ନୂଆଦିଲ୍ଲୀ,୧୮।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ କ୍ରାଇମ୍ ଏଗନେଷ୍ଟ ହ୍ୟୁମାନିଟି ମାମଲାରେ ଫାଶୀ ସଜା ଶୁଣାଇବା ପରେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ବଢିଯାଇଛି। ଏହା ଭିତରେ ଚୀନ୍ ମଙ୍ଗଳବାର ସ୍ପଷ୍ଟ କରି କହିଛି ଯେ, ବାଂଲାଦେଶର ଆଭ୍ୟନ୍ତରୀଣ ମାମଲା ରହିଛି ଓ ଏହା ଉପରେ କୌଣସି ଅତିରିକ୍ତ ଟିପ୍ପଣୀ କରିବୁନି। ସେଭଳି ଜାତିସଂଘ ଏହି ନିଷ୍ପତ୍ତି ଉପରେ ଚିନ୍ତା ପ୍ରକାଶ କରି ମୃତ୍ୟୁ ଦଣ୍ଡର ବିରୋଧ କରିଛି। ବେଜିଂରେ ମିଡିଆ ବ୍ରିଫିଙ୍ଗ ବେଳେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗଙ୍କୁ ଯେତେବେଳେ ଶେଖ ହାସିନାଙ୍କୁ ଶୁଣାଯାଇଥିବା ଫାଶୀ ସଜା ଉପରେ ପ୍ରଶ୍ନ ପଚରାଯାଇଥିଲା। ସେ କହିଥିଲେ ଏହା ବାଂଲାଦେଶର ଆଭ୍ୟନ୍ତରୀଣ ମାମଲା।

ଏହା ସହିତ ସେ କହିଛନ୍ତି, ଚୀନ୍ ଚାହୁଁଛି ବାଂଲାଦେଶରେ ଏକଜୁଟତା, ସ୍ଥିରତା ଓ ବିକାଶ ବଜାୟ ରହୁ। ବାଂଲାଦେଶର ସବୁ ଲୋକଙ୍କ ସହ ମିତ୍ରତା ଓ ପଡୋଶୀ ସହଯୋଗ ନୀତିକୁ ମଧ୍ୟ ଆଗକୁ ବଢାଇବାକୁ ଆମେ ଚାହୁଁଛୁ। ଚୀନ୍‌ର ଏହି ପ୍ରତିକ୍ରିୟା ଏଭଳି ସମୟରେ ଆସିଛି,ଯେତେବେଳେ ବାଂଲାଦେଶର ରାଜନୈତିକ ସ୍ଥିତି ଖୁବ୍ ଅସ୍ଥିର ଓ ନିଷ୍ପତ୍ତି ବିଶ୍ବ ସ୍ତରରେ ପହଁଞ୍ଚି ବିତର୍କ ଆରମ୍ଭ ହୋଇଛି।

ଢାକାରେ ଏକ ଟ୍ରିବ୍ୟୁନାଲ କୋର୍ଟ ସୋମବାର ଶେଖ ହାସିନାଙ୍କ ମୃତ୍ୟୁ ସଜା ଶୁଣାଇଥିଲା। କୋର୍ଟ ତାଙ୍କୁ ୨୦୨୪ ଛାତ୍ର ଆନ୍ଦୋଳନ ବେଳେ ମାନବିକତା ବିରୋଧରେ ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲେ। ସବୁଠାରୁ ବଡ଼ କଥା ଯେ, ହସିନାଙ୍କ ଅନୁପସ୍ଥିତିରେ ଟ୍ରାଏଲ କରାଯାଇଥିଲା। ହାସିନାଙ୍କ ସହ ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜାମାନ ଖାନ୍ କମାଲଙ୍କୁ ମଧ୍ୟ ଫାଶୀ ସଜା ଦିଆଯାଇଛି। ହସିନାଙ୍କୁ ଫାଶୀ ଦଣ୍ଡ ଉପରେ ଜାତିସଂଘ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ଜାତିସଂଘ ମହାସଚିବଙ୍କ ମୁଖପାତ୍ର ଷ୍ଟେଫନ୍ ଦୁଜାରିକ୍ କରିଛନ୍ତି, ଏହି ନିଷ୍ପତି ଖୁବ୍ ଗୁରୁତ୍ବପୂର୍ଣ୍ଣ କ୍ଷଣ। କିନ୍ତୁ ମୃତ୍ୟୁ ଦଣ୍ଡ ବିରୋଧରେ ଆମେ ଅଛୁ।