ଭୁବନେଶ୍ୱର/ରାଉରକେଲା,୩୧/୦୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହକି ଇଣ୍ଡିଆ ଲିଗ୍‌  (ଏଚ୍‌ଆଇଏଲ୍‌)ର ଫାଇନାଲରେ  ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେ ଶନିବାର ଦିନ ରାଉରକେଲାରେ ପହଞ୍ଚିବେ  ଏବଂ ସନ୍ଧ୍ୟାରେ ଫାଇନାଲ ମ୍ୟାଚ୍‌ରେ ଯୋଗଦେବେ । ମ୍ୟାଚ୍‌  ଶେଷ ହେବା ପରେ ପୁରସ୍କାର ବିତରଣ କରିବେ । 

ପୂର୍ବତନ ପ୍ରଧାନମନ୍ତ୍ରୀ  ମନମୋହନ ସିଂଙ୍କ ପରଲୋକ  ଯୋଗୁ ଏଚ୍‌ଆଇଏଲ୍‌ର ଉଦଘାଟନୀ ଉତ୍ସବକୁ ସ୍ଥଗିତ ରଖା ଯାଇଥିଲା । ଉଦଯାପନୀରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ କାର୍ଯ୍ୟକ୍ରମର ମୁଖ୍ୟ  ଆକର୍ଷଣ ରହିବେ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି । 

ଶୁକ୍ରବାର ଦିନ ଏଚ୍‌ଆଇଏଲ୍‌ର ସେମି ଫାଇନାଲ ଏବଂ ଶନିବାର ଫାଇନାଲ ମ୍ୟାଚ୍‌ ଖେଳାଯିବ । ୨୦୧୭ ଠାରୁ ଏହି ଲିଗ  ବନ୍ଦ ରହିଥିଲା। ଦୀର୍ଘ ୭ ବର୍ଷ ପରେ ହକି ଇଣ୍ଡିଆ ଲିଗକୁ ପୁନଃ ଆରମ୍ଭ କରିଥିଲା । ଏଥର ଉଭୟ ପୁରୁଷ ଓ ମହିଳା ବର୍ଗରେ ଲିଗ୍‌  ଖେଳାଯାଇଥିଲା । ମହିଳାରେ ଓଡ଼ିଶା ୱାରିୟର୍ସ ଚାମ୍ପିଅନ ହୋଇଛି ।