ଭାରତ ପାଇଁ ବଢିବ ବିପଦ !
ବ୍ରହ୍ମପୁରରେ ବନ୍ଧ ବାନ୍ଧୁଛି ଚୀନ୍…
ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଜଳବିଦ୍ୟୁତ୍ ବନ୍ଧ…
ନୂଆଦିଲ୍ଲୀ: ଚୀନ୍ ତିଆରି କରୁଛି ଓ୍ବାଟର ବମ୍। ତିବ୍ଦତ ଅଂଚଳର ୟାରଲୁଙ୍ଗ ସାଙ୍ଗପୋ ନଦୀ ଉପରେ ଏହି ଓ୍ବାଟର ବମ୍ ତିଆରି କରୁଛି ଚୀନ୍ । ମାନେ, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଜଳବିଦ୍ୟୁତ୍ ବନ୍ଧ ନିର୍ମାଣ କରୁଛି ଚୀନ୍। ଏହାକୁ ନେଇ ବେଜିଂ ଦାବି କରୁଛି ଯେ, ସେ କେବଳ ଶକ୍ତି ଯୋଗାଣ ବୃଦ୍ଧି କରିବାକୁ ଚାହୁଁଛି, କିନ୍ତୁ ଏହି ପ୍ରକଳ୍ପକୁ ନେଇ ଏବେ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ତିବ୍ଦତର ୟାରଲୁଙ୍ଗ ସାଙ୍ଗପୋ ନଦୀ ଭାରତରେ ବ୍ରହ୍ମପୁତ୍ର ଏବଂ ପରେ ବାଂଲାଦେଶରେ ଯମୁନା ନାମରେ ଜଣାଶୁଣା। ଚୀନ୍ ଏହାର ତଳ ଅଞ୍ଚଳରେ ବିଶ୍ୱର ସର୍ବବୃହତ ଜଳବିଦ୍ୟୁତ୍ ବନ୍ଧ ନିର୍ମାଣ କରୁଛି, ଯାହାର ମୂଲ୍ୟ ୬୮ ବିଲିୟନ ଡଲାର ।
ଚୀନ୍ର ‘ଓ୍ବାଟର ବମ୍’ ଉପରେ ଭାରତର ନଜର…
ଭାରତ ଏବଂ ବାଂଲାଦେଶର ଲକ୍ଷ ଲକ୍ଷ ଲୋକ ଏହି ନଦୀ ଉପରେ ନିର୍ଭର କରନ୍ତି। ଭାରତ ଏହି ପ୍ରକଳ୍ପରେ ସ୍ୱଚ୍ଛତାର ଅଭାବ ଏବଂ ପାଣିକୁ ଅସ୍ତ୍ର ଭାବରେ ବ୍ୟବହାର କରିବାର ସମ୍ଭାବନା ଉପରେ ଚିନ୍ତା ପ୍ରକାଶ କରିଛି। ଭାରତ ବନ୍ଧ ନିର୍ମାଣ ଉପରେ କଡ଼ା ନଜର ରଖିଛି।
ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରକଳ୍ପ ସମାପ୍ତ ହେବା ପରେ ଏହା ଚୀନରେ ଅବସ୍ଥିତ ଡ୍ୟାମ୍ ଥ୍ରୀ ଗର୍ଜେସ ବନ୍ଧ ଅପେକ୍ଷା ତିନି ଗୁଣ ଅଧିକ ଶକ୍ତିଶାଳୀ ହେବ, ଯାହାକି ବର୍ତ୍ତମାନ ବିଶ୍ବର ସର୍ବବୃହତ ଜଳବିଦ୍ୟୁତ ଷ୍ଟେସନ । ଭାରତର ଅଧିକାଂଶ ବିଶେଷଜ୍ଞ କହିଛନ୍ତି ଯେ, ଏହି ପ୍ରକଳ୍ପ ଏକ ସମ୍ଭାବ୍ୟ "ଓ୍ବାଟର ବମ୍ " ହୋଇପାରେ, କାରଣ ଏହା ଚୀନ୍ କୁ ଭାରତରେ ଜଳ ପ୍ରବାହକୁ ନିୟନ୍ତ୍ରଣ କରିବାକୁ ଅନୁମତି ଦେବ।
ପ୍ରସଙ୍ଗରେ କ’ଣ କହିଲେ ଭାରତ ସରକାର…
ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଅଗଷ୍ଟ ମାସରେ ପ୍ରକଳ୍ପ ଉପରେ ଏକ ବିବୃତ୍ତି ଜାରି କରି କହିଥିଲେ ଯେ, ସେ ବ୍ରହ୍ମପୁତ୍ର ନଦୀ ସହ ଜଡିତ ବିକାଶ ଉପରେ କଡ଼ା ନଜର ରଖିଛନ୍ତି। ଭାରତର ଚିନ୍ତା କେବଳ ପରିବେଶଗତ ନୁହେଁ ବରଂ ରଣନୈତିକ ମଧ୍ୟ। ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଚେତାବନୀ ଦେଇଥିଲେ ଯେ, ଏହି ପ୍ରକଳ୍ପକୁ "ଟାଇମ୍ ବମ୍" ଭାବରେ ବ୍ୟବହାର କରାଯାଇପାରିବ, ଯାହା ଚୀନକୁ ବ୍ରହ୍ମପୁତ୍ରରେ ଜଳ ଛାଡିବାର ପରିମାଣ ଏବଂ ସମୟକୁ ନିୟନ୍ତ୍ରଣ କରିବାକୁ ଅନୁମତି ଦେବ। ହଠାତ୍ ଜଳ ଛାଡିବା ବନ୍ୟା ସୃଷ୍ଟି କରିପାରେ । ଅନ୍ୟ ପକ୍ଷରେ ପାଣିକୁ ଅଟକାଇ ରଖିବା ଦ୍ୱାରା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସମୟରେ ନଦୀର ବଡ଼ ଅଂଶ ଶୁଖିଯାଇପାରେ।
ବୈଦେଶିକ ମନ୍ତ୍ରଣାଳୟ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛି, "ଏହି ପ୍ରକଳ୍ପ ପ୍ରଥମେ ୧୯୮୬ ମସିହାରେ ସାର୍ବଜନୀନ କରାଯାଇଥିଲା ଏବଂ ସେବେଠାରୁ ଚୀନରେ ପ୍ରସ୍ତୁତି ଚାଲିଛି।"ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସରକାର ଏହି ଅଞ୍ଚଳରେ ଭାରତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରତିବଦ୍ଧ।
କିପରି ପ୍ରଭାବିତ ହେବ ଭାରତ ?
ବ୍ରହ୍ମପୁତ୍ର ନଦୀର ଅଧିକାଂଶ ଜଳ ମୌସୁମୀ ବର୍ଷା ଏବଂ ଭାରତ ଭିତରେ ଥିବା ଏହାର ଶାଖା ନଦୀ ଗୁଡ଼ିକରୁ ଆସିଥାଏ। ବିଶେଷଜ୍ଞ ମାନେ ଦାବି କରିଛନ୍ତି ଯେ ଉପରମୁଣ୍ଡରେ ହୋଇଥିବା ପରିବର୍ତ୍ତନ ନଦୀର ପରିବେଶକୁ ବିପର୍ଯ୍ୟସ୍ତ କରିପାରେ। ସାମାନ୍ୟ ପରିବର୍ତ୍ତନ ମଧ୍ୟ ଆସାମ ଏବଂ ଅରୁଣାଚଳ ପ୍ରଦେଶର ଉର୍ବର ବନ୍ୟାଭୂମି ଏବଂ ମତ୍ସ୍ୟଜୀବୀ ମାନଙ୍କୁ ପ୍ରଭାବିତ କରିପାରେ, ଯାହା ପୂର୍ବରୁ ଜଳବାୟୁ ପରିବର୍ତ୍ତନ ପାଇଁ ଦୁର୍ବଳ।
ତେବେ ଚୀନ୍ ପ୍ରକଳ୍ପର ମୁକାବିଲା କରିବା ପାଇଁ, ଭାରତ ମଧ୍ୟ ନଦୀର ନିଜସ୍ୱ ଅଂଶରେ ଏକ ବନ୍ଧ ନିର୍ମାଣ କରିବାକୁ ଯୋଜନା କରୁଛି। ଭାରତ ବ୍ରହ୍ମପୁତ୍ର ନଦୀରେ ଅତି କମରେ ୨୦୮ଟି ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରିବାକୁ ଯୋଜନା କରୁଛି।
ଏହା ସହ ପଢନ୍ତୁ : ଦେଶରୁ କୋଟି କୋଟି ଟଙ୍କା ଠକି ନେଇ ବିଦେଶରେ ଏକାଠି ହେଲେ ଦୁଇ ପଳାତକ, ମାଲ୍ୟାଙ୍କ ପାଇଁ ଭବ୍ୟ ଜନ୍ମଦିନ ପାର୍ଟିର ଆୟୋଜନ କଲେ ଲଳିତ…