ନୂଆଦିଲ୍ଲୀ,୨୫/୦୭: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ କୌଣସି ମ୍ୟାଚ୍ ଖେଳାଯିବ ନାହିଁ । ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁ ଦଳାଚକଟା ମାମଲାରେ ତଦନ୍ତ କମିଶନ ଏହି ଷ୍ଟାଡିୟମରେ ବଡ଼ ଇଭେଣ୍ଟ ଉପରେ ରୋକ୍ ଲଗାଇଛନ୍ତି । ଏହା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଏକ ବଡ଼ ଝଟକା ଦେଇଛି । ତଥାପି, ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିଷ୍ପତ୍ତି ହୋଇନାହିଁ। ଏହା ସହିତ, କର୍ଣ୍ଣାଟକ ସରକାର ଏବେ ଦଳଚକଟା ଘଟଣାରେ ମାମଲା ରୁଜୁ କରିବାକୁ ଅନୁମତି ମଧ୍ୟ ଦେଇଛନ୍ତି । ଆର୍‌ସିବିକୁ ଅପରାଧିକ ମକଦ୍ଦମାର ସାମ୍ନା କରିବାକୁ ପଡ଼ିବ ।

ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ହେବନି ମ୍ୟାଚ ? ତଦନ୍ତ କମିଶନଙ୍କ ରିପୋର୍ଟରେ କୁହାଯାଇଛି ଯେ, ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବଡ଼ ଇଭେଣ୍ଟ ପାଇଁ ଅସୁରକ୍ଷିତ । ତେଣୁ, ସେଠାରେ ଇଭେଣ୍ଟ ଉପରେ ରୋକ୍ ଲାଗିଛି । ଏପରି ପରିସ୍ଥିତିରେ, ଆସନ୍ତା ବର୍ଷ ଏଠାରେ ଆଇପିଏଲ୍‌ ମ୍ୟାଚ୍ ଆୟୋଜନ ହେବାର ସମ୍ଭାବନା କମ୍ ମନେ ହେଉଛି । ଆର୍‌ସିବି ତାର ହୋମ୍‌ ଗ୍ରାଉଣ୍ଡରେ ମ୍ୟାଚ ଖେଳିନପାରେ । ଏ ପର୍ଯ୍ୟନ୍ତ କୌଣସି ସରକାରୀ ନିଷ୍ପତ୍ତି ହୋଇନାହିଁ । ଗତ ସପ୍ତାହରେ କର୍ଣ୍ଣାଟକ କ୍ୟାବିନେଟ୍‌ରେ ତଦନ୍ତ ରିପୋର୍ଟ ଉପସ୍ଥାପିତ ହୋଇଥିଲା । ଯାହାକୁ ୨୪ ଜୁଲାଇରେ ମଞ୍ଜୁରୀ ମିଳିଛି । ରିପୋର୍ଟରେ ଆର୍‌ସିବି, କେଏସ୍‌ସିଏ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀଙ୍କୁ ଦୋଷୀ ଦର୍ଶାଯାଇଥିଲା ।

ସମ୍ପୂର୍ଣ୍ଣ ଘଟଣା କ’ଣ ? ଆଇପିଏଲ୍‌ ୨୦୨୫ ଫାଇନାଲ୍ ମ୍ୟାଚ୍ ୩ ଜୁନ୍‌ରେ ଆର୍‌ସିବି ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ, ବେଙ୍ଗାଲୁରୁ ପଞ୍ଜା କିଙ୍ଗ୍ସକୁ ପରାସ୍ତ କରି ପ୍ରଥମ ଥର ପାଇଁ ଆଇପିଏଲ୍‌ ଟାଇଟଲ୍ ଜିତିଥିଲା । ଏହାର ଗୋଟିଏ ଦିନ ପରେ, ୪ ଜୁନ୍‌ରେ, ବିଜୟୀ ଆର୍‌ସିବି ଟିମ୍‌ ସେମାନଙ୍କ ଘର ବେଙ୍ଗାଲୁରୁ ଫେରିଥିଲେ । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ବିଜୟର ଉତ୍ସବ ପାଳନ କରିଥିଲେ । ଏଥିରେ ଦଳାଚକଟା ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ୫୦ରୁ ଅଧିକ ଆହତ ହୋଇଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅବସରପ୍ରାପ୍ତ ବିଚାରପତି ମାଇକେଲ୍ ଡିକୁନ୍ହାଙ୍କ ନେତୃତ୍ୱରେ ଜଣିକିଆ ସଦସ୍ୟ ବିଶିଷ୍ଟ ତଦନ୍ତ କମିଶନ ଗଠନ କରିଥିଲେ ।