ମୁମ୍ବାଇ,୦୯/୦୧: ସେୟାର ବଜାରରେ ଏବେ ଅନେକ ଉତ୍‌ଥାନ ପତନ ଦେଖିବାକୁ ମିଳୁଛି । ତେବେ ଭାରତୀୟ  ସେୟାର ବଜାରକୁ ନେଇ ଆଶାବାଦୀ ଅଛି  ସିଟି ଗ୍ରୁପ୍‌ । ନିଜ ରିପୋର୍ଟରେ ଆମେରିକାର  ଏହି ପ୍ରମୁଖ ବ୍ୟାଙ୍କ ଆକଳନ କରିଛି  ଯେ, ଭାରତର ୫ ଟ୍ରିଲିୟନ ଡଲାର ସେୟାର ବଜାରରେ ଲଗାତର ଦଶମ  ବର୍ଷ ବୃଦ୍ଧି ଦେଖିବାକୁ ମିଳିବ । ବ୍ୟାଙ୍କ୍‌ର  କହିବାନୁସାରେ, ଆର୍ଥିକ ବିକାଶରେ  ସୁଧାର ସହ ମଜଭୁତ କର୍ପୋରେଟ୍‌ ଆୟ  ଯୋଗୁ ଘରୋଇ ସେୟାର୍‌ ବଜାରରେ ଦ୍ରୁତ  ବୃଦ୍ଧି ଅନୁମାନ ରହିଛି । ଏହା ଏ ବର୍ଷ  ୧୮% ବଢ଼ିପାରେ ।  

ଚଳିତବର୍ଷ ନ୍ୟାସ୍‌ନାଲ ଷ୍ଟକ୍‌  ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟି ୫୦  ସୂଚକାଙ୍କ ୨୬,୦୦୦ ପଏଣ୍ଟ ଛୁଇଁବ ବୋଲି  ଅନୁମାନ କରିଛି ସିଟି ଗ୍ରୁପ୍‌। ଅର୍ଥାତ୍‌ ଏ  ବର୍ଷ ଏଥିରେ ୧୦% ବୃଦ୍ଧି ଦେଖିବାକୁ  ମିଳିବ । ଗତବର୍ଷ ସିଟି ବ୍ୟାଙ୍କ ପକ୍ଷରୁ  ୨୨,୫୦୦ ପଏଣ୍ଟ ପର୍ଯ୍ୟନ୍ତ ନିଫ୍‌ଟି ଯିବ ବୋଲି ଅନୁମାନ କରାଯାଇଥିବାବେଳେ  ଏହାଠାରୁ ୫% ଅଧିକ ବଢ଼ିଛି ନିଫ୍‌ଟି ।  

ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ପୁଞ୍ଜି  ବଜାରରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର  ବିବିଧ ବ୍ୟବସାୟକୁ ଦୃଷ୍ଟିରେ ରଖି  ଭାରତର ଅଭିବୃଦ୍ଧି ଦୃଶ୍ୟପଟ ମଜଭୁତ  ଏବଂ ଅପେକ୍ଷାକୃତ କମ୍‌ ରିସ୍କପୂର୍ଣ୍ଣ  ଲାଗୁଛି । କିଛି ନୀତିଗତ ସହାୟତା ସହ  ବର୍ଷ ୨୦୨୫ରେ ଅର୍ଥନୀତି ୬.୫%  ଅଭିବୃଦ୍ଧିକୁ ଫେରିପାରେ । କିନ୍ତୁ ଘରୋଇ  ନିବେଶରେ ମଜଭୁତ ସୁଧାର ଏତେ ଶୀଘ୍ର  ଆସି ନ ପାରେ ।  

ସିଟି ଗ୍ରୁପ୍‌ ପୂର୍ବରୁ ମୋର୍ଗାନ ଷ୍ଟେନ୍‌ଲୀ  ବି ଭାରତୀୟ ବଜାର ପାଇଁ ଦୁଇ ଅଙ୍କ  ରିଟର୍ଣ୍ଣର ଭବିଷ୍ୟବାଣୀ କରିଥିଲା ।  ବ୍ରୋକରେଜ୍‌ ସଂସ୍ଥାର କହିବାନୁସାରେ,  ବିଏସ୍‌ଇ ସେନ୍‌ସେକ୍ସ ୨୦୨୫ରେ ୧୮%  ରିଟର୍ଣ୍ଣ ଦେବ । ଏହାର କାରଣ ହେଉଛି  ଖୁଚୁରା କ୍ରୟ ନୂଆ ସେୟାର ଯୋଗାଣଠାରୁ  ଆଗରେ ରହିବ ।  

ସୂଚନାଯୋଗ୍ୟ, ୨୦୨୪ରେ ବ୍ୟକ୍ତିଗତ  ନିବେଶକ ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ  ଅଫ୍‌ ଇଣ୍ଡିଆ ଲିମିଟେଡ୍‌ରେ ୧.୫ ଲକ୍ଷ  କୋଟି ଟଙ୍କାର ସେୟାର କିଣିଛନ୍ତି, ଯାହା  ଏକ ରେକର୍ଡ । ବଜାର ବିଶେଷଜ୍ଞମାନଙ୍କ  କହିବାନୁସାରେ, ମଜଭୁତ ଘରୋଇ ପୁଞ୍ଜି  ପ୍ରବାହ ମନ୍ଥର ଚାହିଦା, ନିମ୍ନମୁଖୀ ମୁଦ୍ରା  ଭଣ୍ଡାର ଏବଂ ବର୍ଦ୍ଧିତ ବିଶ୍ୱ ଅନିଶ୍ଚିତତା  ବିରୋଧରେ ବଫର୍‌ ହୋଇ ରହିବ ।  

ବିଶେଷଜ୍ଞଙ୍କ ଅନୁସାରେ, ଘରୋଇ  ବଜାରକୁ ପୁଞ୍ଜି ପ୍ରବାହ ମଜଭୁତ ରହିଛି  ଏବଂ ବଜାରରେ ପତନ ସମୟରେ  ଖୁଚୁରା ନିବେଶକ ଲଗାତର ସେୟାର  କିଣୁଛନ୍ତି । ବୁଧବାର ବମ୍ବେ ଷ୍ଟକ୍‌  ଏକ୍ସଚେଞ୍ଜ(ବିଏସ୍‌ଇ) ସୂଚକାଙ୍କ  ସେନ୍‌ସେକ୍ସ ୫୦.୬୨ ପଏଣ୍ଟ ଅର୍ଥାତ୍‌  ୦.୦୬% ହ୍ରାସ ସହିତ ୭୮,୧୪୮.୪୯  ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପକ୍ଷରେ,  ନିଫ୍‌ଟି ୧୮.୯୫ ପଏଣ୍ଟ ଖସି  ୨୩,୬୮୮.୯୫ ପଏଣ୍ଟରେ ବନ୍ଦ  ହୋଇଛି ।