ନୂଆଦିଲ୍ଲୀ: ହରିୟାଣାର ନୁହ ଜିଲ୍ଲା ପୁଣି ଥରେ ଅଶାନ୍ତ ହୋଇଉଠିଛି । ଦୁଇ ଗୋଷ୍ଠୀର ବିବାଦ ମଧ୍ୟରେ ବଳି ପଡ଼ିଛନ୍ତି ଜଣେ ଦିବ୍ୟଙ୍ଗ ଯୁବତୀ । ଲାହରଓ୍ବାଡି ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପଥର ମାଡ଼ ଚାଲିଥିବା ବେଳେ ଜଣେ ୨୪ ବର୍ଷୀୟା ଯୁବତୀଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି । ୮ ମାସ ତଳେ ଘଟିଥିବା ଏକ ହତ୍ୟାକାଣ୍ଡରେ ଗିରଫଦାରୀକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏନେଇ ଶନିବାର ପୋଲିସ ସୂଚନା ଦେଇଛି । ମୃତ ଯୁବତୀ ଶେହନାଜ୍‌ଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ବିରୋଧୀ ଗୋଷ୍ଠୀ ଯୁବତୀଙ୍କୁ ହତ୍ୟା କରିଛି । ଯୁବତୀଜଣଙ୍କ ଗୋଡ଼ରେ ସମସ୍ୟା ଥିବାରୁ ସେ ଚାଲି ପାରୁନଥିଲେ ।  

ଦୁଇ ଗୋଷ୍ଠୀଙ୍କ ସଂଘର୍ଷରେ ଯୁବତୀଙ୍କ ମୃତ୍ୟୁ ମାମଲାରେ ତଦନ୍ତର ଆବଶ୍ୟକତା ରହିଛି ଏବଂ ଏହାର ସତ୍ୟତା ବାହାରକୁ ଆସିବା ଦରକାର ବୋଲି ପୁନହାର ଡିଏସପି ପ୍ରଦୀପ କୁମାର କହିଛନ୍ତି । ଶୁକ୍ରବାର ଗାଁରେ ଗୋଷ୍ଠୀ ସଂଘର୍ଷ ତୀବ୍ର ରୂପ ଧାରଣ କରିଥିବା ବେଳେ ବହୁ ସଂଖ୍ୟକ ପୋଲିସ ମୁତୟନ ହୋଇଛି । ପୋଲିସ ଅନୁସାରେ, ୮ ମାସ ପୂର୍ବରୁ ଲାହରଓ୍ବାଡି ଗାଁରେ ରିଜଓ୍ବାନ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । କିନ୍ତୁ ଶୁକ୍ରବାର ମୃତକଙ୍କ ସମର୍ଥନ ଏବଂ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ମୃତ ଶେହନାଜ ଅଭିଯୁକ୍ତ ପରିବାରର ସଦସ୍ୟ ଥିଲେ । 

ସେପଟେ ପୁନହା ପୋଲିସ ରିଜଓ୍ବାନଙ୍କ ହତ୍ୟା ମାମଲାରେ ୨୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେମାନଙ୍କ ମଧ୍ୟରୁ ସଲୀମ, ମୁଟାଲ ଏବଂ ମୋଜୁଦାଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଗୁରୁବାର ଦୁଇ ପକ୍ଷଙ୍କୁ ଥାନାକୁ ଡାକି ପଚରା ଉଚରା କରିଥିଲା ପୋଲିସ ଏବଂ ଏହି ସମୟରେ ଡିଏସପି ପ୍ରଦୀପ କୁମାର ଉପସ୍ଥିତ ଥିଲେ । ଗାଁର କିଛି ଲୋକ ଚାହୁଁଥିଲେ ଅଭିଯୁକ୍ତ ଗାଁ ଫେରିଆସିବା ଦରକାର ।

ଶୁକ୍ରବାର ହତ୍ୟା ଅଭିଯୁକ୍ତ ଗାଁକୁ ଫେରିବା ପରେ ରିଜଓ୍ବାନଙ୍କ ପରିବାର ବିରୋଧ କରିଥିଲା । ଏହା ପରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପଥର ମାଡ଼ ହୋଇଥିଲା । ତେବେ ଶେହନାଜଙ୍କ ଭାଇ ନିସାର ଅଭିଯୋଗ କରିଛନ୍ତି ଯେ, ରିଜଓ୍ବାନଙ୍କ ପରିବାର ଲୋକେ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଛଟପଟ ହୋଇ ଜୀବନ ହରାଇଥିଲେ ଶେହନାଜ । କିନ୍ତୁ ରିଜଓ୍ବାନଙ୍କ ସମର୍ଥିତ ଗୋଷ୍ଠୀ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ଶେହନାଜ ନିଜ ଦେହରେ ନିଆଁ ଲଗାଇଥିଲେ ବୋଲି ଦାବି କରିଛି ।