ନୂଆଦିଲ୍ଲୀ,୦୨/୦୭: ବିଶ୍ୱରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ଚୀନ ଓ ରୁଷକୁ ନେଇ ଏକ ନୂଆ ରିପୋର୍ଟ ଚର୍ଚ୍ଚାର ବିଷୟ ପାଲଟିଛି । ଚୀନ ବିଶ୍ବରେ ଅଜବ ପରୀକ୍ଷଣ ପାଇଁ ସବୁବେଳେ ବିଶ୍ବରେ ପରିଚିତ । ଏହାଦ୍ବାରା ଅନ୍ୟ ଦେଶ ଗୁଡ଼ିକ ମଧ୍ୟ ପ୍ରଭାବିତ ହେଉଛନ୍ତି । ତେବେ ସାରା ବିଶ୍ବ ଯୁଦ୍ଧ ମୁହାଁ ହେଉଥିବା ବେଳେ ଚୀନରୁ ଏପରି ଏକ ସାଂଘାତିକ ଖବର ଆସିଛି ଯାହା ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦୋହଲାଇ ଦେଇଛି । ଚୀନ୍ ଏବେ ପରମାଣୁ ଏବଂ ରାସାୟନିକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଚୀନ୍ କେବଳ ନିଜକୁ ପ୍ରସ୍ତୁତ କରୁନାହିଁ, ବରଂ ଅନ୍ୟମାନଙ୍କୁ ମଧ୍ୟ ଗୁପ୍ତ ଭାବରେ କୌଶଳ ଶିଖାଉଛି। କିଛି ଆନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଚୀନ ରୁଷର ସୈନିକଙ୍କୁ ପରମାଣୁ, ଜୈବିକ ଏବଂ ରାସାୟନିକ ସୁରକ୍ଷା ସମ୍ପର୍କିତ ବିଶେଷ ତାଲିମ ଦେଉଛି।

ରିପୋର୍ଟରେ କ’ଣ ଦାବି?

ରିପୋର୍ଟ ଅନୁଯାୟୀ, ୨୦୨୫ ମସିହାରେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଆଭ୍ୟନ୍ତରୀଣ ନିର୍ଦ୍ଦେଶ ପରେ ରୁଷ ସେନାର ଏକ ପ୍ରତିନିଧି ଦଳ ଚୀନର ପିପୁଲ୍ସ ଲିବରେସନ ଆର୍ମି (PLA)ର ଏକ ସୁରକ୍ଷିତ ଘାଟିକୁ ଯାଇଥିଲେ। ସେଠାରେ ରେଡିଓଲୋଜିକାଲ୍, ଜୈବିକ ଓ ରାସାୟନିକ ବିପଦରୁ ସୁରକ୍ଷା ଏବଂ ସମ୍ପର୍କିତ ସାମରିକ ପ୍ରସ୍ତୁତି ଉପରେ ପ୍ରାୟ ତିନି ସପ୍ତାହର ତାଲିମ ଦିଆଯାଇଥିବା ଦାବି କରାଯାଇଛି । ରିପୋର୍ଟରେ ଆହୁରି କୁହାଯାଇଛି ଯେ ପ୍ରାୟ ୨୦୦ ଜଣ ରୁଷୀୟ ସାମରିକ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ତାଲିମରେ କ’ଣ ଶିଖାଯାଇଥିଲା ?

ଲିକ୍ ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ତାଲିମର ସମ୍ପୂର୍ଣ୍ଣ ଦୃଶ୍ୟକୁ ଡକ୍ୟୁମେଣ୍ଟେସନ୍ କରାଯାଇଛି, ଯେଉଁଥିରେ ରୁଷୀୟ ସୈନିକମାନେ ଜଣେ ଚୀନ୍ ପ୍ରଶିକ୍ଷକଙ୍କ ସମ୍ମୁଖରେ ବସି ବକ୍ତୃତା ଶୁଣୁଥିବାର ଦେଖାଯାଉଛି। ଚୀନ୍ କୋଠରୀର ଠିକ୍ ମଧ୍ୟଭାଗରେ ଏକ ମଡେଲ୍ ନ୍ୟୁକ୍ଲିୟର ରିଆକ୍ଟର ସ୍ଥାପନ କରିଥିଲା, ଏହାକୁ ବ୍ୟବହାର କରି ରୁଷୀୟ ସୈନିକମାନଙ୍କୁ ନ୍ୟୁକ୍ଲିୟର ପ୍ରଯୁକ୍ତିର ଜଟିଳତା ଶିଖାଇଥିଲା । ତାଲିମରେ ନ୍ୟୁକ୍ଲିୟର ରିଆକ୍ଟର ମଡେଲ୍ ମାଧ୍ୟମରେ ବିକିରଣ ସମ୍ପର୍କିତ ବିଷୟ, ରାସାୟନିକ ଯାଞ୍ଚ, ସ୍ଥଳ ଓ ସମୁଦ୍ର ଅଞ୍ଚଳରେ ବିକିରଣ ନିରୀକ୍ଷଣ ଏବଂ ପରମାଣୁ ଆକ୍ରମଣ ସମୟରେ ବଙ୍କରର ବାୟୁଚଳାଚଳ ବ୍ୟବସ୍ଥାକୁ ସୁରକ୍ଷିତ ରଖିବାର ପ୍ରକ୍ରିୟା ଉପରେ ପ୍ରାକ୍ଟିକାଲ୍ ଶିକ୍ଷା ଦିଆଯାଇଥିବା ଉଲ୍ଲେଖ ରହିଛି।

ୟୁରୋପୀୟ ପକ୍ଷରୁ ପ୍ରତିକ୍ରିୟା

ରିପୋର୍ଟ ପ୍ରକାଶ ପାଇବା ପରେ ୟୁରୋପୀୟ ସଂଘ (EU)ର କିଛି ଅଧିକାରୀ ଏହି ଘଟଣାକୁ ଗୁରୁତ୍ୱ ସହ ନେଇଥିବା କୁହାଯାଇଛି। EU ପକ୍ଷରୁ ଏହି ସୂଚନାର ସତ୍ୟତା ଯାଞ୍ଚ କରାଯାଉଛି ଏବଂ ଭବିଷ୍ୟତ ସୁରକ୍ଷା ଦୃଷ୍ଟିରୁ ଏହାର ପ୍ରଭାବ ଆକଳନ କରାଯାଉଛି । ୟୁରୋପୀୟ ଅଧିକାରୀମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଜୈବିକ ଏବଂ ପରମାଣୁ ଯୁଦ୍ଧ ତାଲିମ ଯେକୌଣସି ସାମରିକ ବାହିନୀ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ରଣନୈତିକ । ଚୀନର ପରମାଣୁ ଏବଂ ରାସାୟନିକ ଯୁଦ୍ଧ ତାଲିମର ପ୍ରୋତ୍ସାହନ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଏହା ଏକ ବଡ଼ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତି କରୁଛି।

ଚୀନର ସ୍ପଷ୍ଟୀକରଣ:

ଚୀନ ବୈଦେଶିକ ମନ୍ତ୍ରଣାଳୟ ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି । ଚୀନର କହିବା ଅନୁଯାୟୀ, "ଆନ୍ତର୍ଜାତୀୟ ସ୍ତରରେ ଚୀନକୁ ବଦନାମ କରିବାର ଏକ ଘୃଣ୍ୟ ଷଡ଼ଯନ୍ତ୍ର" ବୋଲି କହି ଚୀନର ବୈଦେଶିକ ମନ୍ତ୍ରଣାଳୟ ତୁରନ୍ତ ଏକ ପ୍ରତିରକ୍ଷା ବିବୃତ୍ତି ଜାରି ହେଇଥିଲା। ୟୁକ୍ରେନ ସଙ୍କଟକୁ ନେଇ ଆମର ନୀତି ସଦା ନିରପେକ୍ଷ ରହିଛି ଏବଂ ଏହି ସମସ୍ତ ଅଭିଯୋଗ ଭିତ୍ତିହୀନ ଓ କଳ୍ପିତ ବୋଲି ଚୀନ୍ ଦାବି କରିଛି ।

ରୁଷର ପ୍ରତିକ୍ରିୟା:

ରୁଷ ସଂସଦର ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଆଣ୍ଡ୍ରେ କାର୍ଟାପୋଲୋଭ ମଧ୍ୟ ଏହି ରିପୋର୍ଟକୁ ଖାରଜ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ରୁଷ ସେନାର ଚୀନ ଠାରୁ ଏଭଳି ତାଲିମ ନେବାର ଆବଶ୍ୟକତା ନାହିଁ ଏବଂ ଏହି ଖବର ସମ୍ପୂର୍ଣ୍ଣ କଳ୍ପନାପ୍ରସୂତ। ଚୀନ୍ ହୁଏତ ଏକ ସାମରିକ ଗୁରୁ ହେବାର ଗର୍ବ କରୁଥିବ କିନ୍ତୁ ଆମର ମହାନ ରୁଷୀୟ ସେନା ଚୀନ୍ ଠାରୁ ନୂଆ କିଛି ଶିଖିବାର ଆବଶ୍ୟକତା ନାହିଁ। ରୁଷିଆ ଏକ ଲଢ଼ୁଆ ରାଷ୍ଟ୍ର ଯାହା ପ୍ରକୃତ ଆଧୁନିକ ଯୁଦ୍ଧର ଲାଇଭ୍ ଅଭିଜ୍ଞତା ରହିଛି। ଏବଂ ଚୀନ୍ ସେନା କେବଳ ଏୟାରକଣ୍ଡିସନ୍ କୋଠରୀରେ ବସି କମ୍ପ୍ୟୁଟରରେ ଖେଳ ପରି ସିମୁଲେଟରଗୁଡ଼ିକୁ କିପରି ଚଲାଇବେ ତାହା ଜାଣିଛନ୍ତି ଯାହା ଦଶନ୍ଧି ଧରି ଯୁଦ୍ଧ ଲଢ଼ିନାହିଁ।

ଅଧକ ପଢନ୍ତୁ- Vladimir Lenin: ୧୦୨ ବର୍ଷ ହେଲା ହୋଇନି ଅନ୍ତିମ ସଂସ୍କାର ! କାହିଁକି ସଂରକ୍ଷିତ ରହିଛି ଲେନିନଙ୍କ ମୃତଦେହ ?