ନୂଆଦିଲ୍ଲୀ:  ଚୀନ୍ ୨୦୨୫-୨୬ ଲାଗି ନିଜର ପ୍ରତିରକ୍ଷା ବଜେଟ୍ ୭.୨ ପ୍ରତିଶତ  ବୃଦ୍ଧି କରିଛି । ଚୀନ୍‌ର ମୂଦ୍ରା ଅନୁସାରେ ମୋଟ ୧.୭୮  ଟ୍ରିଲିୟନ ୟୁଆନ ବା ପ୍ରାୟ ୨୪୫.୬୫ ବଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି ଡ୍ରାଗନର ପ୍ରତିରକ୍ଷା ବଜେଟ୍‌ । ଲଗାତାର ଅଷ୍ଟମ ଥର ପାଇଁ ଚୀନ୍ ତାର ସାମରିକ ଖର୍ଚ୍ଚରେ ବୃଦ୍ଧି କରିଛି। ବିଶେଷଜ୍ଞଙ୍କ ଅନୁସାରେ, ଚୀନର ବଢ଼ୁଥିବା ସାମରିକ ଶକ୍ତି ଭାରତ ସମେତ ପଡ଼ୋଶୀ ଦେଶମାନଙ୍କ ପାଇଁ ବିପଦ ଆଣିପାରେ। ଚୀନ୍ ନିଜ ସାମରିକ ଶକ୍ତିକୁ ଆଧୁନିକୀକରଣ କରିବା ସହ ନୂତନ ଅସ୍ତ୍ରଶସ୍ତ୍ର, ହାଇପରସୋନିକ୍ କ୍ଷେପଣାସ୍ତ୍ର, ଯୁଦ୍ଧଜାହାଜ ଏବଂ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା ପ୍ରଣାଳୀ ଯୋଡିବା ଉପରେ ଧ୍ୟାନ ଦେଇଆସିଛି । 

ସୀମା ବିବାଦ ବଢ଼ିପାରେ

ଚୀନ୍ ପୂର୍ବ ଲଦାଖ, ଅରୁଣାଚଳ ପ୍ରଦେଶ ଏବଂ ସିକିମରେ ନିଜର ସାମରିକ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଲାଗିଛି । ୨୦୨୦ ମସିହାରେ ଗଲୱାନ ସଂଘର୍ଷ ପରେ ଜୀନ୍‌ ସୀମାରେ ଏୟାର ଷ୍ଟ୍ରିପ୍, ମିସାଇଲ ସିଷ୍ଟମ ଏବଂ ସୈନ୍ୟ ମୁତୟନ ବୃଦ୍ଧି କରିଛି । ସେହିପରି ପ୍ରତିରକ୍ଷା ବଜେଟରେ ବୃଦ୍ଧି ପରେ, ଚୀନ୍ ଏବେ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ରେ ତାର କାର୍ଯ୍ୟକଳାପ ବୃଦ୍ଧି କରିପାରିବ । ଏହି କାରଣରୁ ଭାରତକୁ ମଧ୍ୟ ଏହାର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ କରିବାକୁ ପଡିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି ।

ଭାରତ ମହାସାଗରରେ ଚୀନର ପ୍ରଭାବ ବୃଦ୍ଧି ପାଇବ

ଚୀନ୍ ନିଜର ନୌସେନାକୁ ସୁଦୃଢ଼ କରିବାରେ ଲାଗିଚି । ନୂତନ ଯୁଦ୍ଧଜାହାଜ, ବୁଡ଼ାଜାହାଜ ଏବଂ ବିମାନ ବାହକ ଜାହାଜ ବିକଶିତ କରୁଛି । ଚୀନ ଶ୍ରୀଲଙ୍କା, ପାକିସ୍ତାନ ଏବଂ ମିଆଁମାରରେ ଏହାର ନୌସେନା ଘାଟି ବିକଶିତ କରୁଛି । ଏପରି ପରିସ୍ଥିତିରେ, ଭାରତ ମହାସାଗରରେ ଚୀନର କାର୍ଯ୍ୟକଳାପ ଭାରତ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ । ଏହା ଭାରତର ସାମୁଦ୍ରିକ ସୁରକ୍ଷା ଏବଂ ବାଣିଜ୍ୟ ମାର୍ଗ ପ୍ରତି ବିପଦକୁ ବୃଦ୍ଧି କରିପାରେ ।

ପାକିସ୍ତାନ ସହିତ ସମ୍ପର୍କ ସୁଦୃଢ଼ କରିବ

ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଧୁରୁଛି। ଚୀନ୍ ପାକିସ୍ତାନକୁ ଆଧୁନିକ ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର ଏବଂ ଯୁଦ୍ଧ ବିମାନ ଯୋଗାଇ ଆସୁଛି। ନିକଟରେ ପାକିସ୍ତାନକୁ ଜେଏଫ୍-୧୭ ଯୁଦ୍ଧ ବିମାନ, ଏଚକ୍ୟୁ-୯ କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ଆଧୁନିକ ଡ୍ରୋନ୍ ଛି । ଏହା ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଚୀନ୍ ଏବଂ ପାକିସ୍ତାନ ଉଭୟ ଭାରତ ପାଇଁ ଆହ୍ବାନ ସୃଷ୍ଟି କରିପାରନ୍ତି ।

ବଢ଼ିବ ସାଇବର ଏବଂ ଇଲେକ୍ଟ୍ରୋନିକ୍ ଯୁଦ୍ଧ !

ଚୀନ୍ ତାର ପ୍ରତିରକ୍ଷା ବଜେଟର ଏକ ବଡ଼ ଅଂଶ ସାଇବର ଯୁଦ୍ଧ, କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ମହାକାଶ ପ୍ରଯୁକ୍ତିବିଦ୍ୟାରେ ବିନିଯୋଗ କରିବାକୁ ଯାଉଛି। ଏହା ଭାରତ ପାଇଁ ସମସ୍ୟା ମଧ୍ୟ ବଢ଼ାଇପାରେ। ଏହି କାରଣରୁ, ଭାରତର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି (ରେଳପଥ, ଶକ୍ତି ଗ୍ରୀଡ୍, ବ୍ୟାଙ୍କିଙ୍ଗ) ଉପରେ ସାଇବର ଆକ୍ରମଣର ଆଶଙ୍କା ବଢ଼ିପାରେ। ଏହି ସମୟରେ ଭାରତକୁ ଏହାର ସାମରିକ ପ୍ରସ୍ତୁତିକୁ ଆହୁରି ମଜଭୁତ କରିବାକୁ ପଡିବ। ସେପଟେ ଭାରତ ସରକାର ଚଳିତ ବର୍ଷ ପ୍ରତିରକ୍ଷା ବଜେଟ୍ ୬.୮୧ ଲକ୍ଷ କୋଟି ଟଙ୍କା ସ୍ଥିର କରିଛନ୍ତି ।  ଗତ ବର୍ଷ ତୁଳନାରେ ଏହା ୬ ପ୍ରତିଶତ ଅଧିକ।