ନୂଆଦିଲ୍ଲୀ: ଯୁବ ଭାରତୀୟ ରେସଲର ଚିରାଗ ଚିକାରା ଚମ୍ପିୟନ୍ ହୋଇଛନ୍ତି । ୨୩ ବର୍ଷରୁ କମ୍ ବିଶ୍ବ ଚାମ୍ପିୟନ୍ସିପ୍ରେ ସ୍ବର୍ଣ୍ଣ ପଦକ ଜିଣିଛନ୍ତି ଚରାଗ ଚିକାରା । ତୃତୀୟ ଭାରତୀୟ ରେସଲର ଭାବରେ ସେ ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ଆଲବାନିଆରେ ଆୟୋଜିତ ପ୍ରତିଯୋଗୀତାରେ ଚିକାରା ବିଶ୍ବ ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ୫୭ କେଜି ରେସଲିଂ ବର୍ଗରେ ଫାଇନାଲରେ କର୍ଗିସ୍ତାନର ଆବଦିମଲିକ କାରାକୋଭଙ୍କୁ ୪-୩ରେ ପରାସ୍ତ କରିଛନ୍ତି ଚିରାଗ ।
ଏହି ବୟସ ବର୍ଗର ଚାମ୍ପିୟନସିପ୍ରେ ଦ୍ବିତୀୟ ଭାରତୀୟ ପୁରୁଷ ରେସଲର ଏବଂ ମୋଟାମୋଟି ଭାବେ ତୃତୀୟ ଭାରତୀୟ କୁସ୍ତି ଯୋଦ୍ଧା ଚିରାଗ ଚିକାରା ଇତିହାସ ରଚିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଅମନ ଶେରାଓ୍ବତ ପ୍ରଥମ ଭାରତୀୟ ରେସଲର ଭାବରେ ୟୁ-୨୩ ଟାଇଟଲ୍ ହାସଲ କରିଥିଲେ । ସେ ୨୦୨୨ରେ ସ୍ବର୍ଣ୍ଣ ପଦକ ଜିତି ଭାରତକୁ ଗୌରାବାନ୍ବିତ କରିଥିଲେ ।
ସେପଟେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତକୁ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ପଦକ ମିଳିଛି । ସେହିଭଳି ୮୨ ପଏଣ୍ଟ ସହ ଭାରତ ଚତୁର୍ଥ ଟିମ୍ରେ ଭାବେ ତାଲିକାରେ ରହିଛି । ଇରାନ୍ (୧୫୮), ଜାପାନ (୧୦୨) ଏବଂ ଆଜରବୈଜାନ (୧୦୦) ଶୀର୍ଷ ୩ ଦଳରେ ସାମିଲ ହୋଇଛନ୍ତି ।