ପୁରୀ,୧୬/୦୬: ମୁଖ୍ୟ ଶାସନ  ସଚିବ ମନୋଜ କୁମାର ଆହୁଜା ରବିବାର ଅପରାହ୍ଣରେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର  କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ । ତାଙ୍କୁ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର  ସାହୁ, ଓଏସ୍‌ଡି ଶୁଭ୍ରାଂଶୁ ଶେଖର ପାଢୀ ଓ  ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର  ମହାନ୍ତି ପ୍ରମୁଖ ସ୍ୱାଗତ କରିଥିଲେ । ଏହି  ଅବସରରେ ଶ୍ରୀ ଆହୁଜା ପ୍ରଥମେ ସିଂହଦ୍ୱାରକୁ ଯାଇ ଚିତ୍ର କାରୁକାର୍ଯ୍ୟକୁ ବୁଲି ଦେଖିଥିଲେ । ଠାକୁରଙ୍କ ଅଣସର ନୀତି ସମ୍ପର୍କରେ ବିସ୍ତୃତ  ଭାବେ ଆଲୋଚନା କରିଥିଲେ । ଧାର୍ଯ୍ୟ  ସମୟରେ ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ କରିବା  ଉପରେ ଗୁରୁତ୍ୱାରୋପ କରିଥିଲେ । ମାତ୍ର  ଠାକୁର ଅଣସର ଘରେ ଥିବାରୁ ଶ୍ରୀ ଆହୁଜା  ଶ୍ରୀମନ୍ଦିର ପରିସରକୁ ଯାଇନଥିଲେ । ଗସ୍ତ ସମୟରେ ତାଙ୍କ ଧର୍ମପତ୍ନୀ ଆରତୀ ଆହୁଜା  ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।  

ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା  ରଥଖଳାକୁ ଯାଇଥିଲେ । ତିନି ରଥର ନିର୍ମାଣ  କାର୍ଯ୍ୟ ୭୦ ପ୍ରତିଶତ ପହଞ୍ଚିଲାଣି । ଶ୍ରୀ ଆହୁଜା ରଥଖଳାରେ ରଥ ନିର୍ମାଣ ସମ୍ପର୍କରେ ତିନି  ରଥ ମୁଖ୍ୟ ବିଶ୍ୱକର୍ମା ଓ ଭୋଇ ସର୍ଦ୍ଦାରଙ୍କ  ସହ ସହିତ ଆଲୋଚନା କରିଥିଲେ । ଧାର୍ଯ୍ୟ  ସମୟ ପୂର୍ବରୁ ରଥନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ  ବୋଲି ବିଶ୍ୱକର୍ମାମାନେ ମତ ଦେଇଥିଲେ । ବର୍ଷା  ହେଉଥିବା ସତ୍ତେ୍ୱ ବିଶ୍ୱକର୍ମାମାନେ ରଥ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଥିବା ଦେଖି ବର୍ଷାରେ ଓଦା ନ  ହେବାକୁ ପରାମର୍ଶ ଦେଇଥିଲେ । ବର୍ଷା ଛାଡ଼ିଲା  ପରେ ରଥ ନିର୍ମାଣ କାର୍ଯ୍ୟ କରିବାକୁ ପରାମର୍ଶ  ଦେଇଥିଲେ । ଏହି ସମୟରେ ଶ୍ରୀମନ୍ଦିର  ପ୍ରଶାସନିକ ଅଧିକାରୀ, ସୁରକ୍ଷା ଅଧିକାରୀ  ଓ ରଥ ତତ୍ତ୍ୱାବଧାରକ ଉପସ୍ଥିତ ଥିଲେ ।