ଭୁବନେଶ୍ୱର: ପୋଲିସ ଚାକିରିରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ  । ସାଧାରଣତ ଗରିବ, ମହିଳା ଏବଂ ପିଲାମାନଙ୍କର ସୁରକ୍ଷା ପୋଲିସ ଉପରେ ନିର୍ଭର କରେ। ୟୁନିଫର୍ମ ସର୍ଭିସ୍ କୁ ଗର୍ବ ଏବଂ ଜନସାଧାରଣଙ୍କ  ସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିବାକୁ ଆପଣମାନଙ୍କୁ ସଦା ସର୍ବଦା ପ୍ରସ୍ତୁତ ହେବାକୁ ପଡିବ ଓ ସାଧାରଣ ଲୋକମାନଙ୍କର ବିଶ୍ଵାସ ଭାଜନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ସ୍ଥିତ  ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେ଼ମୀରେ ଅନୁଷ୍ଠିତ ୮ମ ଉପ-ଆରକ୍ଷୀ ଅଧିକ୍ଷକ ଓ ୧୨ତମ ଆରକ୍ଷୀ ଉପ-ନିରୀକ୍ଷକ ଶିକ୍ଷାନବୀଶ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି। 

ଅନୁଷ୍ଠିତ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସ ଏକାଡେ଼ମୀ ପଡିଆରେ ସମ୍ମିଳିତ ପାସିଙ୍ଗ ଆଉଟ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହିତ ମୌଳିକ ତାଲିମ ସମ୍ପୂର୍ଣ୍ଣ କରିଥିବା ୪ ଜଣ ଉପ-ଆରକ୍ଷୀ ଅଧିକ୍ଷକ ଓ ୧୭୧ ଜଣ ଆରକ୍ଷୀ ଉପ-ନିରୀକ୍ଷକ ଶିକ୍ଷାନବୀଶ ମାନଙ୍କ ମଧ୍ୟରୁ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିବା ଶିକ୍ଷାନବୀଶ ମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ।



ମୁଖ୍ୟମନ୍ତ୍ରୀ ଶିକ୍ଷାନବୀଶ ମାନଙ୍କୁ ଉଦବୋଧନ ଦେଇ କହିଥିଲେଯେ, ଆଜି ଠାରୁ ଆପଣମାନଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଆମ ସରକାର ଶପଥ ନେଇଛନ୍ତି, ସେ ଦିଗରେ ଆପଣମାନେ ମୁଖ୍ୟ ଭୂମିକା ତୁଲାଇବେ। ଏହି ଦାୟିତ୍ଵରେ ଆଜିଠାରୁ ଆପଣମାନେ ସମସ୍ତେ ସାମିଲ ହେଲେ। 

ପୋଲିସ ସେବାରେ ବିଭିନ୍ନ ଜିଲ୍ଲାରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ସମସ୍ତ ପଦ ପଦବୀ ଗୁଡିକୁ ପୂର୍ଣ୍ଣ କରିବା ପାଇଁ ଆମ ସରକାର ଚେଷ୍ଟିତ ଅଛନ୍ତି ଏବଂ ନୂତନ ପଦବୀ ସୃଷ୍ଟି କରିବାକୁ ମଧ୍ୟ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ଆମ ପୋଲିସ ସେବାକୁ ଆହୁରି ଯୁଗୋପଯୋଗୀ ଓ ଦୃଢ ହେବାକୁ ପଡିବ ଏଣୁ ପ୍ରତ୍ୟେକ ଆରକ୍ଷୀ ଉପ-ନିରୀକ୍ଷକ ମାନଙ୍କୁ ମୋଟର ସାଇକେଲ, ଲାପଟପ, ମୋବାଇଲ ଫୋନ ଓ ପେନଡ୍ରାଇଭ ଯୋଗାଇ ଦିଆଯିବ ଏବଂ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ପାଇଁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ।

ଏହି ଅବସରରେ ଓଡିଶା ଆରକ୍ଷୀ ମହାନିର୍ଦ୍ଦେଶକ, ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଶିକ୍ଷାନବୀଶ ମାନଙ୍କୁ ଆଗାମୀ ଦାୟିତ୍ୱ ଓ କାର୍ଯ୍ୟବୋଧତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ସେବା କ୍ଷେତ୍ରରେ ପୋଲିସର ଖାକୀ ୟୁନିଫର୍ମ ସର୍ବଦା କର୍ତ୍ତବ୍ୟନିଷ୍ଠା, ଓ ଜନସାଧାରଣଙ୍କ ପ୍ରତି ଉତ୍ସର୍ଗୀକୃତ ହେବା ଉଚିତ ବୋଲି କହିଥିଲେ । 

ଏହି କାର୍ଯ୍ୟକ୍ରମରେ   ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ, ନିର୍ଦ୍ଦେଶକ, ଶ୍ରୀ ସଞ୍ଜୀବ ପଣ୍ଡା, ଆରକ୍ଷୀ ମହାନିରୀକ୍ଷକ, (ତାଲିମ) ଶ୍ରୀ ଅନୁପ କୁମାର ସାହୁଙ୍କ ସମେତ ବରିଷ୍ଠ ତଥା ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ବୃନ୍ଦ, ଏକାଡେମୀର ସମସ୍ତ ପ୍ରଶିକ୍ଷକ, କର୍ମଚାରୀ, ଏବଂ ଶିକ୍ଷାନବୀଶଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ।