ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଭୟଙ୍କର ଭାବେ ପ୍ରଭାବିତ ହେଉଛି ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ଶିକ୍ଷା, ୫ କୋଟି ୪୮ ଲକ୍ଷ ପିଲା ପ୍ରଭାବିତ ହୋଇଥିବା ୟୁନିସେଫ୍‌ ରିପୋର୍ଟରୁ ପ୍ରକାଶ

Published By : Prameya | January 25, 2025 8:48 AM

ନୂଆଦିଲ୍ଲୀ ୨୫/୦୧: ତାପମାତ୍ରା ବୃଦ୍ଧି, ବାୟୁ ପ୍ରଦୂଷଣ ସମେତ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ବିପର୍ଯ୍ୟୟ ଯୋଗୁ ଭାରତରେ ଭୟଙ୍କର ଭାବେ ପ୍ରଭାବିତ ହେଉଛି ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ଶିକ୍ଷା । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ କେବଳ ୨୦୨୪ରେ ଭାରତରେ ପ୍ରାୟ ୫ କୋଟି ୪୮ ଲକ୍ଷ ପିଲା ପ୍ରଭାବିତ ହୋଇଥିବା ୟୁନିସେଫ୍‌ ପକ୍ଷରୁ ଶୁକ୍ରବାର ରିପୋର୍ଟ ପ୍ରକାଶ ପାଇଛି । 

ଜଳବାୟୁ ପରିବର୍ତ୍ତନ କାରଣରୁ ବନ୍ୟା, ବାତ୍ୟା, ଭୂସ୍ଖଳନ ଭଳି ବିପର୍ଯ୍ୟୟ କେବଳ ପିଲାଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇନାହିଁ ବରଂ ଦେଶର ବହୁସଂଖ୍ୟାରେ ସ୍କୁଲ କ୍ଷତିଗ୍ରସ୍ତ ହେବା ଯୋଗୁ ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଏଥିରେ କୁହାଯାଇଛି । କେବଳ ଭାରତ ନୁହେଁ ଗତବର୍ଷ ୮୫ ଦେଶରେ ଅନ୍ୟୁନ ୨୪୨ ମିଲିୟନ ବା ପ୍ରାୟ ୨୪ କୋଟି ୨୦ ଲକ୍ଷ ପିଲାଙ୍କ ଶିକ୍ଷା ଏଭଳି ବିପର୍ଯ୍ୟୟ ଯୋଗୁ ପ୍ରଭାବିତ ହୋଇଛି । ଅର୍ଥାତ ୨୦୨୪ରେ ଦୁନିଆରେ ପ୍ରତି ୭ ଜଣରୁ ଜଣେ ସ୍କୁଲ ଯାଉଥିବା ଶିଶୁ କୌଣସି ପ୍ରକାରର ଜଳବାୟୁ ପରିବର୍ତ୍ତନ ଜନିତ ବିପଦ କାରଣରୁ ସ୍କୁଲ ଯାଇପାରିନାହାନ୍ତି । କେତେକ ଦେଶରେ ବିପର୍ଯ୍ୟୟ କାରଣରୁ ଶହ ଶହ ସ୍କୁଲ ଭାଙ୍ଗିରୁଜି ଯାଇଛି । 

ବର୍ଷର ଶେଷ ଆଡ଼କୁ ଇଟାଲୀରେ ମୂଷଳଧାରାରେ ବର୍ଷା ଏବଂ ବନ୍ୟା ୯ ଲକ୍ଷରୁ ଅଧିକ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରିଥିଲା । ସ୍ପେନ୍‌ରେ ବିନାଶକାରୀ ବନ୍ୟା ପରେ ହଜାର ହଜାର ପିଲା ଉପର ଶ୍ରେଣୀକୁ ଯାଇପାରିନାହାନ୍ତି । ଦକ୍ଷିଣ ୟୁରୋପ ଭୟଙ୍କର ବନ୍ୟାର ସାମ୍‌ନା କରିଥିଲା । ଏସିଆ ଏବଂ ଆଫ୍ରିକାରେ ଏକାଧିକ ବାତ୍ୟା, ବନ୍ୟା ସହ ଗ୍ରୀଷ୍ମପ୍ରବାହ ସ୍କୁଲ ବନ୍ଦ କରାଯିବା ପଛର ପ୍ରମୁଖ କାରଣ ହୋଇଥିଲା । ୨୦୨୪ ଅଦ୍ୟାବଧି ପୃଥିବୀର ସର୍ବାଧିକ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ କରିଛି । 

ୟୁନିସେଫ ଆହୁରି କହିଛି ଯେ, କେବଳ ଏପ୍ରିଲ ମାସରେ ୧୧୮ ନିୟୁତ ବା ପ୍ରାୟ ୧୧ କୋଟି ୮୦ ଲକ୍ଷରୁ ଊଦ୍ଧ୍ୱର୍ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । କାରଣ ମଧ୍ୟପ୍ରାଚ୍ୟ ଏବଂ ଏସିଆର ବଡ଼ ଭାଗରେ ଭୟଙ୍କର ଗ୍ରୀଷ୍ମପ୍ରବାହ ଲାଗି ରହିଥିଲା । ଜଳବାୟୁ ସହ ଜଡ଼ିତ ସଙ୍କଟର ପ୍ରଭାବ ପିଲାଙ୍କ ଉପରେ ଅଧିକ ରହିଥାଏ । କାରଣ ପିଲାଙ୍କ ଶରୀର ଅଧିକ ସମ୍ବେଦନଶୀଳ ହୋଇଥାଏ । ପ୍ରବଳ ଗରମରେ ସେମାନଙ୍କ ଶରୀର ବୟସ୍କଙ୍କ ଭଳି ଝାଳ ସୃଷ୍ଟି କରିପାରି ନ ଥାଏ ଏବଂ ବୟସ୍କଙ୍କ ତୁଳନାରେ ଧୀରେ ଧୀରେ ଥଣ୍ଡା ହୋଇଥାଏ । ତେଣୁ ପ୍ରବଳ ଗରମରେ ସେମାନେ ପାଠପଢ଼ା ପ୍ରତି ଧ୍ୟାନ କେନ୍ଦ୍ରୀତ କରିପାରନ୍ତି ନାହିଁ । 

ସେହିପରି ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସେମାନେ ବାରମ୍ବାର ଅସୁସ୍ଥ ହେଉଛନ୍ତି । ଏଥିଯୋଗୁ ପିଲାମାନେ ଅନେକ ସମୟରେ ସ୍କୁଲ ଯିବା କଷ୍ଟକର ହୋଇପଡ଼ୁଛି । ସେହିପରି ବନ୍ୟା, ବାତ୍ୟାରେ ସ୍କୁଲ ଯିବା ପିଲାଙ୍କ ପାଇଁ ଅସମ୍ଭବ ହୋଇପଡ଼େ । ବିପଦ ଆଶଙ୍କା ଯୋଗୁ ଶିକ୍ଷାନୁଷ୍ଠାନ ବନ୍ଦ ମଧ୍ୟ କରାଯାଏ । ୨୦୨୪ରେ ପ୍ରଭାବିତ ପିଲାଙ୍କ ମଧ୍ୟରୁ ୭୪% ହେଉଛି ମଧ୍ୟ ଏବଂ ନିମ୍ନ ଆୟ ବିଶିଷ୍ଟ ଦେଶର । ଅର୍ଥାତ ଜଳବାୟୁ ପରିବର୍ତ୍ତନ ଯୋଗୁ ଗରିବ ଦେଶ ଭୟଙ୍କର ଭାବେ ପ୍ରଭାବିତ ହୋଇଛନ୍ତି । ଏପ୍ରିଲରେ ପାକିସ୍ତାନରେ ବନ୍ୟା ଯୋଗୁ ୪ଶହରୁ ଅଧିକ ସ୍କୁଲ ନଷ୍ଟ ହୋଇଯାଇଥିଲା । ଆଫଗାନିସ୍ତାନରେ ମେ’ରେ ଭୟଙ୍କର ଗ୍ରୀଷ୍ମପ୍ରବାହ ପରେ ବନ୍ୟା ଆସିଥିଲା, ଯେଉଁଥିରେ ୧୧୦ରୁ ଅଧିକ ସ୍କୁଲ ନଷ୍ଟ ହୋଇଥିଲା । ବିଶ୍ୱର ସ୍କୁଲ ଏବଂ ଶିକ୍ଷା ବ୍ୟବସ୍ଥା ପ୍ରତିକୂଳ ପାଣିପାଗ ଜନିତ ପ୍ରଭାବ ସହ ମୁକାବିଲା କରିବାରେ ପର୍ଯ୍ୟାପ୍ତ ଭାବେ ପ୍ରସ୍ତୁତ ନୁହେଁ ବୋଲି ୟୁନିସେଫ୍‌ ଏହାର ରିପୋର୍ଟରେ କହିଛି । ୟୁନିସେଫ୍‌ର ଚିଲ୍ଡଡ୍ରେନ୍ସ କ୍ଲାଇମେଟ ରିସ୍କ ଇଣ୍ଡେକ୍ସ ବା ପିଲାଙ୍କ ପ୍ରତି ଜଳବାୟୁ ବିପଦ ସୂଚକାଙ୍କରେ ୧୬୩ ଦେଶ ମଧ୍ୟରୁ ଭାରତ ୨୬ତମ ସ୍ଥାନରେ ଥିବାବେଳେ ଜଳବାୟୁ ପରିବର୍ତ୍ତନ ଶିକ୍ଷାକୁ ଜାତୀୟ ପାଠ୍ୟକ୍ରମରେ ସାମିଲ କରିବା ଲାଗି ୟୁନିସେଫ୍‌ ଭାରତ ସରକାରଙ୍କ ସହ କାମ କରୁଥିବା ପ୍ରକାଶ କରିଛି । ସଚେତନତା ସୃଷ୍ଟି ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧିତ ଆହ୍ୱାନର ମୁକାବିଲା କରିବା ଲାଗି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ଏହାର ଉଦ୍ଦେଶ୍ୟ ବୋଲି ୟୁନିସେଫ୍‌ କହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.