ଆନନ୍ଦପୁର,୦୯/୦୩: ଆଜି ଆନନ୍ଦପୁର ମାଟିରେ ପ୍ରଥମ ଥର ପାଇଁ ପାଦ ଥାପିବେ ମୁଖ୍ୟମନ୍ତ୍ରୀ ।  ରାଜ୍ୟରେ ଶାସନ କ୍ଷମତା ବିଜେପି ହାତକୁ ଆସିବା ପରେ  କେନ୍ଦୁଝରର ଜିଲ୍ଲାରୁ ମୋହନ ଚରଣ  ମାଝୀ ମୁଖ୍ୟମନ୍ତୀ ଭାବେ ଦାୟିତ୍ୱ ଗ୍ରହଣ  କରିଥିଲେ । ଯାହାକି ଜିଲ୍ଲା ପାଇଁ ଗର୍ବ ଓ  ଗୌରବର ବିଷୟ ପାଲଟିଛି । ମୋହନ  ସରକାରଙ୍କ ଦୀର୍ଘ ୯ ମାସ ଶାସନ କାଳରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର  ଉପଖଣ୍ଡକୁ ଏହା ତାଙ୍କର ପ୍ରଥମ ଗସ୍ତ ।  ଆନନ୍ଦପୁର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ବିକାଶ ସହିତ ଆନନ୍ଦପୁର ଉପଖଣ୍ଡର  ବିକାଶ ବାର୍ତ୍ତା ଶୁଣିବା ପାଇଁ ସମସ୍ତଙ୍କର ରହିଛି ନଜର ।  

ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା  ଏଥିପାଇଁ ବେଶ ଉତ୍ସାହିତ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ  ଆନନ୍ଦପୁର ଷ୍ଟାଡିୟମ୍‌ ପରିସରରେ ହେଲିପ୍ୟାଡର ବ୍ୟବସ୍ଥା  ଗ୍ରହଣ କରାଯାଇଛି । ଷ୍ଟାଡିୟମରେ ଅବତରଣ କରିବା  ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ  ମହାବିଦ୍ୟାଳୟକୁ ପାଛୋଟି ନେବାର କାର୍ଯ୍ୟକ୍ରମ ରହିଛି ।  ସେଠାରେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟର ନିଜର ଅଭିଭାଷଣ  ପ୍ରଦାନ କିରବା ପରେ ଆନନ୍ଦପୁରରେ ହୋଇଥିବା  କେତେକ ନିର୍ମାଣ କାର୍ଯ୍ୟର ଶୁଭଉଦ୍‌ଘାଟନ କିରିବାର  କାର୍ଯ୍ୟକ୍ରମ ରହିଛି । 

ଆନନ୍ଦପୁର  ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଏକ ନୂତନ ଗୃହ ମୁଖ୍ୟମନ୍ତ୍ରୀଙ୍କ  ଦ୍ୱାରା ଭର୍ଚ୍ଚୁଆଲି ଉଦ୍‌ଘାଟିତ  ହେବାର କାର୍ଯ୍ୟକ୍ରମ ରହିଛି । ଏହା  ସହିତ ବିଏନ୍‌ ହାଇସ୍କୁଲ ନିକଟରେ  ନବନିର୍ମିତ ବ୍ଲକସ୍ତରୀୟ ଲାଇବ୍ରେରୀ,  ମହାବିଦ୍ୟାଳୟର ଟିଆରଡବ୍ଲ୍ୟୁ  ଛାତ୍ରାବାସ ଆଦି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବାର  କାର୍ଯ୍ୟକ୍ରମ ରହିଛି । ଏପରିକି ସର୍ବପୁରାତନ ଶିକ୍ଷାନୁଷ୍ଠାନ  ବିଏନ୍‌ ହାଇସ୍କୁଲର ନୂତନ ଛାତ୍ରାବାସର ଶିଳାନ୍ୟାସ ପର୍ବ  ହେବାର କାର୍ଯ୍ୟକ୍ରମ ରହିଛି । ଆନନ୍ଦପୁର ମହାବିଦ୍ୟାଳୟ  ଖେଳପଡିଆରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ଆନନ୍ଦପୁର ପ୍ରଶାସନିକ ସ୍ତରରେ ସମସ୍ତ ବିଧି ବ୍ୟବସ୍ଥା  ଉପରେ ନଜର ରଖାଯାଇଥିବାବେଳେ ଚମ୍ପୁଆ ଉପଜିଲ୍ଲାପାଳ  ଉମାକାନ୍ତ ପରିଡାଙ୍କୁ ସ୍ୱତନ୍ତ୍ର ଦାୟିତ୍ୱରେ ରହିଛନ୍ତି ।  ସଭାମଣ୍ଡପର ସମସ୍ତ ବ୍ୟବସ୍ଥା ଉପରେ ନଜର ରଖାଯାଇଛି ।