ନୂଆଦିଲ୍ଲୀ,୦୫/୧୧: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନା ବହୁତ ଶାନ୍ତ ସ୍ୱଭାବର ଲୋକ । ଗମ୍ଭୀର ଓ ବିବାଦୀୟ ମାମଲାର ଶୁଣାଣି ସମୟରେ ସେ ହସିପାରନ୍ତି ବୋଲି କହିଛନ୍ତି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ । ସେ ଆହୁରି ମଧ୍ୟ କହିଛନ୍ତି କି ତାଙ୍କ ଅବସର ପରେ ସୁରକ୍ଷିତ ହାତରେ ସୁପ୍ରିମକୋର୍ଟ ରହିବ ।
ନୂଆଦିଲ୍ଲୀରେ ଏକ ମିଡିଆ ହାଉସ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ରାଜନୀତିରେ ପରିପକ୍ୱତା ହେବା ଆବଶ୍ୟକ । ବିଚାରପତିଙ୍କୁ ସନ୍ଦେହ କରିବା ବ୍ୟବସ୍ଥାକୁ ବଦନାମ କରିବା ସହ ସମାନ । ଆସନ୍ତା ୧୦ ତାରିଖରେ ଜଷ୍ଟିସ ଚନ୍ଦ୍ରଚୂଡ ଅବସର ଗ୍ରହଣ କରିବେ । ତାଙ୍କ ସ୍ଥାନରେ ଜଷ୍ଟିସ ଖାନ୍ନା ଦେଶର ୫୧ତମ ପ୍ରଧାନ ବିଚାରପତି ହେବେ । ନଭେମ୍ବର ୧୧ରେ ସେ ଶପଥ ଗ୍ରହଣ କରିବେ ।
ଗଣେଷ ପୂଜା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଘରକୁ ଆସିବା ସମ୍ପର୍କରେ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ସେ ଜଣେ ଆସ୍ଥାବାନ ବ୍ୟକ୍ତି । ସବୁ ଧର୍ମକୁ ସମାନ ରୂପରେ ସମ୍ମାନ କରନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଘରକୁ ଆସିବା ଭୁଲ ନୁହେଁ । ଏହା କୌଣସି ବ୍ୟକ୍ତିଗତ ସାକ୍ଷାତ ନୁହେଁ, ବରଂ ସାର୍ବାଜନୀନ ଭେଟ । କ୍ଷମତାର ଆବଣ୍ଟନ ଅର୍ଥ ନୁହେଁ ଯେ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ଭିତରେ ବୈଠକ ହେବ ନାହିଁ କିମ୍ବା ସାକ୍ଷାତ ଆଲୋଚନା ହେବ ନାହିଁ ।
ଅଯୋଧ୍ୟା ରାୟ ଦେବା ପୂର୍ବରୁ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ । ଏହା ଉପରେ ଆଗତ ଏକ ପ୍ରଶ୍ନର ଉତ୍ତର ଦେଇ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ଏହା ସୋସିଆଲ ମିଡିଆର ସମସ୍ୟା । ଆପଣମାନେ ସେହି ସ୍ଥାନର ପୃଷ୍ଠଭୂମି ଜାଣିବା ଉଚିତ ଯେଉଁଠାରେ ସେ ଏକଥା କହିଥିଲେ । ସେ ତାଙ୍କର ଗାଁକୁ ଯାଇଥିଲେ, ଯାହାକି ପୁନେଠାରୁ ଦେଢ଼ ଘଣ୍ଟାର ଦୂର ଥିଲା । ସେଠାରେ ତାଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା ଆପଣ କିଭଳି ସ୍ଥିର ଓ ଶାନ୍ତ ରହୁଛନ୍ତି । ସମସ୍ତଙ୍କର ନିଜର ମନ୍ତ୍ର ରହିଛି । ତାଙ୍କର ମନ୍ତ୍ର ମଧ୍ୟ ଅଛି । କିନ୍ତୁ ତାହା କୌଣସି ଧାର୍ମିକ ମନ୍ତ୍ରୀ ନୁହେଁ, ବରଂ ଜୀବନର ମନ୍ତ୍ର । ପ୍ରତିଦିନ ସକାଳୁ ଉଠି ସେ ପ୍ରାୟ ୧ ଘଣ୍ଟା ସେହି ମନ୍ତ୍ର ଜପ କରିଥାନ୍ତି କି ଆଜି ଦିନ ତମାମ ନିଜର କାର୍ଯ୍ୟକୁ କିଭଳି ସମ୍ଭାଳିବେ । ତାଙ୍କ ନିକଟକୁ ନ୍ୟାୟ ପାଇବା ଲାଗି ବିଭିନ୍ନ ଧର୍ମର ଲୋକମାନେ ଅଦାଲତକୁ ଆସିଥାନ୍ତି । ସେମାନଙ୍କୁ ସମାନ ଦୃଷ୍ଟିରେ ଦେଖିବା ଓ ସମସ୍ତଙ୍କୁ ସମାନ ନ୍ୟାୟ ପ୍ରଦାନ କରିବା ହେଉଛି ତାଙ୍କର ଧର୍ମ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ।