ନୂଆଦିଲ୍ଲୀ ୧୬/୧୧: ଚୀନ୍ ବୈଜ୍ଞାନିକମାନେ ଏଭଳି ଏକ ଔଷଧ ପ୍ରସ୍ତୁତ କରୁଛନ୍ତି, ଯାହା ମଣିଷର ଆୟୁଷକୁ ୧୫୦ ବର୍ଷ ପର୍ଯ୍ୟନ୍ତ ବଢ଼ାଇଦେବ । ଅଙ୍ଗୁର ମଞ୍ଜିରୁ ନିର୍ଗତ ଏକ ପ୍ରାକୃତିକ ତତ୍ତ୍ୱ ଉପରେ ଏହି ଔଷଧ ଆଧାରିତ । କିନ୍ତୁ କିଛି ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହା କେବଳ ଏକ ଦାବି । ମଣିଷ ଉପରେ ଏହାର ପରୀକ୍ଷଣ ଜରୁରି ।
ଶେନ୍ଝେନ୍ର ବାୟୋଟେକ୍ କମ୍ପାନି ଲଙ୍ଗ୍ୱି ବାୟୋସାଇନ୍ସେସ୍ ଏହି ଔଷଧ ଉପରେ କାମ କରୁଛି । କମ୍ପାନି ଏକ ବୟସ-ରୋଧୀ ଔଷଧ ପ୍ରସ୍ତୁତ କରୁଛି । ଏହାର ମୁଖ୍ୟ ତତ୍ତ୍ୱ ପ୍ରୋସ୍ୟାନିଡିନ ସି-୧ (ପିସିସି ୧), ଯାହା ଅଙ୍ଗୁର ମଞ୍ଜିର ଅର୍କରୁ ମିଳେ । କମ୍ପାନି ଦାବି କରିଛି, ଏହି ବଟିକା ବୃଦ୍ଧ ଓ ଦୁର୍ବଳ କୋଷିକାଗୁଡ଼ିକୁ ନଷ୍ଟ କରି ସୁସ୍ଥ କୋଷିକାଗୁଡ଼ିକର ରକ୍ଷା କରିବ । ଏହା ଦ୍ୱାରା ମଣିଷର ବୟସ ବହୁତ ବଢ଼ିଯିବ ।
ଏହି ଆବିଷ୍କାର ୨୦୨୧ରେ ନେଚର୍ ମେଟାବଲିଜମ୍ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଉପରେ ଆଧାରିତ । ମୂଷାଙ୍କ ଉପରେ ଏହାର ପରୀକ୍ଷଣ ହୋଇଥିଲା । ପିସିସି ୧ ମୂଷାଙ୍କ ବୃଦ୍ଧ କୋଷିକାଗୁଡ଼ିକୁ ଚୟନ ପ୍ରକ୍ରିୟାରେ ନଷ୍ଟ କଲା ଏବଂ ସୁସ୍ଥ କୋଷିକାଗୁଡ଼ିକୁ ସୁରକ୍ଷା ଦେଲା । ଫଳରେ ଔଷଧ ଖାଇଥିବା ମୂଷାଙ୍କ ଜୀବନକାଳ ହାରାହାରି ୯ ପ୍ରତିଶତ ଅଧିକ ବଢ଼ିଗଲା । ଚିକିତ୍ସା ଆରମ୍ଭ ହେବା ପରର ବୟସକୁ ଯଦି ଗଣାଯାଏ, ତେବେ ଏହା ୬୪.୨ ପ୍ରତିଶତ ଅଧିକ ଥିଲା ।
କମ୍ପାନିର ସିଇଓ ଏହି ବଟିକାକୁ ‘ଦୀର୍ଘାୟୁ ବିଜ୍ଞାନର ପବିତ୍ର ନିଦାନ’ ବୋଲି କହିଛନ୍ତି । ସେ କହିଛନ୍ତି, ସୁସ୍ଥ ଜୀବନଶୈଳୀ ସହିତ ୧୫୦ ବର୍ଷ ବଞ୍ଚିବା ଆଉ ମାତ୍ର କିଛି ବର୍ଷ ମଧ୍ୟରେ ସତରେ ରୂପାନ୍ତରିତ ହେବ । କମ୍ପାନି ଏବେ ଏହି କୌଶଳକୁ ମଣିଷ ପାଇଁ ବଟିକା ରୂପେ ପ୍ରସ୍ତୁତ କରୁଛି । କିନ୍ତୁ କିଛି ବୈଜ୍ଞାନିକ ଏ ନେଇ ଲୋକଙ୍କୁ ହୁସିଆର କରାଇଛନ୍ତି । ବକ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ରିସର୍ଚ୍ଚ ଅନ୍ ଏଜିଂର ବିଶେଷଜ୍ଞଙ୍କ କହିବା ଅନୁସାରେ, ମୂଷାଙ୍କ ଉପରେ ପରୀକ୍ଷଣର ଉତ୍ତମ ଫଳ ମିଳିଛି । କିନ୍ତୁ ମଣିଷ ଉପରେ ଏହାକୁ ଲାଗୁ କରିବା ମୁସ୍କିଲ । ଏହି ପ୍ରକ୍ରିୟା ଜଟିଳ । ଔଷଧର ପ୍ରଭାବ ଓ ସୁରକ୍ଷା ପ୍ରମାଣିତ କରିବା ପାଇଁ ବ୍ୟାପକ ଓ ଜଟିଳ ଚିକିତ୍ସକୀୟ ପରୀକ୍ଷଣ ଆବଶ୍ୟକ ।
ଚୀନ୍ରେ ଦୀର୍ଘାୟୁ ନିମନ୍ତେ ଅଧ୍ୟୟନକୁ ରାଷ୍ଟ୍ରୀୟ ପ୍ରାଥମିକତା ଦିଆଯାଇଛି । ସରକାର ଓ ଘରୋଇ କମ୍ପାନିମାନେ ଏଥିରେ ବହୁଳ ମାତ୍ରାରେ ଅର୍ଥ ନିବେଶ କରୁଛନ୍ତି । ଚୀନ୍ର ବୈଜ୍ଞାନିକଙ୍କ କହିବା ଅନୁସାରେ, ବିଜ୍ଞାନର ଦ୍ରୁତ ବୃଦ୍ଧି ହେଉଛି, କିନ୍ତୁ ୧୫୦ ବର୍ଷ ବୟସ ଏବେ ସପ୍ନ ଭଳି ମନେହେଉଛି । ବିଶ୍ୱରେ ବୟସ-ରୋଧୀ ଅଧ୍ୟୟନର ସଂଖ୍ୟା ବଢୁଛି । କିନ୍ତୁ ବାସ୍ତବ ସଫଳତା ପାଇଁ ଆହୁରି ସମୟ ଲାଗିବ ।