ନୂଆଦିଲ୍ଲୀ ୧୬/୦୪: ଟାରିଫ୍‌ ଯୁଦ୍ଧର ଆରମ୍ଭ ଯଦିଓ ଆମେରିକା କରିଛି, ଚୀନ୍‌ ବି ନଛୋଡବନ୍ଧା । ଲଗାତର ଆମେରିକା ଉପରେ ପାଲଟା ହମ୍‌ଲା କରିଚାଲିଛି ଡ୍ରାଗନ । ଚୀନ୍‌ ରାଷ୍ଟ୍ରପତି ସି. ଜିନ୍‌ପିଙ୍ଗ୍‌ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ଡୋନାଲ୍ଡ ଟ୍ରମ୍ପଙ୍କ ନିଦ ହଜାଇଦେବା ଥୟ । ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଚାଲିଛି । ଚୀନ୍‌ ମାଷ୍ଟର୍‌ଷ୍ଟ୍ରୋକ୍‌ ଚଳାଇ ନିଜ ବିମାନ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛି ଯେ, ସେମାନେ ଆମେରିକୀୟ କମ୍ପାନି ବୋଇଙ୍ଗ୍‌ ବିମାନର ଡେଲିଭରୀ ନେବେ ନାହିଁ । ଅର୍ଥାତ୍‌ ଅର୍ଡର ଦେବା ସତ୍ତେ୍ୱ ଚୀନ୍‌ ଆମେରିକାଠାରୁ ବୋଇଙ୍ଗ୍‌ ବିମାନର ଡେଲିଭରୀ ନେବ ନାହିଁ । 

ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁସାରେ, ଚୀନି ବିମାନଗୁଡ଼ିକ ପାଇଁ ଆମେରିକାରୁ ଉପକରଣ ଏବଂ ପାର୍ଟସ କ୍ରୟ ବନ୍ଦ କରିବା ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି । ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଚୀନ୍‌ ସାମଗ୍ରୀ ଉପରେ ୧୪୫% ପର୍ଯ୍ୟନ୍ତ ଶୁଳ୍କ ଲଗାଯିବା ପରେ ଡ୍ରାଗନ୍‌ ବି ଯେସାକୁ ତେସା ପାଲଟା ହମ୍‌ଲା କରିବାକୁ ମନସ୍ଥ କରିଛି । ଚୀନ୍‌ ଆମେରିକା ଉପରେ ୧୨୫%ର ଶୁଳ୍କ ଲଗାଇଛି । ଫଳରେ ବୋଇଙ୍ଗ ବିମାନ ଏବଂ ପାର୍ଟସ ଖର୍ଚ୍ଚ ଦୁଇଗୁଣାରୁ ଅଧିକ ବଢ଼ିଯାଇଛି । ଚୀନ୍‌ ଏବେ ବୋଇଙ୍ଗ୍‌ ଜେଟ୍‌କୁ ଲିଜ୍‌ରେ ନେଇଥିବା ବିମାନ କମ୍ପାନିଗୁଡ଼ିକର ଖର୍ଚ୍ଚ କମାଇବାର ଉପାୟ ଖୋଜୁଛି । ଏ ସ୍ଥିତି ବୋଇଙ୍ଗ୍‌ ପାଇଁ ଏକ ବଡ଼ ଆହ୍ୱାନ । ଆଗାମୀ ୨୦ ବର୍ଷରେ ଚୀନ୍‌ ବିଶ୍ୱ ବିମାନ ଚାହିଦାରେ ୨୦% ଅଂଶ ରଖିବ । ଚୀନ୍‌ ବୋଇଙ୍ଗ୍‌ଠାରୁ ବୃହତ୍‌ ସଂଖ୍ୟାରେ ବିମାନ କିଣି ଆସୁଥିଲା । ଏଭଳି ସ୍ଥିତିରେ ସି ଜିନ୍‌ପିଙ୍ଗ୍‌ ସରକାରଙ୍କ ଏ ନିଷ୍ପତ୍ତି କମ୍ପାନି ପାଇଁ ବଡ଼ ଝଟ୍‌କା ।