ନୂଆଦିଲ୍ଲୀ  :  ଅଦ୍ଭୁତ ସାହସିକତାର ପରିଚୟ ଦେଲେ CISFର ଡେପୁଟୀ କମାଣ୍ଡେଣ୍ଟ ଅଶୋକା ନନ୍ଦିନୀ ମହାନ୍ତି। ତାଞ୍ଜାନିଆ ସ୍ଥିତ ସ୍ୱତନ୍ତ୍ର ଭାବେ ଦଣ୍ଡାୟମାନ ଆଫ୍ରିକାର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରୋ ( ୫,୮୯୫ ମିଟର / ୧୮,୧୫୦ ଫୁଟ)କୁ ସଫଳତାର ସହ ଆରୋହଣ କରିଛନ୍ତି ଏହି ଅଫିସର। ତାଙ୍କର ଉକ୍ତ ଐତିହାସିକ ଉପଲବ୍ଧି ପାଇଁ ପୂରା ଦେଶ ଓ ସିଆଇଏସଏଫ୍‌ ପରିବାର ଗର୍ବ ଅନୁଭବ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଶୋକା ନନ୍ଦିନୀଙ୍କ ଏହି ସଫଳତାରେ CISFର ଅଧିକାରୀ ଓ କର୍ମୀମାନେ ତାଙ୍କୁ ଶୁଭକାମନା ଦେଇ କହିଛନ୍ତି - ଏହା ଆମ ପାଇଁ ଗର୍ବର ମୂହୁର୍ତ୍ତ। ଅଶୋକା ନନ୍ଦିନୀଙ୍କର ଏହି ଉପଲବ୍ଧି ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବା ସହ ସଙ୍ଗଠନର ସାହସିକତାର ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଏହି ଆକର୍ଷଣୀୟ ସଫଳତା ପାଇଁ ଆମେ ଅଶୋକା ନନ୍ଦିନୀ ମହାନ୍ତିଙ୍କୁ ହୃଦୟରୁ ଶୁଭେଚ୍ଛା ଦେବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରୁଛୁ। ତାଙ୍କର ଏହି କାର୍ଯ୍ୟ ମହିଳା ସଶକ୍ତିକରଣର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। 

ସୁଉଚ୍ଚ ମାଉଣ୍ଟ କିଲିମାଞ୍ଜାରୋକୁ ଚଢିବା ଖୁବ୍ କଠିନ ଓ ଚ୍ୟାଲେଞ୍ଜ ପୂର୍ଣ୍ଣ ହୋଇଥାଏ। ଏହି ପର୍ବତର କଠିନ ଓ ଥଣ୍ଡା ବାତାବରଣ ପର୍ବତାରୋହୀଙ୍କ ପାଇଁ ଖୁବ୍‌ ମୁସ୍କିଲ ହୋଇଯାଏ। କିନ୍ତୁ ଅଶୋକା ନନ୍ଦିନୀ ମହାନ୍ତି ନିଜର ଅଦ୍ୟମ ସାହସ,  ଆତ୍ମବିଶ୍ୱାସ ଓ ଦୃଢ ମାନସିକ ଶକ୍ତି ଦ୍ୱାରା ଏହି  କଠିନ ଚ୍ୟାଲେଞ୍ଜକୁ ଅତିକ୍ରମ କରି ପାରିଛନ୍ତି। ତାଙ୍କର ଏହି ସଫଳତା କେବଳ ତାଙ୍କର ଶାରୀରିକ କ୍ଷମତାକୁ ସାବ୍ୟସ୍ତ କରି ନାହିଁ , ଏହାସହ ତାଙ୍କର ଦୃଢ ମାନସିକତା ଓ ସାହସର ମଧ୍ୟ ପରିଚୟ ଦେଇଛି। 


CISF ଅଫସିର ଅଶୋକା ନନ୍ଦିନୀଙ୍କ ଏହି ସାହସିକ ପଦକ୍ଷେପ ସିଆଇଏସଏଫ୍‌ର ସବୁ କର୍ମଚାରୀଙ୍କ ମଧ୍ୟରେ ଅପୂର୍ଣ୍ଣ ଜୋସ୍‌ ଭରି ଦେଇଛି ଏବଂ ସେ ଏହା ମଧ୍ୟ ସାବ୍ୟସ୍ତ କରିଛନ୍ତି କି ମହିଳାଙ୍କ ଠାରେ ମଧ୍ୟ ସେତିକି ହିଁ ଶକ୍ତି ଓ କ୍ଷମତା ଅଛି, ଯେତିକି  ଅନ୍ୟ କୌଣସି ବ୍ୟକ୍ତିଙ୍କ ଠାରେ ଅଛି। ତାଙ୍କର ଏହି ଅସାଧାରଣ ଉପଲବ୍ଧିରେ ସିଆଇଏସଏଫ୍‌ ପରିବାର ଓ ଦେଶକୁ ଗୌରବାନ୍ୱିତ ହେବାର ଏକ ସୁନ୍ଦର ମୂହୁର୍ତ୍ତ ପ୍ରାପ୍ତ ହୋଇଛି।