ପ୍ରମୂଖ ଖବର
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଯଦି ଆମେରିକା ଯୁଦ୍ଧ ଚାହୁଁଛି, ଆମେ ସବୁ ପ୍ରକାର ଲଢ଼େଇ ପାଇଁ ପ୍ରସ୍ତୁତ: ଚୀନ୍

Published By : Tapas Panda | March 5, 2025 6:05 PM

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛିନ୍ତି । ସେମଧ୍ୟରୁ ଟ୍ରମ୍ପଙ୍କ ଟାରିଫ ବା ଶୁଳ୍କ ଲଗାଇବା ନିଷ୍ପତ୍ତିକୁ ନେଇ ସମଗ୍ର ବିଶ୍ବରେ ଆଲୋଡନ ସୃଷ୍ଟି ହୋଇଛି । ଏହା ଉପରେ ଚୀନ୍‌ କଡ଼ା ପ୍ରତିକ୍ରିୟା ପ୍ରକାଶ କରିବା ସହ ଟ୍ରମ୍ପଙ୍କୁ ଟାର୍ଗେଟ କରିଛି । ଯଦି ଆମେରିକା ଯୁଦ୍ଧ ଚାହୁଁଛି ତେବେ ଆମେ ସବୁ ପ୍ରକାର ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ଅଛୁ ବୋଲି କଡ଼ା ସ୍ବରରେ କହିଛି ବେଜିଂ । ଏକ ପୋଷ୍ଟରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଆମେରିକା ଉପରେ ଅଭିଯୋଗ କରିଛି ଯେ, ‘ଚୀନରୁ ରପ୍ତାନୀ ଉପରେ ଶୁଳ୍କ ବୃଦ୍ଧି କରିଛି ଆମେରିକା । ଫେଣ୍ଟାନିଲକୁ ବାହାନା କରି ଆମେରିକା "ହୀନ ଚକ୍ରାନ୍ତ" କରୁଛି । ଆମେରିକା ନିଜେ ଫେଣ୍ଟାନିଲ୍ ସଙ୍କଟ ପାଇଁ ଦାୟୀ, ଚୀନ୍ ଏହି ସମସ୍ୟାର ସମାଧାନ କରିବାରେ ଆମେରିକାକୁ ସହାୟତା କରିବା ପାଇଁ ଦୃଢ଼ ପଦକ୍ଷେପ ନେଇଛି ।’

ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ‘ଆମର ପ୍ରୟାସକୁ ସ୍ୱୀକାର କରିବା ପରିବର୍ତ୍ତେ, ଆମେରିକା ଚୀନ୍ ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଛି ଏବଂ ଶୁଳ୍କ ବୃଦ୍ଧି ସହିତ ଚୀନ୍‌କୁ ଚାପ ପକାଇ ବ୍ଲାକମେଲ୍ କରିବାକୁ ଚେଷ୍ଟା କରୁଛି । ସେମାନେ ଆମକୁ ଦଣ୍ଡ ଦେଉଛନ୍ତି।’ ସୂଚନାଯୋଗ୍ୟ, ଆମେରିକା ବର୍ତ୍ତମାନ ଫେଣ୍ଟାନିଲ ସହ ସଂଘର୍ଷ କରୁଛି, ଯାହା ଏକ ଘାତକ ଏବଂ ଅତ୍ୟନ୍ତ ଶକ୍ତିଶାଳୀ ସିନ୍ଥେଟିକ୍ ଓପିଓଏଡ୍ । ଆମେରିକାରେ ଫେଣ୍ଟାନିଲ୍ ପ୍ରବେଶର ପ୍ରମୁଖ ଉତ୍ସ ହେଉଛି ଚୀନ୍ ଏବଂ ମେକ୍ସିକୋ । ସାମ୍ପ୍ରତିକ ସମୟରେ, ଆମେରିକାରେ ଫେଣ୍ଟାନିଲ୍-ଜନିତ ମୃତ୍ୟୁ ଘଟୁଛି ।

ଏହା ସମ୍ଭବତଃ ଟ୍ରମ୍ପଙ୍କୁ ବିଚଳିତ କରିଛି ।  ଏକ ରିପୋର୍ଟ ଅନୁଯାୟୀ, ଫେଣ୍ଟାନିଲ ସଙ୍କଟ ୨୦୨୨ ଏବଂ ୨୦୨୩ ରେ ଶୀର୍ଷରେ ପହଞ୍ଚିଥିଲା । ଏହି ଔଷଧର ମାତ୍ରାଧିକ ବ୍ୟବହାର ଯୋଗୁ ପ୍ରତିବର୍ଷ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ୩ଟି ବୃହତ୍ତ ବାଣିଜ୍ୟିକ ଅଂଶୀଦାର ମେକ୍ସିକୋ, କାନାଡା ଏବଂ ଚୀନ୍  ବିରୁଦ୍ଧରେ ଏକ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛନ୍ତି।  ଏହି ତାଲିକାରେ ଭାରତ ମଧ୍ୟ ରହିଛି । ଏହି ସବୁ ଦେଶରୁ ଆମେରିକାକୁ ରପ୍ତାନୀ ହେଉଥିବା ଉତ୍ପାଦ ଉପରେ ଅତିରିକ୍ତ ଟାରିଫ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ ସରକାର । ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ଅନେକ ଦେଶ ସ୍ବର ଉଠାଇଛନ୍ତି । ଚୀନର କଷ୍ଟମ୍ସ ଟାରିଫ୍ କମିଶନ କହିଛି ଯେ, ଆମେରିକାରୁ ରପ୍ତାନୀ ହେଉଥିବା କିଛି ଉତ୍ପାଦ ଉପରେ ଚୀନ୍ ମାର୍ଚ୍ଚ ୧୧ରୁ ଅତିରିକ୍ତ ଶୁଳ୍କ ଲଗାଇବ । ଏହାର ଜବାବରେ ଆମେରିକା ମଧ୍ୟ ଚୀନ୍‌ରୁ ରପ୍ତାନୀ ଉତ୍ପାଦ ଉପରେ ଅତିରିକ୍ତ ଶୁଳ୍କ ଲଗାଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.