ନୀଳଗିରି,୧୩/୧୧: ନୀଳଗିରିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରାର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ନୀଳଗିରିରେ ପହଞ୍ଚିବା ପରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ କର୍ମୀ ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି।

​​​​​​​

ସୂଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ହସ୍ପିଟାଲ ଛକରେ ସ୍ଥାପିତ ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ପରେ ଥାନା ପଡ଼ିଆସ୍ଥ ସଭାରେ ଯୋଗଦେଇ ଅଞ୍ଚଳବାସୀଙ୍କୁ ସମ୍ବୋଧିତ କରିବେ ଏବଂ ମିତ୍ରପୁର ପର୍ଯ୍ୟନ୍ତ ୧୦ କିମି ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହେବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏସପି, ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ତଦାରଖ କରିଛନ୍ତି ।

ବୁଧବାର ସନ୍ଧ୍ୟାରେ ନୀଳଗିରି ସହରରେ ପୁଲିସ ଛାଉଣି ହୋଇଥିବା ବେଳେ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା । ସହର ଠାରୁ ଆରମ୍ଭ କରି ମିତ୍ରପୁର ପର୍ଯ୍ୟନ୍ତ ରାସ୍ତାରେ ମଧ୍ୟ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ହୋର୍ଡ଼ିଂ ଲାଗିଛି । ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମକୁ ତଦାରଖ କରୁଥିବା ବେଳେ ତାଙ୍କ ସହ ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ, ଜିଲ୍ଲା ସଭାପତି ଈଶ୍ୱର ବେହେରା ମଧ୍ୟ ରହିଛନ୍ତି । ଜିଲ୍ଲା ସମ୍ପାଦକ ବିଜୟ କୁମାର ସାହୁ ସମେତ ଜିଲ୍ଲା ତଥା ସ୍ଥାନୀୟ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ନୀଳଗିରି ଗଡ଼ଜାତ ମାଟିକୁ ପ୍ରଥମ ଥର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ହୋଇଥିବା ବେଳେ ବିଜେପିର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ବେଶ ଉତ୍ସାହିତ ଅଛନ୍ତି ।