ନୂଆଦିଲ୍ଲୀ, ୨୦/୦୪: ଅଧିକ ଭାରତୀୟ ସାମଗ୍ରୀ ଆମଦାନି କରିବାକୁ ଚୀନ୍‌ ପ୍ରସ୍ତୁତ। ବିଶ୍ୱ ବାଣିଜ୍ୟ ଯୁଦ୍ଧ ବଢ଼ିବା ସହ ଭାରତ ଏବଂ ଚୀନ୍‌ ମଧ୍ୟରେ  ସମ୍ପର୍କ ଏକ ନୂଆ ମୋଡ଼ ନେବାକୁ ଯାଉଛି । ବର୍ଦ୍ଧିତ ବାଣିଜ୍ୟିକ ଅସନ୍ତୁଳନ  ସତ୍ତେ୍ୱ ଚୀନ୍‌ ସହିତ ଭାରତର ବାଣିଜ୍ୟିକ ନିଅଣ୍ଟ ୯୯୨୦ କୋଟି ଡଲାର ରହିଛି ।  

ବର୍ତ୍ତମାନ ବେଜିଂ ଭାରତ ସହ ଅର୍ଥନୈତିକ ସହଯୋଗିତା ବଢ଼ାଇବାକୁ  ଚାହୁଁଛି । ଗଣମାଧ୍ୟମକୁ ଏକ ସ୍ୱତନ୍ତ୍ର ସାକ୍ଷାତ୍‌କାରରେ ଚୀନ୍‌ ରାଷ୍ଟ୍ରଦୂତ ସୁ  ଫେଇହୋଙ୍ଗ୍‌ କହିଛନ୍ତି ଯେ, ଅଧିକ ପ୍ରିମିୟମ ଭାରତୀୟ ସାମଗ୍ରୀକୁ ସ୍ୱାଗତ  କରିବାକୁ ଚୀନ୍‌ ପ୍ରସ୍ତୁତ । ଚୀନ୍‌ର ବିଶାଳ  ଉପଭୋକ୍ତା ବଜାରରେ ଥିବା ସମ୍ଭାବନାର  ଲାଭ ଉଠାଇବା ପାଇଁ ଆମେ ଭାରତୀୟ  ବ୍ୟବସାୟଗୁଡ଼ିକୁ ସହଯୋଗ କରିବୁ ।  

ଏହା ଭାରତୀୟ ଗଣମାଧ୍ୟମକୁ ସୁଙ୍କ ପ୍ରଥମ  ସାକ୍ଷାତ୍‌କାର । ତାଙ୍କ ବୟାନରୁ ଭାରତ ଏବଂ ଚୀନ୍‌ ମଧ୍ୟରେ ଅର୍ଥନୈତିକ  ସମୀକରଣ ବଦଳିବାର ସଂକେତ ମିଳୁଛି । ଚୀନ୍‌ର ବିଶାଳ ବଜାର ଭାରତୀୟ  ରପ୍ତାନିକାରୀଙ୍କ ପାଇଁ ବାଣିଜ୍ୟିକ ସମ୍ଭାବନା ସୃଷ୍ଟି କରୁଥିବାବେଳେ ଚୀନ୍‌ ମଧ୍ୟ ଏହାର ଉଦ୍ୟୋଗଗୁଡ଼ିକ ପାଇଁ ସୁଯୋଗ ସୃଷ୍ଟି କରିବା ପାଇଁ ଭାରତକୁ ଅନୁରୋଧ  କରିଛି । ଦୃଢ଼ ସହଯୋଗିତା ପାଇଁ ସୁ ସ୍ୱଚ୍ଛ, ଯୁକ୍ତିଯୁକ୍ତ ଏବଂ ପକ୍ଷପାତମୁକ୍ତ  ବ୍ୟବହାର ପୋଷଣ କରିବା ପାଇଁ ଭାରତକୁ ଆହ୍ୱାନ ଦେଇଛନ୍ତି ।