ନୂଆଦିଲ୍ଲୀ, ୧୪/୦୧ : ଫିକା ପଡ଼ିବ ଭାରତ ମସଲା। ଏବେ ଚାଇନା ଫୁଟଣରେ ଡାଲି ଛୁଙ୍କ। ଭୁଶୁଡ଼ିବ ଭାରତର ମସଲା ସାମ୍ରାଜ୍ୟ, କମିବ ଦବଦବା। ବିଶ୍ଵ ମସଲା ବଜାରରେ ଡ୍ରାଗନର ଏଣ୍ଟ୍ରି। ଇଣ୍ଡିଆକୁ ଆଉଟ୍ କରିବ ଚୀନର ଶସ୍ତା ମସଲା। ଚିନ୍ତାରେ ଚାଷୀ-ବ୍ୟବସାୟୀ।

ବିଶ୍ଵରେ ସବୁଠୁ ବଡ଼ ମସଲା ରପ୍ତାନୀକାରୀ ଦେଶ ଭାରତ। ଦୀର୍ଘ ଦଶନ୍ଧି ଧରି ଦୁନିଆରେ ରାଜ୍ କରୁଛି ଭାରତୀୟ ମସଲା। ହେଲେ ଏବେ ଭାରତକୁ ଚୀନ ଟକ୍କର ଦେବ। ଏଥିପାଇଁ ଜିରା ଓ ଲଙ୍କା ଚାଷ କରୁଛି ଡ୍ରାଗନ୍। ଖାଲି ସେତିକି ନୁହେଁ ଭାରତଠୁ ଶସ୍ତାରେ କିଣି ଏହାକୁ ପ୍ରୋସେସ୍ କରି ଅନ୍ୟ ଦେଶକୁ ବିକୁଛି। ଦୁଇ ପ୍ରାକରର ଲଙ୍କା ଉପରେ ଏବେ ଚୀନ ଫୋକସ୍ କରୁଛି। ପୈପରିକା ଏବଂ ତେଜା କିସମର ଲଙ୍କା ରପ୍ତାନୀ କରୁଛି। ଗାଢ ରଙ୍ଗ ଓ ହାଲକା ଫ୍ଲେବର ପାଇଁ ଫେପରିକା ଲଙ୍କା ବ୍ୟବହାର ହେଉଛି। ଅଧିକ ରାଗ ପାଇଁ ତେଜା କିସମର ଲଙ୍କା ବିକ୍ରି କରୁଛି।

ପୂର୍ବ ବର୍ଷ ତୁଳନାରେ ୨୦୨୪-୨୫ ରେ ଭାରତରୁ ଲଙ୍କା ପାଉଡର ରପ୍ତାନି ୩୫% ବୃଦ୍ଧି ପାଇ ୮୦.୬ ନିୟୁତ କିଲୋଗ୍ରାମରେ ପହଞ୍ଚିଥିଲା। ସେହିପରି ଲଙ୍କା ରପ୍ତାନୀ ୧୯ ପ୍ରତିଶତ ବଢି ୭୦୦ ହଜାର ଟନ୍ ରେ ପହଞ୍ଚିଛି। ହେଲେ ରପ୍ତାନୀ ଅପେକ୍ଷା ରୋଜଗାର କମ୍ ହୋଇଛି। ଲଙ୍କା ରପ୍ତାନୀରେ ଭାରତର ଆୟ ୧୧ ପ୍ରତିଶତ କମିଛି। ବିଶ୍ଵ ବଜାରରୁ ଧୀରେଧୀରେ ଭାରତର ଦବଦବା କମୁଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ସେହିପରି ଗତବର୍ଷ ଜିରା ରପ୍ତାନୀରେ ୩୯ ପ୍ରତିଶତ ବୃଦ୍ଧି ହୋଇଛି। ହେଲେ ଯେତିକି ରପ୍ତାନୀ ହେଉଛି, ସେହି ତୁଳନାରେ ଆୟ କମ୍ ହେଉଛି।

ସେପଟେ ଜଳବାୟୁ ପରିବର୍ତ୍ତନ ଏବଂ କମ୍ ଦାମ୍ ପାଇଁ ମସଲା ଚାଷରୁ ମୁହଁ ଫେରାଉଛନ୍ତି ଭାରତୀୟ ଚାଷୀ। ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଏବଂ କର୍ଣ୍ଣାଟକ ଭଳି ମସଲା ଉତ୍ପାଦକ ରାଜ୍ୟର ୩୫ ପ୍ରତିଶତ କମିଗଲାଣି ଉତ୍ପାଦନ। ଏବେ ପୁଣି ମସଲା ବଜାରରେ ଚୀନର ଏଣ୍ଟ୍ରି ପରେ ଚିନ୍ତାରେ ବିଶେଷଜ୍ଞ। ଏଭଳି ସ୍ଥିତି ଜାରି ରହିଲେ ବିଶ୍ଵ ବଜାରରେ କମିବ ଭରତର ଦବଦବା। ଆସନ୍ତା ସିଜିନ୍ରେ ଦେଖିବାକୁ ମିଳିବ ଏହାର ପ୍ରଭାବ।