କଟକ ୧୭/୦୨: ଚୌଦ୍ୱାର ସର୍କଲ୍ ଜେଲ୍ରୁ ଦୁଇ ଦୁର୍ଦ୍ଦାନ୍ତ ବିହାରର ଅପରାଧୀ ଫେରାର ଘଟଣା । ଗିରଫ ପରେ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ କୁମାର ରାଣାକୁ ରିମାଣ୍ଡରେ ନେଲା ଚୌଦ୍ୱାର ଥାନା ପୁଲିସ। ୬ ଦିନିଆ ରିମାଣ୍ଡରେ ଜେରା କରିବ ପୁଲିସ। ମଧୁକାନ୍ତଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓକାଳିବା ପାଇଁ ଯୋଜନା ରହିଛି। ଜେଲ୍ ଭିତରେ ମଧୁକାନ୍ତ ଓ ରାଜା କେମିତି ଖସିବା ପାଇଁ ପ୍ଲାନ୍ କରିଥିଲେ, ସେଥିରେ କିଏ ସହଯୋଗ କରିଥିଲେ। ସେମାନଙ୍କୁ ହତିଆର କିଏ ଦେଇଥିଲା ସେସବୁ ମଧୁକାନ୍ତକୁ ପଚରାଉଚରା କରାଯିବ ।
ଗତ ୧୩ ତାରିଖ ସନ୍ଧ୍ୟାରେ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିବା ପରେ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ରଖି ପଚରାଉଚରା ମଧ୍ୟ କରାଯାଇଥିଲା । ଏହି ସମୟରେ ସେ’ ଜେଲ୍ରୁ ଫେରାର୍ ହେବା ଓ ଲୁଚି ରହିବା ବିଷୟ କହିଛି । ମାତ୍ର ସମୟ ଅଭାବରୁ ବହୁ ବିଷୟରେ ପୁଲିସ ପଚରାଉଚରା କରିପାରିନି । ତେଣୁ ମଧୁକାନ୍ତଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓକାଳିବା ପାଇଁ ଚୌଦ୍ୱାର ଥାନା ପୁଲିସ ରିମାଣ୍ଡରେ ଆଣିବାକୁ ନିଷ୍ପତ୍ତି ନେଇଛି । ଶନିବାର ତାକୁ କଟକ ଜେଏମ୍ଏଫ୍ସି -୧ କୋର୍ଟଙ୍କ ସମ୍ମୁଖରେ ହାଜର କରିବା ବେଳେ ଚୌଦ୍ୱାର ଥାନା ପକ୍ଷରୁ ତାକୁ ୭ ଦିନିଆ ରିମାଣ୍ଡରେ ଦେବାକୁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ତେବେ କୋର୍ଟ ମଧୁକାନ୍ତ ରାଣାଙ୍କୁ ୬ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି।
ଆହୁରି ପଢ଼ନ୍ତୁ :- ପ୍ରେମିକାକୁ ଫୋନ୍ କରି ପୁଲିସ ଜାଲରେ ପଡ଼ିଲା ଦୁର୍ଦ୍ଦାନ୍ତ ମଧୁକାନ୍ତ, ସଂସାର ତ୍ୟାଗ କରି ବୈରାଗୀ ପାଇଁ କରିଥିଲା ପ୍ଲାନ୍
ଜେଲ୍ରୁ ବାହାରିବା ପରେ ଗତ ୧୩୪ ଦିନ କେଉଁ ରାଜ୍ୟରେ ଥିଲେ, କିଏ ତାଙ୍କୁ ସାହାଯ୍ୟ କରୁଥିଲା, ଟଙ୍କା କେଉଁଠାରୁ ପାଇଥିଲେ ତାହା ମଧ୍ୟ ଜେରା କରାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଫେରାର୍ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣି ଏବେ କେଉଁଠି ଅଛି? ଫେରାର୍ ହେବା ପରେ ରାଜାର ନିର୍ଦ୍ଦେଶରେ ତାର କେଉଁ ଗ୍ୟାଙ୍ଗ୍ ସଦସ୍ୟ ସହଯୋଗ କରିଥିଲେ, ଲୁଚି ବୁଲିବା ପାଇଁ ରାଜା କ’ଣ ସବୁ ପ୍ଲାନ୍ କରିଥିଲା, ଶେଷ ଥର ରାଜା ସହିତ କେବେ ଯୋଗାଯୋଗ ହୋଇଥିଲା, ରାଜା କାହାଠାରୁ ଏବେ ସହଯୋଗ ପାଉଛି, ଆଗକୁ ପୁଣି କିଛି ଲୁଟ୍ପାଟ୍ର ପ୍ଲାନ୍ ରାଜା କରିଥିଲା କି ସେସବୁ ବିଷୟ ମଧୁକାନ୍ତକୁ ତଦନ୍ତକାରୀ ଟିମ୍ ପଚରାଉଚରା କରିବ । ଏହି ଆଧାରରେ ରାଜାକୁ ଗିରଫ କରିବା ପାଇଁ ପୁଲିସ ପ୍ଲାନ୍ କରିବ।