ଭୁବନେଶ୍ୱର, ୨୨/୦୪ : ପମ୍ପଚର ଯୋଗୁ ଜାତୀୟ ରାଜପଥ(ଏନ୍ଏଚ୍)-୧୬ ରାସ୍ତାକଡ଼ରେ ଅଟକିଥିବା ମିନିଟ୍ରକକୁ ଏକ ଭାରୀଯାନ(ଟ୍ରଲର) ଧକ୍କା ଦେଲା । ଆଉ ମିନିଟ୍ରକ ତଳେ ଶୋଇ ପମ୍ପଚର ମାରୁଥିବା ହେଲପର୍ ମନୋଦ ସିଦ୍ଧାର ଚକ ତଳେ ଦଳି ହୋଇଗଲେ । ସୋମବାର ଅପରାହ୍ଣରେ ତମାଣ୍ଡୋ ଓଭରବ୍ରିଜରେ ଘଟିଥିବା ଏଭଳି ଭୟଙ୍କର ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ଲେନ୍ ଡ୍ରାଇଭିଂକୁ ବେଖାତିର୍ । କେବଳ ତମାଣ୍ଡୋର ଦୁର୍ଘଟଣା ନୁହେଁ, ଲେନ୍ ଡ୍ରାଇଭିଂ ନିୟମକୁ ଦଳିମକଚି ଭାରୀଯାନଗୁଡିକ ଏନ୍ଏଚରେ ଶହ ଶହ ଦୁର୍ଘଟଣା ଘଟାଉଛନ୍ତି । ଜାତୀୟ ରାଜପଥରେ ଟ୍ରଲର, ଡମ୍ଫର, ହାଇୱା ଭଳି ଭାରୀଯାନଗୁଡିକ ଏନ୍ଏଚର ୩ଟି ଲେନକୁ କବ୍ଜାକୁ ନେଇଯାଉଛନ୍ତି । ମନଇଚ୍ଛା ଦ୍ରୁତଗତିରେ ଗାଡି ଚଳାଉଛନ୍ତି । ଅତିକ୍ରମ କରୁଛନ୍ତି । ସାମ୍ନାରେ ଯାଉଥିବା ବାଇକ୍ ଆରୋହୀଙ୍କୁ ଦଳି ଦେଇ ଫେରାର୍ ହୋଇଯାଉଛନ୍ତି । ଏସବୁ ଭାରୀଯାନ ଚାଳକଙ୍କ ମନମାନିକୁ ଚେକ୍ ଦେବାକୁ କାହାରି ତର ନାହିଁ ।

ମୋଟର ଯାନ ଚଳାଇବା ନିୟମ-୨୦୧୭ ମୁତାବକ, ଜାତୀୟ ରାଜପଥ(ଏନ୍ଏଚ୍) ର ବାମପାର୍ଶ୍ୱରୁ ପ୍ରଥମ ଲେନ୍ଟି ବ୍ରେକ୍ ଡାଉନ୍ ହୋଇଥିବା ଗାଡି ଓ ଜରୁରୀ ସେବା ଗାଡି ପାଇଁ ଉର୍ଦ୍ଦିଷ୍ଟ । ଏହି ଲେନଟି ଧଳା ରଙ୍ଗର ମାର୍କିଂ ଯାଏଁ ଲମ୍ବିଛି । ତା’ ପରଠୁ ଏନ୍ଏଚ୍-୧୬ର ୩ଟି ଲେନ୍ ରହିଛି । ବାମପାର୍ଶ୍ୱରୁ ପ୍ରଥମ ଲେନ୍ଟିରେ ଭାରୀଯାନ ତଥା ଧୀର ଗତିରେ ଯାଇଥିବା ଗାଡି ପାଇଁ ଉଦ୍ଦିଷ୍ଟ । ରାସ୍ତା ମଝି ଡିଭାଇଡରକୁ ଲାଗିକି ଥିବା ଡାହାଣ ପାର୍ଶ୍ୱ ଲେନରେ ଭାରୀଯାନ ଆଦୌ ଯାଇପାରିବନି । ବିଶେଷକରି, ସହରାଞ୍ଚଳରେ ଲେନ୍ ଡ୍ରାଇଭିଂ ନିୟମ ମାନିବା ନିହାତି ଜରୁରୀ । କାହିଁକି ନା, ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ଏନ୍ଏଚରେ ଗଡୁଥିବା ଦୁଇ/ତିନି/ଚାରି ଚକିଆ ଯାନ ସଂଖ୍ୟା ଢ଼େର୍ ଅଧିକ ।

କଟକରୁ ଭୁବନେଶ୍ୱର ଦେଇ ଖୋର୍ଦ୍ଧା ଯାଏଁ ଲମ୍ବିଥିବା ଏନ୍ଏଚ୍-୧୬ରେ ବହୁ ଟ୍ରାଫିକ । କିନ୍ତୁ ଭାରୀଯାନ ଚାଳକ ବେପରୁଆ ହୋଇ ଗାଡ଼ି ଚଳାଉଛନ୍ତି । ନିୟମକୁ ଫୁ କରି ଉଡାଇ ଦେଉଛନ୍ତି । ତତ୍କାଳୀନ ଡିସିପି(ଟ୍ରାଫିକ୍) ସାଗରିକା ନାଥ ୨୦୨୦ରେ କଟକରୁ ଭୁବନେଶ୍ୱର ଯାଏ ଲେନ୍ ଡ୍ରାଇଭିଂ ନିୟମକୁ କଡ଼ାକଡି କରିଥିଲେ । ବିଶେଷକରି, ଭାରୀଯାନଗୁଡିକୁ ବାମପାର୍ଶ୍ୱରେ ଯିବା ପାଇଁ ତାଗିଦ୍ କରାଯାଇଥିଲା । ଲେନ୍ ଡ୍ରାଇଭିଂ ନିୟମାବଳୀ ସହ ହୋର୍ଡିଂ ମଧ୍ୟ ଖଞ୍ଜାଯାଇଥିଲା । ସମୟକ୍ରମେ ଏହି ନିୟମ କୁଆଡ଼େ ଉଭାନ ହୋଇଗଲା । ଏହି ନିୟମ ଉଲ୍ଲଂଘନକାରୀଙ୍କୁ ତାଗିଦ୍ କରିବାକୁ କେହି ରହିଲେନି ।

ଏହି ଖବରଟିକୁ ପଢନ୍ତୁ- ଖୁବଶୀଘ୍ର ଲାଗୁ ହୋଇପାରେ ଗାଡ଼ି ପୃଥକୀକରଣ ନିୟମ, ଓଡ଼ିଶାରୁ ହଟିବ ୮ ଲକ୍ଷ ଗାଡି