ମୋହନା,୧୨/୧୨: ଗଜପତି  ଜିଲ୍ଲା ମୋହନା ବ୍ଲକ୍‌ ଅନ୍ତର୍ଗତ ଚିଟିଙ୍ଗ  ଘାଟିରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି ।  ମୃତକମାନେ ହେଲେ ରାୟଗଡ଼ ବ୍ଲକ୍‌  ରାମଗିରି ଥାନା ଅଧୀନ କେକେସିଂ  ଗ୍ରାମର ବାସନ୍ତୀ ଭୂୟାଁ(୬୫), ଚନ୍ଦ୍ରମା  ଭୂୟାଁ(୬୬), ରାଧା କୁଡୁମ୍ବ (୫୬) ଓ  ହରିବନ୍ଧୁ ଗମାଙ୍ଗ (୬୦) । ବାସନ୍ତୀ ଓ  ଚନ୍ଦ୍ରମାଙ୍କର ଚନ୍ଦ୍ରଗିରି ମେଡିକାଲରେ  ମୃତ୍ୟୁ ହୋଇଥିବା ବେଳେ ରାଧା ଓ ହରିବନ୍ଧୁଙ୍କର ବ୍ରହ୍ମପୁର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ମୋହନା ଥାନା  ଅଧିକାରୀ ବସନ୍ତ ସେଠୀ କହିଛନ୍ତି ।  

ଏହି ଦୁର୍ଘଟଣାରେ ୩୦ରୁ ଅଧିକ  ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ  ଚନ୍ଦ୍ରଗିରି ଡାକ୍ତରଖାନାରେ ୧୨ ଜଣ ଓ  ବ୍ରହ୍ମପୁର ଡାକ୍ତରଖାନାରେ ୨୨ ଜଣଙ୍କୁ  ଭର୍ତ୍ତି କରାଯାଇଛି । ସବିତା ଭୂୟାଁ,  ସୁଶୀଳା ଭୂୟାଁ ଓ ସଞ୍ଜୁ ଭୂୟାଁଙ୍କୁ କଟକ  ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି  ବୋଲି ଡା.ଏନ ଜୟ ପ୍ରକାଶ କହିଛନ୍ତି । ବ୍ରହ୍ମପୁର ଏମ୍‌କେସିଜି ଆଇସିୟୁରେ ଜଣେ ଆହତଙ୍କୁ ଭର୍ତ୍ତି କରାଯାଇଛି । ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ୍‌ ମାରିଛି ।  ବୁଧବାର ସକାଳ ୧୦ଟାରେ ଅନ୍ୟ ଏକ  ଗାଡ଼ିକୁ ଓଭରଟେକ୍‌ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ପୁଲିସ  ତଦନ୍ତରୁ ଜଣାପଡ଼ିଛି ।  

ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି ୦୫  ଏଏ ୯୬୭୬)ରେ ୩୬ ଜଣ ରାମଗିରି  କେକେସିଂ ଗାଁରୁ ମୋହନା ଥାନା ଘାଇବାଲି ଗାଁକୁ ଶୁଦ୍ଧିକ୍ରିୟା ଭୋଜିକୁ ଯାଉଥିଲେ । ୩୫ କିଲୋମିଟର  ଆସିବା ପରେ ଚନ୍ଦ୍ରଗିରି ଚିଟିଙ୍ଗ ଘାଟିରେ ଭାରସାମ୍ୟ ହରାଇ ଭ୍ୟାନ୍‌ଟି ଓଲଟି  ପଡ଼ିଥିଲା । ରାସ୍ତା କଡ଼କୁ ଛିଟିକି ଖଣ୍ଡିଆ ଖାବରା ହୋଇ ଏଣେତେଣେ  ପଡ଼ିଥିଲେ ଯାତ୍ରୀ । କାନ୍ଦ, ବୋବାଳି, ଚିତ୍କାର ଶୁଣି ସ୍ଥାନୀୟ ଲୋକ ଦୌଡ଼ି  ଆସିଥିଲେ। ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ମାତ୍ର କର୍ମଚାରୀ  ଧର୍ମଘଟରେ ଥିବାରୁ ଗାଡ଼ି ଆସିଲା ନାହିଁ । ଆହତଙ୍କୁ ମେଡିକାଲ ନେବାରେ  ସମସ୍ୟା ହୋଇଥିଲା । ସ୍ଥାନୀୟ ଲୋକ ସମସ୍ତ ଆହତଙ୍କୁ ଉଦ୍ଧାର କରି  ଅଟୋ, ବାଇକ୍‌ରେ ଚନ୍ଦ୍ରଗିରି ଡାକ୍ତରଖାନା ନେଇଥିଲେ ।

ମୋହନା ଥାନା ପୁଲିସ, ରା. ଉଦୟଗିରି ଏସ୍‌ଡିପିଓ ଆଲୋକ ରାଏ  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଥାନାରେ ମାମଲା ରୁଜୁ କରାଯାଇ  ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କହିଛନ୍ତି ।