ଭୁବନେଶ୍ୱର,୬/୧ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ବାର୍ତ୍ତା ଆସିଛି । ମୁଖ୍ୟମନ୍ତ୍ରୀ ସମସ୍ତ ଶୁଭେଚ୍ଛା ବାର୍ତ୍ତାକୁ ସାଦରେ ଗ୍ରହଣ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟବାସୀଙ୍କ ଏହି ଶୁଭେଚ୍ଛା ଓ ଆଶୀର୍ବାଦ ମୋତେ ରାଜ୍ୟର ସେବା କରିବା ପାଇଁ ଆହୁରି ଉତ୍ସାହ ପ୍ରଦାନ କରିବ। ଲୋକଙ୍କ ମୁଖ୍ୟ ସେବକ ଭାବରେ ଓଡ଼ିଶାର ବିକାଶ ସହିତ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ଉପରେ ମୁଁ ସବୁ ସମୟରେ ଗୁରୁତ୍ବ ଦେଇ ଆସିଛି । ଏହି ସ୍ନେହ, ଶ୍ରଦ୍ଧା ରାଜ୍ୟବାସୀଙ୍କ ସେବା ପାଇଁ ମୋର ମନୋବଳକୁ ଆହୁରି ଦୃଢ କରିବ ବୋଲି ସେ କହିଛନ୍ତି। ୨୦୩୬ ସୁଦ୍ଧା ଆମର ଯେଉଁ ସମୃଦ୍ଧ ଓଡିଶା ଲକ୍ଷ୍ୟ ରହିଛି, ସେହି ଲକ୍ଷ୍ୟ ହାସଲ ପାଇଁ ଆପଣ ମାନଙ୍କ ସ୍ନେହ, ଶୁଭେଚ୍ଛା ଓ ଆଶୀର୍ବାଦ ଆମକୁ ଆହୁରି ଶକ୍ତି ପ୍ରଦାନ କରିବ ।