ନୂଆଦିଲ୍ଲୀ,୦୪/୦୧: ଚୀନରେ ଅନେକ ଜନଜାତି ସମୂହ ଅଛି, ଯାହାର ସାଂସ୍କୃତିକ ପରମ୍ପରା ନିଆରା ଓ ପରସ୍ପରଠୁ ଭିନ୍ନ । କିଛି ସମୂହର ରୀତିନୀତି ଅତ୍ୟନ୍ତ ଅଜବ । ବାଓଆନ୍ ଏଭଳି ଏକ ସମୂହ । ଏଠାରେ ବିବାହ ସମୟରେ ଏକ ବିଧି ପାଳିତ ହୁଏ, ଯେଉଁଥିରେ କନ୍ୟା ପିତାଙ୍କୁ ବରର ବାପା ଚାବୁକ୍ ମାଡ଼ ଦିଅନ୍ତି ।

ସାଉଥ୍ ଚାଇନା ମର୍ନିଂ ପୋଷ୍ଟ୍ର ରିପୋର୍ଟ ଅନୁସାରେ, ଚୀନର ବାଓଆନ୍ ଜାତୀୟ ସମୂହରେ ‘ଶ୍ୱଶୁରଙ୍କୁ ଚାବୁକ୍ ମାଡ଼’ ନାମକ ନିଆରା ବିବାହ ବିଧି ରହିଛି । ଏଥିରେ ବରର ପରିବାର ପ୍ରତୀକାତ୍ମକ ରୂପେ କନ୍ୟା ପିତାଙ୍କୁ ୨୦ ଥର ଚାବୁକ୍ ପାହାର ଦିଅନ୍ତି । ବିବାହର ୩ ଦିନ ମଧ୍ୟରେ ବର ଘର ଅଗଣାରେ କନ୍ୟା ପିତାଙ୍କୁ ଆଣ୍ଠେଇ ବିବାହ ବିଧି ପୂର୍ବକ ଚାବୁକ୍ ପାହାର ଦିଆଯାଏ । ଏହି ସମୟରେ କନ୍ୟା ପିତା ନିଜ ଝିଅକୁ ଠିକ୍ରେ ଅନୁଶାସନ ଶିଖାଇବାରେ ବିଫଳ ହେବା ପାଇଁ କ୍ଷମା ପ୍ରାର୍ଥନା କରନ୍ତି । ବିବାହରେ ବର ପିତା ମୁହଁରେ କଳା ବୋଳିବାର ବିଧି ମଧ୍ୟ ରହିଛି । ବାଓଆନ୍ ଜନଜାତି ମୁଖ୍ୟତଃ ଉତ୍ତର-ପଶ୍ଚିମ ଚୀନ୍ର ଗାଂସୂ ପ୍ରାନ୍ତରେ ରହନ୍ତି । ଏମାନଙ୍କ ସଂଖ୍ୟା ପ୍ରାୟ ୨୪ ହଜାର । ଏମାନେ ଇସ୍ଲାମ ଧର୍ମ ପାଳନ କରନ୍ତି ଏବଂ ବାନାନ ଭାଷା କହନ୍ତି, ଯାହା ଅଲ୍ତାଇ ଭାଷା ସମୂହର । ଏମାନେ ଅନେକ ପାରମ୍ପରିକ ମୁସ୍ଲିମ ପର୍ବପର୍ବାଣି ଓ ବିବାହ ସମ୍ବନ୍ଧୀୟ ବିଧିବିଧାନ ପାଳନ କରନ୍ତି । ଏଠାରେ ଏକ-ବିବାହ ପ୍ରଥା ରହିଛି । ଏହି ସମୂହର ପାରମ୍ପରିକ ବିବାହ ବିଧି ୩ ଦିନ ଧରି ଚାଲେ । ତନ୍ମଧ୍ୟରେ କନ୍ୟା ପିତାଙ୍କୁ ଚାବୁକ୍ ପାହାର ସବୁଠୁ ନିଆରା ।