ଆପଣ ନକଲି ଜିନିଷ ବିଷୟରେ ହୁଏତ ନିଶ୍ଚୟ ଶୁଣିଥିବେ । ହେଲେ କେବେ ଆପଣ ନକଲି ଚାକିରି କିମ୍ବା ନକଲି ଅଫିସ୍ ବିଷୟରେ ଶୁଣିଛନ୍ତି କି? ତେବେ ଚୀନରେ ରହିଛି ଏଭଳି କମ୍ପାନି । ସେଠାରେ ନକଲି ଚାକିରି ଦେଉଥିବା କମ୍ପାନି ଦିନକୁ ୪ ଆମେରିକୀୟ ଡଲାର ହିସାବରେ ବେକାର ଲୋକଙ୍କୁ କାର୍ଯ୍ୟାଳୟ ଯୋଗାଇ ଦେଉଛନ୍ତି । ନକଲି କାର୍ଯ୍ୟାଳୟକୁ ଲୋକେ କର୍ମଚାରୀ ଭାବେ ଯାଉଛନ୍ତି ଏବଂ ଚାକିରି କରିବାର ନାଟକ କରୁଛନ୍ତି । ଆଉ ସେହି ନକଲି ଅଫିସ୍ରେ କର୍ପୋରେଟ୍ କାର୍ଯ୍ୟାଳୟ ଭଳି ସମସ୍ତ ସୁବିଧା ରହିଛି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଚୀନ୍ରେ ନକଲି ଚାକିରି ଦେଉଥିବା କମ୍ପାନି ଉଭା ହେଉଛନ୍ତି । ଯେଉଁମାନେ ଲୋକଙ୍କୁ କମ୍ ମୂଲ୍ୟରେ ଚାକିରି ଦେବାର ନାଟକ କରୁଛନ୍ତି। ଏହା ଖାସ୍ କରି ପ୍ରଥମ ଓ ୨ୟ ଶ୍ରେଣୀ ସହରରେ ପ୍ରଚଳିତ ହେଉଛି । ଏଠାରେ ଲୋକେ ଭଡ଼ାରେ ଅଫିସ୍ ସ୍ପେସ୍ ନେଉଛନ୍ତି ଏବଂ ତାକୁ ନକଲି କର୍ପୋରେଟ୍ ଅଫିସ୍ରେ ରୂପାନ୍ତର କରୁଛନ୍ତି । ଅଫିସ୍ରେ କାମ କରିବା ପାଇଁ ସେମାନେ ଲୋକଙ୍କଠୁ ଦିନକୁ ୫ ଶହରୁ ୭ ଶହ ଟଙ୍କା ମଧ୍ୟରେ ଶୁଳ୍କ ନେଉଛନ୍ତି । ନକଲି ଚାକିରି ସୁବିଧା ପ୍ରଦାନ କରୁଥିବା କମ୍ପାନି ନକଲି ଅଫିସ୍ ପାଇଁ ମାସିକ ପ୍ୟାକେଜ୍ର ସୁବିଧା ଦେଉଛନ୍ତି।
ଯାହାଦ୍ୱାରା ବେକାର ଲୋକଙ୍କ ପାଇଁ ଦୈନିକ ଶୁଳ୍କ କମିଯାଉଛି। ଚେନ୍ ୟିଙ୍ଗଜିୟାନ ନାମକ ଜଣେ ବ୍ୟକ୍ତି ପୂର୍ବ ଚୀନ୍ର ଝେଜିୟାଙ୍ଗ ପ୍ରାନ୍ତର ହାଙ୍ଗଜୋରେ ଏଭଳି ଏକ କମ୍ପାନି ଖୋଲିଛନ୍ତି । ସେ କହିଛନ୍ତି, ସେ ନକଲି ସାକ୍ଷାତକାର ଆୟୋଜିତ କରନ୍ତି । ଏହା ପରେ ନକଲି ଅଫିସ୍ରେ କାମ କରୁଥିବା ଲୋକଙ୍କ ପାଇଁ ନିୟମ ଲାଗୁ କରନ୍ତି । ଯେମିତିକି ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ କରିବା, କାର୍ଯ୍ୟାଳୟରେ ଧୂମପାନ ଓ ରୋମାନ୍ସ ନିଷେଧ.. ଇତ୍ୟାଦି । ଚେନ୍ଙ୍କ ସହିତ ଭଲଭାବେ ମିଶିଯାଉଥିବା ଏବଂ ଅନ୍ୟ କୌଣସି ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଚେନ୍ଙ୍କ ନକଲି କାର୍ଯ୍ୟାଳୟ ବାସ୍ତବ ଚାକିରିର ସୁଯୋଗ ମଧ୍ୟ ପ୍ରଦାନ କରିପାରେ । ଜଣେ ବ୍ୟକ୍ତି କହିଛନ୍ତି, ଖରାଦିନେ ମାଗଣା ଇଣ୍ଟର୍ନେଟ୍ ଓ ଏୟାର କଣ୍ଡିସନିଙ୍ଗ୍ ପାଇଁ ଏହା ଭଲ ବିକଳ୍ପ । ସେଠାରେ ସମାନ ବିଚାରଧାରାଯୁକ୍ତ ଲୋକ ମିଳିଲେ, ଏହା ଭଲ ଡିଲ୍ ହେବ । ଅନ୍ୟ ଜଣେ କହିଛନ୍ତି, ନକଲି କାର୍ଯ୍ୟାଳୟରେ ସେ ଭଲଭାବେ ଧ୍ୟାନ କେନ୍ଦ୍ରିତ କରିପାରୁଛନ୍ତି । ଦିନେ ଏହି ଲୋକଦେଖାଣିଆ କାମ ବନ୍ଦ କରି ଅସଲି ଚାକିରି ପାଇବେ ବୋଲି ସେ ଆଶାବାଦୀ ।