କଟକ,୨୨/୦୪ : ସଞ୍ଜ ନଇଁଲେ ପିଚୁ ତରଳାଇବା ପାଇଁ ରାସ୍ତାରେ ଭାଟି ଜଳୁଛି । ଭାଟିରେ ପିଚୁ ତରଳାଇବାଠାରୁ ଆରମ୍ଭ କରି ଚିପସ୍, ବଜୁରୀକୁ ଗରମ ପିଚୁରେ ଗୋଳାଇବା ଏବଂ ତରଳ ପିଚୁକୁ ନେଇ ରାସ୍ତାରେ ଢାଳିବା ଆଦି ନାନାଦି କାମ କରୁଛନ୍ତି ଶିଶୁ ଶ୍ରମିକ । ପୂର୍ତ୍ତ ବିଭାଗର ରାସ୍ତା ମରାମତି କାମରେ ରାତିସାରା ଏମାନେ ନିୟୋଜିତ ରହୁଛନ୍ତି । ଦୋଳମୁଣ୍ଡାଇଠାରୁ ଆରମ୍ଭ କରି ପିଠାପୁର ଆଦି ଅଞ୍ଚଳରେ ପୂର୍ତ୍ତ ବିଭାଗର ରାସ୍ତା ମରାମତି କାମରେ ବହୁ ଶିଶୁ ଶ୍ରମିକ କାମ କରୁଥିବା ଦେଖିବାକୁ ମିଳିଛି ।
ବିଡ଼ମ୍ବନା ହେଉଛି, କୋଟି କୋଟି ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ଏହି ରାସ୍ତା ମରାମତି କାର୍ଯ୍ୟ ଠିକାଦାର ମର୍ଜିରେ ଚାଲିଛି । ରାସ୍ତା ମରାମତି କାମ ରାତି ୧୧ଟା ପରେ ଆରମ୍ଭ ହେଉଛି । କାମ ପାଖରେ ବିଭାଗ ପକ୍ଷରୁ କୌଣସି ଯନ୍ତ୍ରୀ କିମ୍ବା ୱାର୍କ ସର୍କାରଙ୍କୁ ଦେଖିବାକୁ ମିଳୁନାହିଁ । ୱାର୍କ ସର୍କାର ରହିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କ ଅନୁପସ୍ଥିତିରେ କାମ ଚାଲିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଇଞ୍ଜିନିୟରିଂ ସେକ୍ସନର କର୍ମଚାରୀ ରହୁନଥିବାରୁ ଠିକା ସଂସ୍ଥା ଶ୍ରମ ଆଇନ ସହ ଶିଶୁ ଏବଂ କିଶୋର ଶ୍ରମ (ନିଷେଧ ଏବଂ ନିୟନ୍ତ୍ରଣ) ଆଇନର ଖୋଲା ଉଲ୍ଲଂଘନ କରୁଥିବାର ଦେଖିବାକୁ ମିଳୁଛି । ୧୪ ବର୍ଷରୁ କମ୍ ବୟସର ୧୦ରୁ ଅଧିକ ପିଲା ଏବେ ରାସ୍ତା ମରାମତି ତଥା ତତଲା ପିଚୁ ଢାଳିବା କାମରେ ନିୟୋଜିତ ଦେଖିବାକୁ ମିଳୁଛି । ରାତିସାରା କାମ କରୁଥିବା ପିଲାଙ୍କୁ ମାତ୍ର ଦୁଇ ଶହ ଟଙ୍କା ମଜୁରି ଦିଆଯାଉଛି । କାମ ସନ୍ତୋଷଜନକ ଥିଲେ ହିଁ ଦୁଇ ଶହ ମିଳୁଛି । କାମକୁ ନେଇ ଠିକା ସଂସ୍ଥା କର୍ମଚାରୀ ଅସନ୍ତୋଷ ହେଲେ ପାରିଶ୍ରମିକ କମ୍ ମିଳୁଛି । ରାସ୍ତାରେ ଗରମ ପିଚୁ ଢଳାହେବା ମାତ୍ରେ ତା’ ଉପରେ ଧାଡ଼ିକୁ ଧାଡ଼ି ଚିପସ୍ ଥୋଇ ପୋତିବା କାମ ପିଲାଙ୍କ ଦ୍ୱାରା କରାଯାଉଛି ।
ଜଣେ ଶିଶୁ ଶ୍ରମିକଙ୍କ କହିବା କଥା, ସହରରେ ଦୁଇ ମାସରୁ ଅଧିକ ସମୟ ହେଲା ଆମେ ଏହି କାମ କରୁଛୁ । କାମ ବାବଦରେ ପ୍ରତିଦିନ ମଜୁରି ମିଳୁନାହିଁ । ୪/ ୫ ଦିନ କାମ କରିସାରିବା ପରେ ଟଙ୍କା ମିଳୁଛି । ମୋତେ ଯେଉଁ ଲୋକ ଆଣି ପିଚୁ ତରଳା ଏବଂ ରାସ୍ତାରେ ଗରମ ପିଚୁ ଢାଳିବା କାମରେ ନିୟୋଜିତ କରାଇଛନ୍ତି ସେ ମଜୁରି ଟଙ୍କା ନେଇ ଆମ ଘରେ ଦେଉଛନ୍ତି । ଛୋଟ ପିଲାଙ୍କୁ ରାତିସାରା ଗରମ ପିଚୁ ଢାଳିବା ପରି କଠିନ ଓ ବିପଦପୂର୍ଣ୍ଣ କାମରେ ନିୟୋଜିତ କରାଯାଉଥିଲେ ହେଁ ଏ ଦିଗରେ ପୂର୍ତ୍ତ ବିଭାଗ, ପ୍ରଶାସନର ନଜର ନପଡ଼ିବା ଦୁର୍ଭାଗ୍ୟଜନକ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ଦୋଳମୁଣ୍ଡାଇ ଛକ ନିକଟସ୍ଥ ସହରର ଏହି ରାସ୍ତାରେ ରାତିରେ ପୁରୀଘାଟ ପୁଲିସ ଓ ବାଦାମବାଡ଼ି ଥାନା ପୁଲିସ କର୍ମଚାରୀ ପାଟ୍ରେଲିଂରେ ନିୟୋଜିତ ଅଛନ୍ତି । ପୁଲିସ ଆଖି ଆଗରେ ଶିଶୁ ଏବଂ କିଶୋର ଶ୍ରମ (ନିଷେଧ ଏବଂ ନିୟନ୍ତ୍ରଣ) ଆଇନର ଉଲ୍ଲଂଘନ ହେଉଥିଲେ ବି କାର୍ଯ୍ୟାନୁଷ୍ଠାନ ଶୂନ । ବାଦାମବାଡ଼ି ମୁଖ୍ୟ ରାସ୍ତାଠୁ ଆରମ୍ଭ କରି ଦୋଳମୁଣ୍ଡାଇ, ପିଠାପୁର ଆଦି ଆଖପାଖରେ ରାସ୍ତା କାର୍ଯ୍ୟ ଚାଲିଥିଲେ ହେଁ ଜନସାଧାରଣଙ୍କ ଅବଗତି ଓ ତଥ୍ୟ ସୂଚନା ଆଦି ଜାଣିବା ପାଇଁ ସୂଚନା ଫଳକ ଲଗାଇବା ବ୍ୟବସ୍ଥା ଥିଲେ ହେଁ ତାହାର ବ୍ୟତିକ୍ରମ ହୋଇଛି । ରାତିରେ ଶିଶୁ ଶ୍ରମିକମାନଙ୍କୁ ରାସ୍ତା ମରାମତି ପାଇଁ ଗରମ ପିଚୁ ଢାଳିବା କାର୍ଯ୍ୟରେ ନିୟୋଜିତ କରିବା ସମ୍ପର୍କରେ ପୂର୍ତ୍ତ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଇଂ. ଏମଡି. ସାହାବାଜ୍ଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଘଟଣା ସମ୍ପର୍କରେ ଅବଗତ ନାହିଁ । ବୁଝିଲା ପରେ ଯାହା କହିବି ।
ଏହି ଖବରଟିକୁ ପଢନ୍ତୁ- ଲେନ୍ ଡ୍ରାଇଭିଂ ନିୟମକୁ ଫୁ, ଭାରୀଯାନ କବଜାରେ ରାସ୍ତା, ଛୋଟ ଗାଡିଙ୍କୁ ଦଳିଦେଇ ଫେରାର୍