ନୂଆଦିଲ୍ଲୀ: ଚୀନ୍ର ଏକ ବ୍ୟବସାୟିକ ପ୍ରତିନିଧୀ ମଣ୍ଡଳ ପାକିସ୍ତାନର ରାଷ୍ଟ୍ରପତି ଆସିଫ୍ ଅଲି ଜରଦାରୀଙ୍କୁ ଭେଟିଛନ୍ତି। ପାକିସ୍ତାନରେ ଏକ ମେଡିକାଲ୍ ସହର ପ୍ରତିଷ୍ଠା ପାଇଁ ଏକ ବିଲିୟନ ଡଲାର ବିନିଯୋଗ କରିବାକୁ ସେ ଆଗ୍ରହ ପ୍ରକାଶ କରିଥିବା ସୂଚନା ରହିଛି । ଏକ ମିଡିଆ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ତେବେ ଚୀନ୍ ସହିତ ପାକିସ୍ତାନର ଦୃଢ ଦ୍ୱିପାକ୍ଷିକ ସମ୍ପର୍କ ରହିଛି, ଯାହା ଅନେକ ପୁଞ୍ଜି ବିନିଯୋଗ ଏବଂ ବିକାଶ ପ୍ରକଳ୍ପ ମାଧ୍ୟମରେ ପାକିସ୍ତାନକୁ ସମର୍ଥନ କରିଛି।
ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ପ୍ରକଳ୍ପ ରହିଛି, ଯାହାକୁ ଦେଶର ଅର୍ଥନୀତି ପାଇଁ 'ଲାଇଫ୍ ଲାଇନ୍' କୁହାଯାଉଛି। ଗୁରୁବାର (ଡିସେମ୍ବର ୧୨) ଜରଦାରୀଙ୍କ ସହ ଏକ ବୈଠକ ସମୟରେ ଚୀନ୍ ନିବେଶକଙ୍କ ଏକ ପ୍ରତିନିଧୀ ଦଳ କରାଚିର ଧାବଜୀ ଅର୍ଥନୈତିକ ଜୋନରେ ଏକ ମେଡିକାଲ୍ ସହର ନିର୍ମାଣରେ ଏକ ବିଲିୟନ ଡଲାର ବିନିଯୋଗ କରିବାକୁ ଯୋଜନା କରିଛନ୍ତି। ଏହି ଅର୍ଥନୈତିକ ଜୋନ୍ ପାକିସ୍ତାନର ବୃହତ୍ତମ ସହର ଏବଂ ଆର୍ଥିକ କେନ୍ଦ୍ର ବାହାରେ ।
ମେଡିକାଲ୍ ସହର ପାକିସ୍ତାନର ପ୍ରଥମ ସଂପୂର୍ଣ୍ଣ ଏକୀକୃତ ଫାର୍ମାସ୍ୟୁଟିକାଲ୍ ଏବଂ ମେଡିକାଲ୍ ଇକୋସିଷ୍ଟମ୍ ହେବ । କୋରଙ୍ଗୀ ବାଣିଜ୍ୟ ଏବଂ ଶିଳ୍ପ ସଂଘ (KATI) କୁ ଧାବଜୀ ଅର୍ଥନୈତିକ ଜୋନ୍ ପରିଚାଳନା ଦାୟିତ୍ବ ଦିଆଯାଇଛି । KATI ଏକ ବିବୃତ୍ତିରେ କହିଛି ଯେ ଚୀନ୍ ନିବେଶକଙ୍କ ଦ୍ବାରା ଦିଆଯାଇଥିବା ଏହି ପ୍ରତିଜ୍ଞା ଦୁଇ ଦେଶ ମଧ୍ୟରେ ବଢୁଥିବା ଅର୍ଥନୈତିକ ସମ୍ପର୍କର ଏକ ଉଦାହରଣ । ସିନ୍ଧ ସରକାର ଏବଂ ଚୀନ୍ ନିବେଶକଙ୍କ ଗୋଷ୍ଠୀ ମଧ୍ୟରେ ସଫଳ ଆଲୋଚନା ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସିନ୍ଧ ମୁଖ୍ୟମନ୍ତ୍ରୀ ସୟଦ ମୁରାଦ ଅଲି ଶାହା ଏବଂ ଚୀନ୍ର କନସୁଲାର ଜେନେରାଲ୍ ମଧ୍ୟ ଯୋଗ ଦେଇଥିଲେ।