ପୁରୀ,୩/୬ : ଯାତ୍ରୀ ଓ ଶ୍ରଦ୍ଧାଳୁମାନଙ୍କୁ ଉନ୍ନତ ମାନର ବସ୍ ସେବା ଯୋଗାଇବା ଲକ୍ଷ୍ୟରେ ପୁରୀଠାରୁ ତିରୁପତି, ଅଯୋଧ୍ୟା, ଉଜ୍ଜ୍ୱୟିନୀ, ହାଇଦ୍ରାବାଦ ଓ ଭିଲାଇ ପର୍ଯ୍ୟନ୍ତ ସୁପର ପ୍ରିମିୟମ ବସ୍ ସେବା ସହ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ବା (ଆଇଇଏମଏସ)ର ଶୁଭାରମ୍ଭ ହୋଇଯାଇଛି । ଆଜି ମଧ୍ୟ ଶୂନ୍ୟ ଦୁର୍ଘଟଣା ଦିବସ ପାଳିତ ହୋଇଥିଲା ।

ଅପରାହ୍ନରେ ମାଳତୀ ପାଟପୁର ବସ୍ ଷ୍ଟାଣ୍ଡଠାରୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବସ୍ ସେବା ଓ ଆଇଇଏମଏସର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ସଡ଼କ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ । ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଏ ବର୍ଷକ ମଧ୍ୟରେ ପ୍ରାୟ ସବୁ ପୂରଣ କରିଛନ୍ତି । ସରକାର ଆଜି ୮ଟି ସୁପର ପ୍ରିମିୟମ ବସ ସେବା ଆରମ୍ଭ କରିଛନ୍ତି । ତେବେ ପୁରୀକୁ ଗୁରୁତ୍ୱ ଦେଇ ୫ଟି ବସ୍ ପୁରୀରୁ ଯାଉଛି । ଏହି ବସ୍ ମାଳତୀ ପାଟପୁରରୁ ତିରୁପତି, ଅଯୋଧ୍ୟା, ଉଜୟିନୀ ହାଇଦ୍ରାବାଦ ଓ ଭିଲାଇ କୁ ଯିବ ବୋଲି ଡା ପାତ୍ର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ବିନୀତ ଅଗ୍ରୱାଲ, ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ବାଳ ଓ ଡା ଦେବେନ୍ଦ୍ର ନାଥ ତରାଇ ପ୍ରମୁଖ ଯୋଗଦେଇ ସରକାରଙ୍କ ଏହି ପଦକ୍ଷେପ ଦ୍ଵାରା ଶ୍ରଦ୍ଧାଳୁ ଓ ଯାତ୍ରୀମାନଙ୍କର ଗମନାଗମନ ସୁନ୍ଦର, ସୁଖଦ ଓ ଶୃଙ୍ଖଳିତ ହୋଇପାରିବ ବୋଲି କହିଥିଲେ । ସଡ଼କ ସୁରକ୍ଷାର ନିୟମ ମାନି ସୁରକ୍ଷିତ ଭାବେ ଘରକୁ ଫେରିବାକୁ ସେମାନେ ଅନୁରୋଧ କରିଥିଲେ।

ଏହି ଆରାମ ଦାୟକ ବସସେବାରେ ମହିଳାମାନଙ୍କ ପାଇଁ ଶତକଡା ୫୦ଭାଗର ରିହାତି ରହିଛି । ଏହି ବସ୍ ମାଳତୀ ପାଟପୁରରୁ ତିରୁପତି, ଅଯୋଧ୍ୟା ଓ ଉଜୟିନୀକୁ ପ୍ରତି ସପ୍ତାହରେ ଥରେ ଯିବା ଆସିବା କରିବ । ସେହିପରି ହାଇଦ୍ରାବାଦ ଓ ଭିଲାଇକୁ ଦୈନିକ ବସ୍ ଯିବା ଆସିବା କରିବ ବୋଲି ପୁରୀ ପରିବହନ ନିଗମ ମ୍ୟାନେଜର ରଶ୍ମି ସାମଲ ସୂଚନା ଦେଇଥିଲେ । ଅପରପକ୍ଷରେ ଆଇଇଏମଏସ ବ୍ୟବସ୍ଥା ଦ୍ଵାରା ବେଗ ନିୟନ୍ତ୍ରଣ ସହ ଦୁର୍ଘଟଣାକୁ ପ୍ରତିହତ କରାଯାଇ ପାରିବ। ପୂର୍ବରୁ ପୁରୀରୁ ଉତ୍ତରା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାବେଳେ  ବର୍ତ୍ତମାନ ପୁରୀରୁ କୋଣାର୍କ ଓ କୋଣାର୍କରୁ ପିପିଲି ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଏହି ବ୍ୟବସ୍ଥା ଦ୍ଵାରା ସିସିଟିଭି ମାଧ୍ୟମରେ ନିର୍ଦ୍ଧାରିତ ବେଗଠାରୁ ଅଧିକ ଗତିରେ ଗଲେ ତାହାର ଚିହ୍ନଟ କରି ସିଧାସଳଖ ଉଲ୍ଲଘଂନକାରୀଙ୍କ ପାଖକୁ ଚାଲାଣ ପହଞ୍ଚିଯିବ ବୋଲି ଆରଟିଓ ରବିନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ.ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନୋଡାଲ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସପି ସୁଶୀଲ ମିଶ୍ର, ଏସଡିପିଓ ଆରଏନଭଞ୍ଜ ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ ସେଠୀ, ପରିବହନ ବିଭାଗର ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।