ଭୁବନେଶ୍ୱର, ୨୮।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କଣ୍ଟ୍ରୋଲ ରୁମ ପରିଦର୍ଶନ କରି ବାତ୍ୟା ମୋନ୍ଥାର ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥି ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂହ ଏବଂ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡଙ୍ଗୀଙ୍କ  ସହିତ ପରିସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରିଛନ୍ତି ।

ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟାର ପ୍ରଭାବ ସମ୍ପର୍କରେ ଯେଉଁଭଳି ଭାବେ ଆଶଙ୍କା କରାଯାଉଥିଲା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେଭଳି କିଛି ବଡ଼ ପ୍ରଭାବ ପରିଲକ୍ଷିତ ହୋଇନାହିଁ । ତେବେ  ବୁଧବାର ବାତ୍ୟା ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦି ଜିଲ୍ଲା ଦେଇ ଗତି କରିବାର ସମ୍ଭାବନା ରହିଛି । ପ୍ରଭାବ ଛୋଟ ହେଉ କି ବଡ଼ ହେଉ, ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସମ୍ପୂର୍ଣ୍ଣ ଭାବେ ସଜାଗ  ଅଛନ୍ତି ଏବଂ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ବାତ୍ୟା ପରିଚାଳନା କରୁଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ଏକମାତ୍ର ଲକ୍ଷ୍ୟ ହେଉଛି ଜିରୋ କାଜୁଆଲଟି । ଏ ଦିଗରେ ଆମେ ପୂର୍ବରୁ ଅନେକ ସଫଳତା ହାସଲ କରିଛୁ ଏବଂ ପୂର୍ବର ଅଭିଜ୍ଞତାକୁ ନେଇ ରାଜ୍ୟ ସରକାର ଖୁବ୍‌ ଭଲଭାବେ ପ୍ରସ୍ତୁତି କରିଛନ୍ତି । ରାଜ୍ୟ କଣ୍ଟ୍ରୋଲରୁମ ପକ୍ଷରୁ ୨୪ ଘଣ୍ଟା ପରିସ୍ଥିତିର ମନିଟରିଂ କରାଯାଉଛି ।

 ସରକାରଙ୍କ ପଦକ୍ଷେପ ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ୮ଟି ଜିଲ୍ଲାରେ ୧୭, ୮୧୭ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଆବଶ୍ୟକ ହେଲେ ଆଉ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ସେହିଭଳି ୨୧୯୮ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି, ଆଉ ୬୫୧ ଜଣଙ୍କୁ ସ୍ଥାନାନ୍ତରଣ କରାଯିବ । ସମୁଦାୟ ୨୮୪୯ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଉଛି ।

ବାତ୍ୟା ପରେ ଯେପରି ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ କରାଯିବ ସେଥିପାଇଁ ବିଦ୍ୟୁତ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ପରି ଇଞ୍ଜିନିୟରିଂ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । କୃଷି ବିଭାଗ ମଧ୍ୟ ବାତ୍ୟା ପରେ ଯେପରି ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦେବ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

​​​​​​​ମୁଖ୍ୟମନ୍ତ୍ରୀ କହିଲେ ଯେ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ସହିତ ଫୋନ ଯୋଗେ କଥା ହୋଇ ଓଡ଼ିଶା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ପରିସ୍ଥିତି ଦେଖି ବାତିଲ ହୋଇଥିବା ଟ୍ରେନଗୁଡ଼ିକର ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଥିଲେ।