକ ଭାବେ ଯାନବାହାନ ଯାଞ୍ଚ ଓ ତଲାସି ଅଭିଯାନ ଚାଲୁ ରହିଛି ବୋଲି ଡିଆଇଜି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ତପନ ନାରାୟଣ ରଥ, ଏସଡିପିଓ ସଚିନ ପାଟିଲ, ଅତିରିକ୍ତ ଏସପି ରାଜ କିଶୋର ଦାଶ ପ୍ରମୁଖ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।