କଟକରୋଡ,୦୮/୦୯: ଶାରଦୀୟ ଦୁର୍ଗା ପୂଜାକୁ ଆଉ ମାତ୍ର କେଇଟା ଦିନ ରହିଲା । ଧିରେ ଧିରେ ଚଳଚଞ୍ଚଳ ହେଲାଣି ରାଜଧାନୀ । ପୂଜା କମିଟି କର୍ମକର୍ତ୍ତାମାନଙ୍କ ମଧ୍ୟରେ ତତ୍ପରତା ବଢ଼ିଥିବା ବେଳେ ମଣ୍ଡପଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହି ପ୍ରସ୍ତୁତିରେ ସାମିଲ ହୋଇଛି ଭୁବନେଶ୍ୱରର ବହୁ ପୁରାତନ ବମିଖାଲ ଦୁର୍ଗାପୂଜା ସମିତି । ଚଳିତବର୍ଷ ଏଠାରେ ୬୨ ତମ ଦୁର୍ଗୋତ୍ସବ ପାଳନ ହେବ । ଏଥର ଏଠାରେ ମୁଖ୍ୟ ଆକର୍ଷଣ ସାଜିବ ଚୀନ୍ର ମୟୂର ପ୍ୟାଲେସ । ତୋରଣର ଉଚ୍ଚତା ହେବ ୮୦ ଫୁଟ ଏବଂ ଓସାର ହେବ ୧୨୦ ଫୁଟ । ସେହିପରି ମେଢ଼ ସହ ମୂର୍ତ୍ତିର ଉଚ୍ଚତା ୨୦ ଫୁଟ ରହିବ ବୋଲି କୁହାଯାଇଛି ।
ପୂର୍ବରୁ ମା’ଦୁର୍ଗାଙ୍କ ମଥାରେ ୭ କେଜି ଓଜନର ଚାନ୍ଦି ମୁକୁଟ ଶୋଭା ପାଉଥିଲା । ଏଥର ଦେବୀ ଅନ୍ୟ ଅଳଙ୍କାରରେ ସମ୍ପୂର୍ଣ୍ଣ ସଜିତ ହେବେ । ଏଥିସହ ଚଳିତବର୍ଷ ପାଶ୍ୱର୍ଦେବଦେବୀଙ୍କ ପାଇଁ ମଧ୍ୟ ଚାନ୍ଦି ଅଳଙ୍କାର ପ୍ରସ୍ତୁତ କରାଯାଇଛି । ଯାହାକି ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିବ । ସେହିପରି ଜାତୀୟ ପକ୍ଷୀ ମୟୂରଙ୍କ ସୁରକ୍ଷା ପାଇଁ ସମିତି ଅଣ୍ଟା ଭିଡ଼ିଛି । ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ତୋରଣରେ ମୟୂରଙ୍କ ଫଟୋଚିତ୍ର ସ୍ଥାନ ପାଇବ । ଏଥର ପୂଜା ବଜେଟ୍ ୬୦ ଲକ୍ଷ ଟଙ୍କା ରଖାଯାଇଛି । ଷଷ୍ଠୀ ତିଥିରୁ ମା’ଙ୍କ ନିକଟରେ ଅନ୍ନପ୍ରସାଦ ଓ ଖେଚୁଡି ଭୋଗ ଲାଗିହେବ । ଅଷ୍ଟମୀରେ ୪ହଜାରରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବଣ୍ଟନ ବ୍ୟବସ୍ଥା ହେବ । ଷଷ୍ଠୀ ସନ୍ଧ୍ୟାରୁ ଦଶମୀ ପର୍ଯ୍ୟନ୍ତ ୫ଦିନ ଭଜନ ଓ ମେଲୋଡି କାର୍ଯ୍ୟକ୍ରମ ହେବ । ସୁରକ୍ଷାକୁ ଦୃଷ୍ଟିରେ ରଖି ପୂଜା ପେଣ୍ଡାଲ ଓ ଏହା ନିକଟରେ ୧୨ଟି ସିସିଟିଭି କ୍ୟାେମେରା ଲାଗିବ । ଭିଡ ନିୟନ୍ତ୍ରଣ ଦାୟିତ୍ୱରେ ୧୦୦ ସଦସ୍ୟ କମିଶନରେଟ୍ ପୁଲିସ ସହ ନିୟୋଜିତ ହେବେ । ମେଲାଣି ଉତ୍ସବରେ ମୟୂରଭଞ୍ଜ ଓ ବ୍ରହ୍ମପୁରର ପାରମ୍ପରିକ ନୃତ୍ୟକଳା ଓ ବାଦ୍ୟ ପରିବେଷଣ କରାଯିବ । ଭୁବନେଶ୍ୱର ଭସାଣି ଉତ୍ସବରେ ପୂଜା ସମିତି ସାମିଲ ହେବ ।