ଜୟପୁର,୨୯/୦୭: ଆସନ୍ତା ୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତରେ ଆସିବେ । ଜୟପୁରରୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିବେ । କୋଟିଆ ଯାଇ ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି ।
ନୂଆରେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ବରିଷ୍ଠ ଅଧିକାରୀମାନେ ସହର ଉପକଣ୍ଠ ବାଙ୍କବିଜା ପଡ଼ିଆ ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନି । ଆଜି ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଶ୍ରୀ ମହାଜନ, ଉପଜିଲ୍ଲାପାଳ ଏ.ଶଶ୍ୟା ରେଡ୍ଡୀ, ଏସ୍ପି ରୋହିତ ବର୍ମା, ଏସ୍ଡିପିଓ ପାର୍ଥ ଜଗଦୀଶ କଶ୍ୟପ ପ୍ରମୁଖ ରେଲୱେ ଷ୍ଟେସନ ନିକଟ ବାଙ୍କବିଜା ପଡ଼ିଆ ପରିଦର୍ଶନ କରିଥିଲେ । ଏଠାରେ ମୁଖ୍ୟମନ୍ତ୍ରୀଙ୍କ ସଭା ହୋଇପାରେ । ଅଞ୍ଚଳ ପରିଦର୍ଶନ ସହ ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ପ୍ରସ୍ତୁତି ବାବଦରେ ଆଲୋଚନା କରିଥିଲେ ।