ଅନୁଗୁଳ,୧୦/୦୯: କଣିହାଁ ବ୍ଲକ୍ ରେଙ୍ଗାଳି ଥାନା ଭାଲିଆବେଡ଼ା ଗ୍ରାମରେ ପିଲା ଚୋରି ନେଇ ମଙ୍ଗଳବାର ପୂର୍ବାହ୍ନରେ ହଇଚଇ ଖେଳିଯାଇଥିଲା । ପିଲା ଚୋରି ଅଭିଯୋଗରେ ସେହି ରାସ୍ତା ଦେଇ ଯାଉଥିବା ବାବା ବେଶଧାରୀ ୯ ଜଣଙ୍କୁ ପୁଲିସ ଅଟକ ରଖିଛି । ସେମାନଙ୍କ ଦ୍ୱାରା ବ୍ୟବହୃତ ଦୁଇଟି କାର୍ ଜବତ ହୋଇଛି । ସମସ୍ତ ସନ୍ଦିଗ୍ଧଙ୍କ ଘର ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ହୋଇଥିବା ବେଳେ ସେମାନଙ୍କ ଗତିବିଧି, କାର୍ଯ୍ୟକଳାପ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି ବୋଲି ପୁଲିସ ପ୍ରକାଶ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୯ଟା ବେଳେ ଭାଲିଆବେଡା ଗ୍ରାମର ଅଷ୍ଟମ ଶ୍ରେଣୀର ଦୁଇ ଜଣ ଛାତ୍ର ସତ୍ୟପ୍ରକାଶ ଓ ଯୁବରାଜ ସ୍କୁଲ ଅଭିମୁଖେ ଯାଉଥିବା ବେଳେ ସେହି ରାସ୍ତାରେ ଦୁଇଟି କାର୍ରେ ଯାଉଥିବା ଏହି ସନ୍ଦିଗ୍ଧମାନେ ସତ୍ୟପ୍ରକାଶଙ୍କୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ । ଯୁବରାଜ ସେମାନଙ୍କ କବଳରୁ ଖସି ଆସିବା ସହ ପାଟି କରିଥିଲେ । ପିଲାଙ୍କ ପାଟି ଶୁଣି ଗ୍ରାମବାସୀ ସେମାନଙ୍କୁ ଅଟକ ରଖି ପୁଲିସକୁ ଜଣାଇଥିଲେ । ଆଠ ଜଣଙ୍କ ଘର ମଧ୍ୟପ୍ରଦେଶ ଓ ଜଣକର ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି । ବାସ୍ତବରେ ସେମାନେ କେଉଁ ଉଦ୍ଦେଶ୍ୟରେ ଭାଲିଆବେଡ଼ା ରାସ୍ତାରେ ଆସିଥିଲେ ତଦନ୍ତ କରାଯାଉଛି ବୋଲି ପୁଲିସ ପ୍ରକାଶ କରିଛି ।