• ଶିଶୁ ମନ୍ଦିରର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

  • କହିଲେ ଏହାର ଶିକ୍ଷାର ମାନ ଖୁବ୍ ଉଚ୍ଚକୋଟୀର

  • ଏନସିଇଆରଟି ଢ଼ାଞ୍ଚାରେ ଏସସିଇଆରଟି ହେବ

  • ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପାଠ୍ୟ ପୁସ୍ତକ ମିଳିବ

  • ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ବ ଦିଏ ଶିଶୁମନ୍ଦିରକହିଲେମୁଖ୍ୟମନ୍ତ୍ରୀ

କେନ୍ଦୁଝରଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମୂଳ ଭିତ୍ତି ରୂପରେ ଗ୍ରହଣ କରି ଶିକ୍ଷାଦାନ କରିଥାଏ ସରସ୍ୱତୀ ଶିଶୁ ମନ୍ଦିର। ଉତ୍ତମ ଶିକ୍ଷା ପରିବେଶ ଓ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନକୁ ଶିଶୁ ମନ୍ଦିର ଶିକ୍ଷାପ୍ରଣାଳୀ ସବୁଠୁ ଅଧିକ ଗୁରୁତ୍ବ ଦେଇଥାଏ। କେନ୍ଦୁଝରରେ ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ,ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଏହି କଥାକହିଛନ୍ତି।

ବଣିଆପାଟ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀମୋହନମାଝୀ କହିଥିଲେ,ସମଗ୍ର ଓଡ଼ିଶାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି। ସେହି ପରିବର୍ତ୍ତନ ଧାରାକୁ ଅବ୍ୟାହତ ରଖିବା ଦିଗରେ ଏହି ଶିକ୍ଷାନୁଷ୍ଠାନର ଭୂମିକା କୌଣସି ମାତ୍ରାରେ କମ୍ ନୁହେଁ। ଯେତେବେଳେ ଦୂରଦୂରାନ୍ତ ଅଞ୍ଚଳରେ ସରକାରୀ ସ୍କୁଲ ନଥିଲା,ସେତେବେଳେ ଏହି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ହିଁ ଓଡିଶାର ପିଲାଙ୍କ ଭିତରେ ଶିକ୍ଷାର ଆଲୋକ ବିକିରଣ କରି ଚାଲିଥିଲା।

ଆଜି ଯଦି ଆମେ ଶିକ୍ଷାର ମାନ ଉପରେ ତର୍ଜମା କରିବା,ତେବେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷାର ମାନ ଅତ୍ୟନ୍ତ ଉଚ୍ଚକୋଟୀର। ଏହି ସ୍କୁଲର ପିଲାମାନେ ବୋର୍ଡ ପରୀକ୍ଷାରେ ବହୁତ ଭଲ ରେଜଲ୍ଟ କରନ୍ତି। ସରସ୍ଵତୀ ବିଦ୍ୟାଳୟ ସମୂହ କେବଳ ପ୍ରତିଭା ସମ୍ପନ୍ନ ବିଦ୍ୟାର୍ଥୀ ବନେଇ ନଥାଏ,ଏହା ବିଦ୍ୟାର୍ଥୀଙ୍କୁ ଭାରତୀୟ ସଂସ୍କୃତି,ପରମ୍ପରା ବିଷୟରେ ଶିକ୍ଷାଦାନ କରିବା ସହ ଉତ୍ତମ ମଣିଷ ଗଠନ କରିବାରେ ଏକ ମହତ୍ତ୍ଵ ଭୂମିକା ଗ୍ରହଣ କରିଥାଏ। ସରସ୍ୱତୀ ଶିଶୁ ମନ୍ଦିର କେବଳ ଏକ ବିଦ୍ୟାଳୟ ନୁହେଁ, ଏହା ମଣିଷ ତିଆରି କାରଖାନା ବୋଲି ଅଭିହିତ କରିଥିଲେ।

ସେ କହିଥିଲେ,ଆଜିର ପରିବର୍ତ୍ତନଶୀଳ ଦୁନିଆରେ ଗୋଟିଏ ପିଲା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଶିକ୍ଷା। କାରଣ ଶିକ୍ଷା ହିଁ ସେହି ମାଧ୍ୟମ ଯାହା ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନର ଦୀପାଳୀକୁ ପ୍ରଜ୍ଜ୍ଵଳିତ କରିଥାଏ। ଓଡିଶାରେ ଆମ ସରକାର ଦାୟିତ୍ୱଭାର ନେବା ପରେ ରାଜ୍ୟରେ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଛନ୍ତି । ଦକ୍ଷ ଶିକ୍ଷକ ନିଯୁକ୍ତି,ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ପରିବେଶ ଉପରେ ଗୁରୁତ୍ୱ ଦିଆଯାଉଛି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦିଗ୍ଦର୍ଶନରେ ଆମ ସରକାର ରାଜ୍ୟରେ ନୂତନ ଶିକ୍ଷାନୀତି-୨୦୨୦ କୁ ଲାଗୁ କରିଛନ୍ତି। ଏହି ନୂତନ ଶିକ୍ଷାନୀତି ଫଳରେ ବିଦ୍ୟାର୍ଥୀଙ୍କ ସାମଗ୍ରିକ ବିକାଶ ହେବା ସହ ସେମାନେ ଜୀବନରେ ଉତ୍ତମ ମଣିଷ ହେବେ। ଏଥି ସହିତ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ବା ଏନ୍.ସି.ଏଫ୍ ଆଧାରରେ ଆମେ "ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା" ଆରମ୍ଭ କରୁଛୁ। ଏହାଦ୍ୱାରା ଶିକ୍ଷାର୍ଥୀମାନେ ଅଧିକ ସୃଜନଶୀଳ ଏବଂ ସ୍ୱାବଲମ୍ବୀ ହେବେ। ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ସବୁ ପିଲାଙ୍କୁ ସରକାରଙ୍କ ତରଫରୁ ନିଃଶୁଳ୍କ ପୁସ୍ତକ ପ୍ରଦାନ କରାଯିବ । ପାଠ୍ୟ ପୁସ୍ତକରେ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଏନସିଇଆରଟି ଢ଼ାଞ୍ଚାରେ ଏସ୍ସିଇଆରଟି କୁ ବିକାଶ କରାଯିବ ଏବଂ ଉଚ୍ଚମାନର କୋର୍ସ ମେଟେରିଆଲ ବିଶେଷଜ୍ଞଙ୍କ ଦ୍ଵାରା ପ୍ରସ୍ତୁତ କରିବା ପାଇଁ ସରକାର ସ୍ଥିର କରିଛନ୍ତି

ଆମ ସରକାର ଆସିବା ପର ଠାରୁ ଓଡିଆ ଭାଷା ଓ ସାହିତ୍ୟର ବ୍ୟବହାର,ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ଵ ଦେଇଛନ୍ତି । ଓଡିଆ ଭାଷା ପରି ଆଦିବାସୀ ପିଲାଙ୍କୁ ନିଜ ଭାଷାରେ ଶିକ୍ଷା ପ୍ରଦାନ କରାଯିବା ଆବଶ୍ୟକ। ସରକାର ଏହି ଦିଗରେ ସାନ୍ତାଳି ଭାଷାରେ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି ।

ସେ ଆହୁରି କହିଥିଲେ ଯେ,ମୋବାଇଲ ଇଣ୍ଟରନେଟ ସୂଚନା ଏବଂ ଶିକ୍ଷା ପାଇଁ ଏକ ଅମୋଘ ଅସ୍ତ୍ର,ଏହା ସୂଚନାର ସୁନାଖଣି କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ,ଏହାର ଅନ୍ୟ ଏକ ଦିଗ ବି ଅଛି ଯାହାର ଲାଭ ପରିବର୍ତ୍ତେ କ୍ଷତି ଅଧିକ। ତେଣୁ ଇଣ୍ଟରନେଟ ଏବଂ ସୋସିଆଲ ମିଡିଆକୁ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରିବା ଉଚିତ। ଯେତିକି ସମୟ କମ୍ପ୍ୟୁଟର ବା ମୋବାଇଲ ବ୍ୟବହାର କରୁଛସେଥିରେ ବିଭିନ୍ନ ଆପ୍ଲିକେସନ ଓ ଅନ୍ୟାନ୍ୟ ସ୍କିଲ ମଧ୍ୟ ଜାଣିବା ଉଚିତ୍। କାରଣ ସ୍କିଲ ହିଁ ଆମକୁ ଜୀବନରେ ସାହାଯ୍ୟ କରିବ। ଆଜିକାଲି ଡିଜିଟାଲ ମାଧ୍ୟମରେ ସବୁ ଜିନିଷ ହେଉଛି। ଡିଜିଟାଲ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା,ଆଧାର କରେକ୍ସନ କରିବା,ବିଭିନ୍ନ ସରକାରୀ ଯୋଜନାର ସୁବିଧା ନେବା ପାଇଁ ରେଜିଷ୍ଟ୍ରେସନ କରିବା,ଅନ୍ଲାଇନ୍ ଜରିଆରେ ବିଭିନ୍ନ ପରୀକ୍ଷା କିମ୍ବା ସ୍କଲାରସିପ୍ ପାଇଁ ଫର୍ମ ଭରିବା,ଏସବୁ ଜିନିଷ ଜାଣିବା ଖୁବ୍ ଭଲ। ଏଗୁଡିକ ମଧ୍ୟ ଗୋଟିଏ ଗୋଟିଏ ଲାଇଫ୍ ସ୍କିଲ୍।

ଆଜିକାଲି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଖୁବ୍ ଗୁରୁତ୍ୱ ଦିଆଯାଉଛି। ଏଥିରେ ଆଗରେ ରହିବା ପାଇଁ ଦେଶ ଦେଶ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଆମ ଦେଶରେ ମଧ୍ୟ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଖୁବ୍ ଗୁରୁତ୍ବ ଦିଆଯାଉଛି। ଓଡିଶାରେ ଆମେ ନୂଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ନୀତି କାର୍ଯ୍ୟକାରୀ କରିଛୁ। ତେଣୁ ତୁମେମାନେ ମଧ୍ୟ ଯେତେ ସ୍କିଲ୍ ଶିଖି ପାରିବ,ଶିଖିବା ଆବଶ୍ୟକ। ଏହାଦ୍ୱାରା ତୁମେ ଯେଉଁ ଫିଲ୍ଡରେ କାମ କରିବ ସେଥିରେ ଅଧିକ ଦକ୍ଷ ହୋଇପାରିବ ବୋଲିମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟରେକହିଥିଲେ।

ଉକ୍ତକାର୍ଯ୍ୟକ୍ରମରେ ବିଦ୍ୟାଳୟର ସଂପାଦକ ଭାଗିରିଥି ଗିରି ସ୍ୱାଗତ ଭାଷଣ ଦେଇଥିବା ବେଳେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ବିଦ୍ୟାଭାରତୀର ସଂଗଠନ ମନ୍ତ୍ରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ,ସମାଜସେବୀ ତଥା ଜିଲ୍ଲା ବିଜେପି ସଭାପତି ଶ୍ରୀ ଶୁକଦେବ ମହାନ୍ତ,ଇପିଏଫଓ କମିସନର ଶ୍ରୀ ଗୌରବ ଚନ୍ଦ୍ର ମହାନ୍ତି,ଶିଶୁ ବିଦ୍ୟାମନ୍ଦିରର ସଭାପତି ପ୍ରଫେସର ଅନୀଲ କୁମାର ଦାଶ,ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ପ୍ରମୁଖ ଉପସ୍ଥିଥିଲେ।