ନୂଆଦିଲ୍ଲୀ, ୨୭/୧୨: ଚୀନ୍‌ରୁ ପୁଣି ଥରେ ଭାରତ ଆସିବ ରେୟାର୍ ଆର୍ଥ ମ୍ୟାଗ୍ନେଟ୍ । ଭାରତୀୟ କମ୍ପାନି ଏବଂ ଭାରତରେ କାର୍ଯ୍ୟ କରୁଥିବା ବିଦେଶୀ କମ୍ପାନିଗୁଡ଼ିକୁ ରେୟାର୍ ଆର୍ଥ ମ୍ୟାଗ୍ନେଟ୍ ରପ୍ତାନି ପାଇଁ ଲାଇସେନ୍ସ ପ୍ରଦାନ ଆରମ୍ଭ କରିଛି ଡ୍ରାଗନ୍ । ସରକାରୀ ଅଧିକାରୀମାନଙ୍କ କହିବାନୁସାରେ, ଚୀନର ବାଣିଜ୍ୟ ମନ୍ତ୍ରାଳୟ ଲାଇସେନ୍ସ ଆବେଦନଗୁଡ଼ିକର ପ୍ରୋସେସିଂ ଏବଂ ମଞ୍ଜୁରି ଦେବା ଆରମ୍ଭ କରିଛି ।

ଗତ କିଛି ସମୟ ହେବ ଏହି ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲର ଯୋଗାଣ ଅଟକାଇଥିଲା ଚୀନ୍ । ଫଳରେ ଭାରତୀୟ ଅଟୋମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ସ ଶିଳ୍ପ ଚିନ୍ତା ମଧ୍ୟକୁ ଆସିଯାଇଥିଲା, ଯାହା ଏବେ ଧୀରେ ଧୀରେ ଦୂର ହୋଇପାରେ । ଲାଇସେନ୍ସ ପାଇଥିବା କମ୍ପାନିଗୁଡ଼ିକ ମଧ୍ୟରେ ଜୟ ଉଶିନ୍, ଜର୍ମାନୀଭିତ୍ତିକ ଅଟୋ ଯନ୍ତ୍ରାଂଶ ନିର୍ମାତା କଣ୍ଟିନେଣ୍ଟାଲ ଏଜିର ଭାରତୀୟ ୟୁନିଟ୍, ମହିନ୍ଦ୍ରା ଏବଂ ମାରୁତି ସୁଜୁକିର ଭେଣ୍ଡର୍ମାନେ ସାମିଲ ଅଛନ୍ତି । ତେବେ ଅଧିକାରୀମାନଙ୍କ କହିବାନୁସାରେ, ଏହା ଏବେ ଏକ ମନ୍ଥର ଆରମ୍ଭ କିନ୍ତୁ ପ୍ରକ୍ରିୟା ଆରମ୍ଭ ହେବା ଦ୍ୱାରା ଶିଳ୍ପକୁ ଆଶ୍ୱସ୍ତି ମିଳିଛି ।

ଅଟୋମୋବାଇଲ, ଇଲେକ୍ଟ୍ରୋନିକ୍ସ, ମେଡିକାଲ ଡିଭାଇସ୍ ଏବଂ ପ୍ରତିରକ୍ଷା ଶିଳ୍ପ ପାଇଁ ଅତ୍ୟନ୍ତ ଜରୁରୀ ହେଉଛି ରେୟାର୍ ଆର୍ଥ ମାଗ୍ନେଟ୍ । ଇଲେକ୍ଟ୍ରିକ୍ ଯାନ(ଇଭି) ର ମୋଟର୍ସରେ ଏହାର ସବୁଠାରୁ ଅଧିକ ବ୍ୟବହାର ହୋଇଥାଏ । ବିଶ୍ୱରେ ରେୟାର୍ ଆର୍ଥ ମାଗ୍ନେଟ୍ ଉତ୍ପାଦନ ଏବଂ କ୍ଷମତାରେ ଚୀନ୍ ବର୍ତ୍ତମାନ ସବୁଠାରୁ ଆଗରେ ରହିଛି । ଏପ୍ରିଲ ୪ରୁ ଏହା ଏହି ମ୍ୟାଗ୍ନେଟ୍ଗୁଡ଼ିକର ରପ୍ତାନି ଉପରେ କଟକଣା ଲଗାଇଥିଲା, ଯାହାଦ୍ୱାରା ସମଗ୍ର ବିଶ୍ୱରେ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଥିଲା ।

ରେୟାର୍ ଆର୍ଥ ମାଟେରିଆଲ୍ସର ବ୍ୟବହାର ବିଶେଷକରି ଇ-ଯାନରେ କରାଯାଇଥାଏ । ଏହାର ଉପଯୋଗ ପର୍ମାମେଣ୍ଟ ମ୍ୟାଗ୍ନେଟ୍ ଇଲେକ୍ଟ୍ରିକ୍ ମୋଟର୍ସ ପାଇଁ କମ୍ପାକ୍ଟ ଏବଂ ହାଇ ପର୍ଫମାନ୍ସ ମ୍ୟାଗ୍ନେଟ୍ ବନାଇବା ପାଇଁ କରାଯାଇଥାଏ । ନିୟୋଡିମିୟମ, ଡିସ୍ପ୍ରୋସିୟମ ଏବଂ ଟେର୍ବିୟମ ଭଳି ତତ୍ତ୍ୱରେ ପ୍ରସ୍ତୁତ ଏହି ଚୁମ୍ବକ ମୋଟର୍ର ଛୋଟ, ହାଲୁକା ଏବଂ ଅନ୍ୟ ବିକଳ୍ପ ତୁଳନାରେ ଅଧିକ ପ୍ରଭାବୀ, ଯାହା ଇଭିର ରେଞ୍ଜ୍ ଏବଂ ପ୍ରଦର୍ଶନକୁ ଉନ୍ନତ କରିବାରେ ଜରୁରୀ ।

ଏଗୁଡ଼ିକର ବ୍ୟବହାର ଆଇସିଇଯୁକ୍ତ ଗାଡ଼ିରେ ଲାଗୁଥିବା କେଟେଲିକ୍ କନ୍ଭର୍ଟର ଭଳି ଅଟୋ ଉପକରଣରେ ବି କରାଯାଇଥାଏ । ଏହାବ୍ୟତୀତ ଇଭି ଏବଂ ଆଇସିଇ ଉଭୟ ପ୍ରକାର ଗାଡ଼ିରେ ଲାଗୁଥିବା ଅନେକ ସିଷ୍ଟମରେ ସେନ୍ସରରୁ ନେଇ ଡିସ୍ପ୍ଲେ ପର୍ଯ୍ୟନ୍ତ ଯନ୍ତ୍ରାଂଶରେ ଏହାର ବ୍ୟବହାର କରାଯାଇଥାଏ ।

ବିଶ୍ୱସ୍ତରରେ ରେୟାର୍ ଆର୍ଥ ଉପାଦାନର ଉତ୍ତୋଳନରେ ଚୀନ୍ର ଅଂଶ ପ୍ରାୟ ୭୦% ଏବଂ ଉତ୍ପାଦନରେ ୯୦% ରହିଛି । ନିକଟରେ ଆମେରିକା ସହ ବାଣିଜ୍ୟ ଯୁଦ୍ଧ ମଧ୍ୟରେ ଚୀନ୍ ୭ଟି ରେୟାର୍ ଆର୍ଥ ଧାତୁର ରପ୍ତାନି ଉପରେ ରୋକ୍ ଲଗାଇଥିଲା