ପୁରୀ, ୨୧/୦୫: ପୁରୀରେ ପିଲାଚୋର । ପୁଣି ସବୁଠାରୁ ଅଧିକ ଜନଗହଳିପୂର୍ଣ୍ଣ ବଡ଼ଦାଣ୍ଡର ଅତି ନିକଟରେ । ବୁଧବାର ରାତି ପ୍ରାୟ ସାଢ଼େ ୧୦ଟାରେ ମାର୍କେଟ ଛକ ପାର୍ଶ୍ବରେ ଘଟିଛି ଏହି ଅଘଟଣ । ଜଣେ ଅଚିହ୍ନା ଯୁବକ ସାଙ୍ଗରେ ଆଣିଥିବା ଶିଶୁ ପୁତ୍ରକୁ ବରା ଖାଇବାକୁ ଦେଇ ମାଡ଼ ମାରି ଭିଡ଼ି ନେଉଥିଲା । ପୁଅଟି ଜୋର୍‌ରେ କାନ୍ଦିଥିଲା । ଏହି ଦୃଶ୍ୟ ପୁଅଟିକୁ ଚିହ୍ନିଥିବା ଜଣେ ମହିଳାଙ୍କ ହାବୁଡ଼ରେ ପଡ଼ିଥିଲା । ମହିଳା ଜଣକ ପଚରାଉଚରା କରି କଥା ଜଣାପଡ଼ିବା ପରେ ଲୋକେ ଜମା ହୋଇଥିଲେ । ପିଲା ଚୋରି ଜାଣିବା ପରେ ଉତ୍ତମମଧ୍ୟମ ଦେଇ ସ୍ଥାନୀୟ ଲୋକେ ଯୁବକକୁ ପୁଲିସ ଜିମା ଦେଇଥିଲେ । କୁମ୍ଭାରପଡ଼ା ଥାନା ଓ ଟାଉନ୍ ଥାନାର ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛୋଟ ଛୁଆଟିକୁ ଉଦ୍ଧାର କରିଥିଲେ । ପୁଲିସ ପିଲାଟିକୁ ବାପା-ମା'ଙ୍କ ନିକଟରେ ସୁରକ୍ଷିତ ଛାଡ଼ିଛି । ଉକ୍ତ ବ୍ୟକ୍ତିଙ୍କୁ କୁମ୍ଭାରପଡ଼ା ଥାନାରେ ଅଟକ ରଖାଯାଇଛି । ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି । ଆଇନ ଅନୁସାରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ସନ୍ଦିଗ୍ଧ ଯୁବକ ହେଲା ଫୁଲବାଣୀ ଅଞ୍ଚଳର ସଞ୍ଜୟ ନାୟକ ।

ମିଳିଥିବା ସୂଚନା ମୁତାବକ, ଅପହରଣ କରାଯାଉଥିବା ଶିଶୁପୁତ୍ରଟି ମାତ୍ର ୪ ବର୍ଷର । ତାଙ୍କ ଘର ନରେନ୍ଦ୍ର କୋଣ ନିକଟରେ । କେଉଁ ପ୍ରକାରେ ସଞ୍ଜୟ ହାତକୁ ଶିଶୁଟି ଚାଲିଗଲା ଜଣାପଡ଼ିନି । ରାତି ପ୍ରାୟ ୧୦ଟା ହେବ । ଗୋବିନ୍ଦ ଚନ୍ଦ୍ର ରଥଙ୍କ ପୁଅ ହଜିଥିବା ହୁରି ପଡ଼ିଗଲା । ସାହି ପଡ଼ିଶା ଲୋକେ ଚାରିଆଡ଼େ ଖୋଜାଖୋଜି ଆରମ୍ଭ କଲେ । ତାଙ୍କ ଘରଠାରୁ ମାତ୍ର ୭୦ ମିଟର ଦୂର ବଡ଼ଦାଣ୍ଡ ମାର୍କେଟ ଛକ । ଏହି ଭିତରେ ଉକ୍ତ ଶିଶୁ ପୁତ୍ରକୁ ଧରି ସଞ୍ଜୟ ସେଠାରେ ପହଞ୍ଚି ସାରିଥିଲା । ନିକଟସ୍ଥ ଏକ ଦୋକାନରେ ପୁଅଟିକୁ ବରା ଖୁଆଇ ଡରାଇ ନେଉଥିବାବେଳେ ଧରା ପଡ଼ିଥିଲା । ଏହି ସମୟରେ ଶିଶୁକୁ ଖୋଜୁଥିବା ପରିବାର ତଥା ସାହିପଡ଼ିଶା ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଜଣେ ମୁରବିଙ୍କ କହିବା ଅନୁଯାୟୀ, ପିଲାଟି ରାସ୍ତାରେ ଖେଳାଖେଳି କରେ । ରାତି ଓ ନିରୋଳା ଦେଖି ଅଭିଯୁକ୍ତ ତାକୁ କୌଣସି ପ୍ରକାରେ ସାଙ୍ଗରେ ନେଇଯାଇଛି । ତାକୁ ବିକ୍ରି କରିବା ଉଦ୍ଦେଶ୍ୟରେ ହିଁ ନେଇଥିଲା । ବାଟରେ ତାକୁ ଏକ ହୋଟେଲରେ ବସାଇ ବରା ଖାଇବାକୁ ଦେଇଛି । ସାଙ୍ଗରେ ଯିବାକୁ ତାକୁ ଟାଣିଛି । ପିଲାଟି ଅମଙ୍ଗ ହେବାରୁ ଅଭିଯୁକ୍ତ ପୁଅର ଗାଲକୁ ଚାପୁଡ଼ାଏ କସିଛି । ପିଲାର ମୁହଁରେ ନାଲି ଦାଗ ରହିଛି । ସାହି ଲୋକେ ତାକୁ ଧରି ପୁଲିସ ଜିମା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ :- Rath Khala Update: ରଥଖଳାରେ ଆଗେଇ ଚାଲିଛି ଚଉତା ବିନ୍ଧ ଓ ଅଖ ନିର୍ମାଣ, ଖୁବ୍‌ଶୀଘ୍ର ଆରମ୍ଭ ହେବ ଦଣ୍ଡା ନିର୍ମାଣ