ନୂଆଦିଲ୍ଲୀ ୧୦/୦୧: ରୁଷ୍‌ର କାରେଲିଆରେ ୨୫ ବର୍ଷରୁ କମ୍‌ ବୟସର ଛାତ୍ରୀଙ୍କୁ ସୁସ୍ଥ ସନ୍ତାନ ଜନ୍ମ ଦେବା ପାଇଁ  ୧୦୦,୦୦୦ ରୁବଲ୍‌ ଅର୍ଥାତ୍‌ ହାରାହାରି ୮୧,୦୦୦ ଟଙ୍କା ଅଫର୍‌ ଦିଆଯାଉଛି । 

ଦ ମସ୍କୋ ଟାଇମ୍ସର  ରିପୋର୍ଟ ଅନୁସାରେ, ଏହି ଯୋଜନା ଦେଶରେ ହ୍ରାସ ପାଉଥିବା ଜନ୍ମହାରକୁ ସୁଧାରିବା ପାଇଁ ଲାଗୁ କରାଯାଇଛି । ଚଳିତ ଜାନୁଆରୀ ୧ ତାରିଖରୁ ଏହା ଲାଗୁ ହୋଇଛି । କେବଳ ସ୍ଥାନୀୟ ବିଶ୍ୱବିଦ୍ୟାଳୟ କିମ୍ବା କଲେଜରେ ନିୟମିତ ଛାତ୍ରୀଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ସେମାନଙ୍କ ବୟସ ୨୫ ବର୍ଷରୁ କମ୍‌ ହୋଇଥିବ ଏବଂ ସେମାନେ କାରେଲିଆ ବାସିନ୍ଦା ହୋଇଥିବେ । 

ସ୍ଥାନୀୟ ଆଇନ ଅନୁସାରେ, ମୃତ ଶିଶୁଙ୍କୁ ଜନ୍ମ ଦେଉଥିବା ମା’ଙ୍କ ଉପରେ ଏହି ଯୋଜନା ଲାଗୁ ହୋଇଛି । ସନ୍ତାନ ଜନ୍ମ ପରେ ଯଦି ତା’ର ମୃତ୍ୟୁ ହୁଏ କିମ୍ବା ଯଦି ଦିବ୍ୟାଙ୍ଗ ଶିଶୁ ଜନ୍ମ ହୁଏ,ଏହି ସ୍ଥିତିରେ  ତାଙ୍କୁ ପ୍ରୋତ୍ସାହନ ରାଶି ମିଳିବ କି ନାହିଁ ତାହା ଉଲ୍ଲେଖ ହୋଇନାହିଁ । ଏହି ଯୋଜନା ଆଣିଥିବା  କାରେଲିଆ ଏକମାତ୍ର କ୍ଷେତ୍ର ନୁହେଁ । ରୁଷ୍‌ ଅତିକମ୍‌ରେ ୧୧ ଅନ୍ୟ କ୍ଷେତ୍ରୀୟ ସରକାର ମଧ୍ୟ  ଛାତ୍ରୀଙ୍କୁ ସନ୍ତାନ ଜନ୍ମ ପାଇଁ ପ୍ରୋତ୍ସାହନ ରାଶି ଦିଆଯାଉଛି । କିନ୍ତୁ ବିଶେଷଜ୍ଞମାନେ ଏହି ପ୍ରୟାସକୁ  ଦୂରଦୃଷ୍ଟିର ଅଭାବ ବୋଲି କହିଛନ୍ତି । ନୂଆ ମା’ଙ୍କ ପାଇଁ ଉତ୍ତମ ସୁରକ୍ଷା ଓ ଆଦର୍ଶ ଆର୍ଥିକ ସ୍ଥିତି  ନ ଥିଲେ ଯୋଜନା ପ୍ରଭାବଶାଳୀ ହେବ ନାହିଁ ବୋଲି କହିଛନ୍ତି । 

ସୂଚନାଯୋଗ୍ୟ, ୨୦୨୪ର ପ୍ରଥମ  ୬ ମାସରେ ରୁଷ୍‌ରେ କେବଳ ୫,୯୯,୬୦୦ ଶିଶୁ ଜନ୍ମ ହୋଇଥିଲେ । ଗତ ୨୫ ବର୍ଷରେ ଏହା ସବୁଠୁ କମ୍‌ । ୨୦୨୩ର ଏହି ଅବଧି ତୁଳନାରେ ଏହି ସଂଖ୍ୟା ୧୬ ହଜାର କମ୍‌ ।