ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆରମ୍ଭ କରିଥିବା ଟାରିଫ୍‌ ଯୁଦ୍ଧ ବିଶ୍ବରେ ଅସ୍ଥିରତା ସୃଷ୍ଟି କରିଛି । ଚୀନ୍‌ ଉପରେ ଆମେରିକା ଲଗାଇଥିବା ଅତିରିକ୍ତ ଶୁଳ୍କ ବିରୋଧରେ ଜବାବ ଦେଇଛି ଡ୍ରାଗନ। ଏବେ ଚୀନ୍‌ ଆମେରିକା ଉତ୍ପାଦ ଉପରେ ଅତିରିକ୍ତ ୩୪ ପ୍ରତିଶତ ଶୁଳ୍କ ଲାଗୁ କରିଛି । ବେଜିଂର ଏହି ନୂଆ ନିୟମ ଏପ୍ରିଲ ୧୦ରୁ ଲାଗୁ ହେବ । କିନ୍ତୁ ଏବେ ସୁଦ୍ଧା ଆମେରିକାରୁ ରାପ୍ତାନୀ ହୋଇସାରିଥିବା ଉତ୍ପାଦ ଉପରେ ନୂଆ ନିୟମ ଲାଗୁ ହେବ ନାହିଁ ।  

ଚୀନ୍ ଶୁକ୍ରବାର ଘୋଷଣା କରିଛି ଯେ, ଏପ୍ରିଲ ୧୦ରୁ ସମସ୍ତ ଆମେରିକୀୟ ସାମଗ୍ରୀ ଉପରେ ୩୪% ଅତିରିକ୍ତ ଶୁଳ୍କ ଲାଗୁ କରିବ। ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଅନେକ ଦେଶ ଉପରେ ପାଲଟା ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଥିଲେ । ସେ ଚୀନ୍ ଉପରେ ସର୍ବାଧିକ ୩୪ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଥିଲେ। ଏବେ ବେଜିଂ ମଧ୍ୟ ଆମେରିକା ଉତ୍ପାଦ ଉପରେ ଅତିରିକ୍ତ ୩୪ ପ୍ରତିଶତ ଶୁଳ୍କ ଲାଗୁ କରିଛି। 

ଏହି ଶୁଳ୍କ ବିଶେଷ କରି ସାମାରିୟମ, ଗାଡୋଲିନିୟମ, ଟେରବିୟମ, ଡିସପ୍ରୋସିୟମ, ଲୁଟେଟିୟମ, ସ୍କାନଡିୟମ ଏବଂ ଇଟ୍ରିୟମ ଭଳି ବିରଳ ଉପାଦାନ ଉପରେ ମଧ୍ୟ ଲାଗୁ ହେବ। ଏହା ସହିତ, ଚୀନ୍ ରପ୍ତାନୀ ଉପରେ ନିୟନ୍ତ୍ରଣ ନେଇ ଘୋଷଣା କରିଛି। ଆମେରିକାରୁ ଆସୁଥିବା ସମସ୍ତ ଆମଦାନୀ ସାମଗ୍ରୀ ପାଇଁ, ବର୍ତ୍ତମାନର ପ୍ରଯୁଜ୍ୟ ଶୁଳ୍କ ହାର ଉପରେ ୩୪ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରାଯିବ ବୋଲି ଶୁକ୍ରବାର ବେଜିଂର ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି ।

ASEAN ଏବଂ ୟୁରୋପୀୟ ସଂଘ ପରେ ଆମେରିକାକୁ ତୃତୀୟ ସର୍ବାଧିକ ସାମଗ୍ରୀ ରାପ୍ତାନୀ କରୁଛି ଚୀନ୍‌ । ତଥ୍ୟ ଅନୁଯାୟୀ, ୨୦୨୪ରେ ଚୀନ୍‌ ସହିତ ଆମେରିକାର ମୋଟ ବାଣିଜ୍ୟ ପ୍ରାୟ ୫୮୨.୪ ବିଲିୟନ ଡଲାର ଥିଲା।  ସେହି ବର୍ଷ ଚୀନ୍‌କୁ ୧୪୩.୫ ବିଲିୟନ ଡଲାରର ସାମଗ୍ରୀ ରପ୍ତାନୀ କରିଥିଲା ଆମେରିକା । ସେହିଭଳି ଚୀନ୍‌ରୁ ଆମେରିକା ମୋଟ ୪୩୮.୯ ବିଲିୟନ୍‌ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଥିଲା । ୨୦୨୪ରେ ଚୀନ୍ ସହିତ ଆମେରିକାର ବାଣିଜ୍ୟିକ ନିଅଣ୍ଟ ୨୯୫.୪ ବିଲିୟନ ଡଲାର ଥିଲା।