କଣ୍ଟାବାଞ୍ଜି,୨୧/୬ : ଚୋରମାନେ ଅନେକ ପ୍ରକାର ଚୋରି କରୁଥିବା କଥା ଆମେମାନେ ଜାଣିଛୁ । ହେଲେ ଏଠାରେ କିନ୍ତୁ ଘରୁ ଭିନ୍ନ ଖାଇବା ଜିନିଷ ଚୋରିକୁ ନେଇ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ତାହା ସତ । କଣ୍ଟାବାଞ୍ଜି ସହରର ୱାର୍ଡ଼ ନମ୍ବର ୭ ଲକ୍ଷ୍ମୀନଗରରେ ରୁହନ୍ତି ଚଣା ବ୍ୟବସାୟୀ ଗୋକୁଳ ବେହେରା । ସେ ପ୍ରତିଦିନ କଞ୍ଚା ବୁଟ, ସିଝା ବୁଟ, ସିଝା ମୋଟର ସାଙ୍ଗକୁ ଗଜା ମୁଗ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ସେ ପ୍ରତ୍ୟେକ ଦିନ ସବୁ ଜିନିଷ ୨୦ରୁ ୩୦କିଲୋ ପର୍ଯ୍ୟନ୍ତ ବିକ୍ରି କରିଥାନ୍ତି ।

ତାଙ୍କ ଚଣା ଖାଇବାକୁ ଜିମ୍ ଯାଉଥିବା ଲୋକଙ୍କଠୁ ନେଇ ପିଲାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଜଗିକି ବସିଥାନ୍ତି । ଗୋକୁଳ ସବୁଦିନ ଭଳିଆ ଆଜି ମଧ୍ୟ ଘରେ ସବୁ ପ୍ରସ୍ତୁତି ସାରି କୌଣସି କାମ ପଡ଼ିବାରୁ ଘରୁ ବାହାରକୁ ଯାଇଥିଲେ । ଆସିଲେ ଠେଲା ବାହାର କରି ବ୍ୟବସାୟ ପାଇଁ ଯାଇଥାନ୍ତେ । ହେଲେ ବାହାରୁ କାମ ସାରି ଘରକୁ ଫେରିଲାବେଳକୁ ଦେଖିଲେ ଯେ, ୩କିଲୋ ଗଜାମୁଗ ସାଙ୍ଗକୁ ୫କିଲୋ ଟମାଟୋ କିଏ ଚୋରି କରି ନେଇଯାଇଛି । ସେ କୌଣସି ଥାନାରେ ଅଭିଯୋଗ କରିନଥିଲେ ମଧ୍ୟ ପାଖ ପଡ଼ୋଶୀରେ ଲାଗିଥିବା ସିସି ଟିଭି କ୍ୟାମରାକୁ ଅଣ୍ଡାଳୁଛନ୍ତି । ଶେଷରେ ଚୋରି ବିଷୟରେ ଜଣା ନ ପଡ଼ିବାରୁ ବାକି ତକ ଜିନିଷକୁ ନେଇ ବିକ୍ରି ପାଇଁ ଚାଲି ଯାଇଥିଲେ ।