ନୂଆଦିଲ୍ଲୀ, ୧।୧୨: ବିଶ୍ୱର ସର୍ବବୃହତ୍ ସୁନା ଉତ୍ପାଦନକାରୀ ଦେଶ ଚୀନ୍ । ଗଚ୍ଛିତ ରହିଛି ୧୦୦୦ ମେଟ୍ରିକ୍ଟନ୍ ସୁନା । ମୂଲ୍ୟ ୮୩୦୦ କୋଟି ଡଲାରରୁ ଅଧିକ । ଯାହା ବିଶ୍ୱର ସବୁଠାରୁ ବଡ଼ ସୁନା ଭଣ୍ଡାର । ସର୍ବବୃହତ୍ ସୁନା ଭଣ୍ଡାର ଥିବା ରାଷ୍ଟ୍ର ମଧ୍ୟରେ ଶ୍ରେଷ୍ଠ ୧୦ରେ ଭାରତ । ଚୀନ୍ର ହୁନାନ୍ ପ୍ରାନ୍ତରେ ଠାବ ହୋଇଛି ବିଶ୍ୱର ସର୍ବବୃହତ୍ ସୁନା ଭଣ୍ଡାର । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହୁନାନ୍ର ପିଙ୍ଗଜିଆଙ୍ଗ୍ କାଉଣ୍ଟି ପାଖରେ ଉନ୍ନତ ମାନର ପ୍ରାୟ ୧୦୦୦ ମେଟ୍ରିନ୍ ଟନ୍ ସୁନା ରହିଥାଇପାରେ । ଏହାର ମୂଲ୍ୟ ପ୍ରାୟ ୮୩୦୦ କୋଟି ଡଲାର ବା ପାଖାପାଖି ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି ।
ବିଶେଷଜ୍ଞ ଚେନ୍ ରୁଲିନ୍ଙ୍କ କହିବାନୁସାରେ, ଡ୍ରିଲ୍ କରାଯାଇଥିବା କେତେକ ଚଟାଣଗୁଡ଼ିକର ପ୍ରମୁଖ ଭାଗରେ ସ୍ପଷ୍ଟ ଭାବେ ସୁନା ଦେଖିବାକୁ ମିଳିଛି । ନମୂନାରୁ ଜଣାପଡ଼ିଛି ଯେ, ୧ ମେଟ୍ରିକ୍ଟନ୍ ଅୟସ୍କରେ ୧୩୮ ଗ୍ରାମ ସୁନା ଥାଇପାରେ । ଏହାକୁ ଏଯାବତ୍ ବିଶ୍ୱରେ ଠାବ ସବୁଠାରୁ ବଡ଼ ସୁନା ଭଣ୍ଡାର ବୋଲି ଗଣନା କରାଯାଉଛି । ଏହା ଦକ୍ଷିଣ ଆଫ୍ରିକାର ସାଉଥ୍ ଡିପ୍ ଖଣିରେ ଥିବା ୯୦୦ ମେଟ୍ରିକ୍ ଟନ୍ ସୁନାଠାରୁ ବି ଅଧିକ । ଚୀନ୍ ବିଶ୍ୱର ସର୍ବବୃହତ୍ ସୁନା ଉତ୍ପାଦନକାରୀ । ବର୍ଷ ୨୦୨୩ରେ ବିଶ୍ୱର ମୋଟ ଉତ୍ପାଦନରେ ଏହାର ଭାଗ ପାଖାପାଖି ୧୦% ଥିଲା ।
ବିଶ୍ୱ ସୁନା ପରିଷଦ ଅନୁସାରେ, ଚୀନ୍ ପାଖରେ ୨ ହଜାର ୨୬୪ ଟନ୍ ସୁନା ଭଣ୍ଡାର ରହିଛି । ଯଦି କୌଣସି ଦେଶର ପ୍ରଚଳିତ ମୁଦ୍ରା ଅନ୍ତର୍ଜାତୀୟ ସ୍ତରରେ ଦୁର୍ବଳ ହୋଇଥାଏ । ତେବେ ସୁନା ଭଣ୍ଡାର ଉକ୍ତ ଦେଶର କ୍ରୟଶକ୍ତି ଏବଂ ଏହାର ଆର୍ଥିକ ସ୍ଥିରତାକୁ ବଜାୟ ରଖିବାରେ ସହାୟକ ହୋଇଥାଏ । ୧୯୯୧ରେ ଯେତେବେଳେ ଭାରତର ଅର୍ଥନୀତି ବୁଡ଼ିବାକୁ ଯାଉଥିଲା, ଏହା ପାଖରେ ସାମଗ୍ରୀ ଆମଦାନି କରିବା ପାଇଁ ଡଲାର ନଥିଲା । ସେତେବେଳେ ସୁନାକୁ ବନ୍ଧକ ରଖି ଭାରତ ଟଙ୍କା ହାସଲ କରିଥିଲା ଏବଂ ଏହି ବିତ୍ତୀୟ ସଙ୍କଟରୁ ବାହାରିଥିଲା । ସୁନା ଭଣ୍ଡାର ଅଧିକ ରହିବା ଅର୍ଥ ଉକ୍ତ ଦେଶର ଅର୍ଥବ୍ୟବସ୍ଥା ସେତେ ମଜଭୁତ । ସର୍ବବୃହତ୍ ସୁନା ଭଣ୍ଡାର ଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଶ୍ରେଷ୍ଠ ୧୦ରେ ଅଛି । ଏହାର ସୁନା ଭଣ୍ଡାରର ଆକାର ରହିଛି ୮୪୧ ଟନ୍ ।