ଭୁବନେଶ୍ୱର, ୧୪।୫: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅର୍ଥ ବିଭାଗ ପକ୍ଷରୁ ଗତ ଅପ୍ରେଲ ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗର ବ୍ୟୟ ସମେତ ରାଜସ୍ୱ ଆଦାୟ ସ୍ଥିତି ସମୀକ୍ଷା କରାଯାଇଥିଲା । ବୈଠକରେ ବିଭିନ୍ନ ଭିତ୍ତିଭୂମି କ୍ଷେତ୍ର, ସାମାଜିକ, କୃଷି ଓ ଉଦୀୟମାନ କ୍ଷେତ୍ରରେ ବ୍ୟୟ ସ୍ଥିତି ଅନୁଧ୍ୟାନ କରାଯାଇ କାର୍ଯ୍ୟ ଓ ଖର୍ଚ୍ଚ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବଜେଟରେ ଯେଉଁସବୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି, ତାହାକୁ ଅଗ୍ରାଧିକାର ଦେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।
ଜଳଜୀବନ ମିଶନ-୨.୦ ମାଧ୍ୟମରେ ନିରନ୍ତର ଗ୍ରାମୀଣ ପାନୀୟ ଜଳ ଯୋଗାଣ ଏବଂ ଏଥିରେ ସଂପୃକ୍ତ ବିଭିନ୍ନ ବିଭାଗର ସହଯୋଗ ଓ ସମନ୍ୱୟ ସଂପର୍କରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଉପସ୍ଥାପନ କରିଥିଲେ ।
ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି. “ଓଡ଼ିଶା ଭିଜନ” ଲକ୍ଷ୍ୟ ନେଇ ଜିଲ୍ଲାର ୨୫ ଟି ପ୍ରମୁଖ ପଦକ୍ଷେପ ସଂପର୍କରେ ଏକ ଉତ୍ସାହଜନକ ଓ ଦୂରଦର୍ଶୀ ରୋଡମ୍ୟାପ ଉପସ୍ଥାପନ କରିଥିଲେ। ଗୋପାଳପୁରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ବିକଶିତ କରିବା, ‘ବାହୁଦା’ ଗଭୀର ସମୁଦ୍ର ବନ୍ଦରର ବିକାଶ, ବୃହତ୍ ବ୍ରହ୍ମପୁର ମହାନଗର ନିଗମର ସାମଗ୍ରିକ ଉନ୍ନତି, ପିପଲପଙ୍କା ଜଳସେଚନ ପ୍ରକଳ୍ପ, ଆୟ୍ୟପଲ୍ଲୀ ମାଛଧରା ବନ୍ଦର, ଜାତୀୟ ରାଜପଥ-୧୬ ର ସଂପ୍ରସାରଣ ଓ ଏହାକୁ ୬ ଲେନ୍ ବିଶିଷ୍ଟ କରାଯିବା, ଋଷିକୂଲ୍ୟାରେ କଂସାରୀଗଣ୍ଡ ଅନ୍ତଃ-ନଦୀ ଜଳାଶୟ ପ୍ରକଳ୍ପ, ଜିଲ୍ଲାର ବାକି ରହିଥିବା ସବୁ ବ୍ଲକକୁ ମେଗା ପାଇପ ଜଳଯୋଗାଣ ସୁବିଧା, ବ୍ରହ୍ମପୁର ବାଇପାସ ରୋଡ଼ ନିର୍ମାଣ ଶେଷ କରାଯିବା ସଂପର୍କରେ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ ।
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ଏମସ ପ୍ଲସ୍ ବର୍ଗରେ ସୁପରସ୍ପେସିଆଲିଟି ଚିକିତ୍ସାଳୟ ସୁବିଧା, ଗଂଜାମରେ ଟେକ୍ସଟାଇଲ ପାର୍କ ସ୍ଥାପନ, କିଆଫୁଲ ସଂଗ୍ରହରୁ ଅତର ପ୍ରସ୍ତୁତି କରାଯାଉଥିବା ଆନୁଷ୍ଠଙ୍ଗିକ ଶିଳ୍ପକୁ ପ୍ରୋତ୍ସାହନ, କଳିଙ୍ଗ ଷ୍ଟାଡିଅମ୍ ମଡେଲରେ ବ୍ରହ୍ମପୁରରେ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣ, ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ, ମା ତାରିଣୀ ରିଭର ଫ୍ରଣ୍ଟ ବିକାଶ ପ୍ରକଳ୍ପ, ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ, ମଡେଲ ଅଙ୍ଗନବାଡି କେନ୍ଦ୍ର ଓ ଶିଶୁ ବାଟିକା, ପର୍ୟ୍ୟଟନ କ୍ଲଷ୍ଟର, ଶୁଖୁଆ ଉତ୍ପାଦନଭିତ୍ତିକ ଆନୁଷ୍ଠଙ୍ଗିକ ଶିଳ୍ପକୁ ପ୍ରୋତ୍ସାହନ, ବିଭିନ୍ନ ସଡ଼କ ଭିତ୍ତିଭୂମିର ଉନ୍ନତିକରଣ ସହ ସଡ଼କ ସୁରକ୍ଷାକୁ ପ୍ରାଥମିକତା, ସ୍ୱାସ୍ଥ୍ୟସେବା, ଆଦର୍ଶ ପାକ୍ସ, ଲାମ୍ପ୍ସ ନିର୍ମାଣ, ଜିଲ୍ଲାରେ ନିଯୁକ୍ତି ଓ ଜୀବିକା ନିର୍ବାହ କାର୍ୟ୍ୟକ୍ରମର ବ୍ୟାପକ ସୁଯୋଗ ସୃଷ୍ଟି କରାଯାଇ ଶ୍ରମିକମାନଙ୍କ ବାଧ୍ୟତାମୂଳକ ପ୍ରବାସକୁ ହ୍ରାସ କରିବା ଆଦି ୨୫ ଟି ପ୍ରମୁଖ ପଦକ୍ଷେପ ସଂପର୍କରେ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ । ସମସ୍ତ ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟ ସୀମା ଭିତରେ ସାରିବା ପାଇଁ ସେ ମଧ୍ୟ ରୋଡ୍ ମ୍ୟାପରେ ଦର୍ଶାଇଥିଲେ । ବ୍ରହ୍ମପୁର ସହରର ଅତ୍ୟଧିକ ଭିଡ କମାଇବା ପାଇଁ ପୁନର୍ବିକାଶ ସଂପର୍କିତ ଆଲୋଚନା ସହ ଏମ୍ଏସ୍ଏମଇ କ୍ଲଷ୍ଟର ନିର୍ମାଣ ଆଦି ସଂପର୍କରେ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ ।
ଆହୁରି ପଢନ୍ତୁ : ସଂଗଠିତ ଅପରାଧକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ