ଭୁବନେଶ୍ବର, ୪।୫ : ଓଡ଼ିଶାରେ ଶିଶୁ ଅଧିକାର ସୁରକ୍ଷାକୁ ଆଉ ମଜବୁତ କରିବା ପାଇଁ ବଡ଼ ପଦକ୍ଷେପ। ମେ ୬ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଶିଶୁ ଶ୍ରମିକ ମୁକ୍ତ ଅଭିଯାନ। କେନ୍ଦୁଝର ଜିଲ୍ଲାରୁ ଏହି ଅଭିଯାନର ଶୁଭାରମ୍ଭ ହେବ। ଶ୍ରମ ମନ୍ତ୍ରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ବବିତା ପାତ୍ର କହିଛନ୍ତି।
ଶିଶୁମାନଙ୍କ ସୁରକ୍ଷା ପାଇଁ ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ କଡାକଡି ଲାଗୁ କରାଯାଉଛି। ସ୍କୁଲ ଡ୍ରପଆଉଟ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। "ଚାଲ ଘରକୁ ଯିବା" ଅଭିଯାନ ମାଧ୍ୟମରେ ଯେଉଁ ପିଲାମାନେ ସ୍କୁଲକୁ ଯାଉନାହାନ୍ତି, ସେମାନଙ୍କୁ ପୁଣିଥରେ ଶିକ୍ଷା ପରିସରକୁ ଆଣିବାରେ ଜୋର ଦିଆଯିବ ବୋଲି ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଏହା ସହିତ ଡ୍ରପଆଉଟ, ଶିଶୁ ବିବାହ ଓ ଶିଶୁ ଚାଲାଣକୁ ରୋକିବାକୁ ବିଶେଷ ଅଭିଯାନ ଚାଲିବ।
ଶିଶୁ ଚାଲାଣ ରୋକିବା ପାଇଁ ଟାସ୍କ ଫୋର୍ସ ଗଠନ କରାଯାଇଛି। ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ ନଜର ରଖାଯାଇଛି ବୋଲି ଆୟୋଗ ସୂଚନା ଦେଇଛି। ଏହାସହ ଅନଲାଇନ ସେଫ୍ଟି ଫର ଚିଲ୍ଡ୍ରେନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲ ସ୍ତରରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।