ଲକ୍ଷ୍ନୌ, ୨୪/୧୨ : ଫାଷ୍ଟଫୁଡ୍ ନେଲା ଜୀବନ। ଉତ୍ତରପ୍ରଦେଶର ଅମରୋହରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀ ଅହାନା (୧୬ ବର୍ଷ) ଫାଷ୍ଟଫୁଡ୍ ଖାଇ ପ୍ରାଣ ହରାଇଛନ୍ତି । ମାତ୍ରାଧିକ ଚାଉମିନ୍, ମ୍ୟାଗି, ପିଜ୍ଜା, ବର୍ଗର ଆଦି ଖାଇବା ଦ୍ୱାରା ତାଙ୍କ ଅନ୍ତଃନଳୀ ଖରାପ ହୋଇଯାଇଥିଲା । ଅନ୍ତଃନଳୀ ପରସ୍ପର ସହ ଯୋଡ଼ି ହୋଇଯିବା ସହ ମଝିରେ କଣା ମଧ୍ୟ ହୋଇଯାଇଥିଲା । ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଏହା ପରେ ବି ତାଙ୍କୁ ଡାକ୍ତରମାନେ ବଞ୍ଚାଇ ପାରି ନ ଥିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ରାତିରେ ଅହାନାଙ୍କ ମୃତ୍ୟୁ ଘଟିଛି ।

ଅପରେସନ ପରେ ବି ବଞ୍ଚି ପାରିଲେନି
​​​​ଅମରୋହା ନଗରର ମୋହଲ୍ଲା ଅଫଗାନାନରେ ରହୁଥିବା ମନ୍ସୁର ଖାନ୍ ଙ୍କ ସବୁଠୁ ସାନ ଝିଅ ହେଉଛନ୍ତି ଅହାନା । ଅହାନଙ୍କ ଜଣେ ଭାଇ ଏବଂ ଜଣେ ଭଉଣୀ ଅଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ, ଅହାନା ଫାଷ୍ଟଫୁଡ୍ ଖାଇବାକୁ ଭଲ ପାଉଥିଲେ । ଯେତେ ଆକଟ କଲେ ବି ସେ ମାନୁ ନ ଥିଲେ । ଅଧିକାଂଶ ସମୟରେ ସେ ମ୍ୟାଗି, ଚାଉମିନ୍, ପିଜ୍ଜା-ବର୍ଗର ଭଳି ଫାଷ୍ଟଫୁଡ୍ ଖାଉଥିଲେ । ଗତ ନଭେମ୍ବର ୨୮ରେ ଅହାନାଙ୍କ ଦେହ ଖରାପ ହୋଇଥିଲା । ପେଟରେ ଜୋରରେ ଯନ୍ତ୍ରଣା ହେବାରୁ ତାଙ୍କୁ ନଭେମ୍ବର ୩୦ରେ ମୁରାଦାବାଦରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କ ଅନ୍ତଃନଳୀରେ କଣା ହୋଇଥିବା ଏବଂ ପେଟରେ ପାଣି ଜମା ହୋଇଥିବା କଥା କହିଥିଲେ । ଫାଷ୍ଟଫୁଡ୍ ଯୋଗୁ ଏପରି ହୋଇଥିବା ଡାକ୍ତର ଜଣାଇଥିଲେ । ଏଥିପାଇଁ ଅପରେସନର ଆବଶ୍ୟକତା ଥିଲା । ଅପରେସନରେ ତାଙ୍କ ପେଟରୁ ପ୍ରାୟ ୭ ଲିଟର ପାଣି ବାହାରିଥିଲା । ସ୍ୱାସ୍ଥ୍ୟ ସାମାନ୍ୟ ସୁଧୁରିବା ପରେ ପରିବାର ଲୋକେ ତାଙ୍କୁ ଦିଲ୍ଲୀ ନେଇ ଯାଇଥିଲେ । ଅପରେସନର କିଛି ଦିନ ପରେ ତାଙ୍କ ପେଟରେ ପୁଣି ଯନ୍ତ୍ରଣା ହୋଇଥିଲା । ତେଣୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା । ପରୀକ୍ଷା କରିବା ପରେ ତାଙ୍କ ଅନ୍ତଃନଳୀ ପରସ୍ପର ସହ ଯୋଡ଼ି ହୋଇଯାଇଥିବା ଡାକ୍ତର କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲେ ବି ଲଗାତର ଅହାନାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା ।

ପିଲାଙ୍କୁ ଫାଷ୍ଟଫୁଡ୍‌ରୁ ଦୂରେଇ ରଖ

ଗତ ୨୧ ତାରିଖ ରବିବାର ରାତିରେ ତାଙ୍କ ଦେହ ବହୁତ ଖରାପ ହୋଇଥିଲା । ଡାକ୍ତର ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ହେଁ ହାର୍ଟ ଫେଲ୍ ହେବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା । ପିଲାଙ୍କୁ ଯଥାସମ୍ଭବ ଫାଷ୍ଟଫୁଡ୍ଠାରୁ ଦୂରେଇ ରଖିବା ଉଚିତ ବୋଲି ଅମ୍ରୋହା ସିଏମ୍ଓ ଡା. ଏସ୍ପି ସିଂ କହିଛନ୍ତି । ଏଥିସହ ବାହାରେ ମିଳୁଥିବା ପ୍ୟାକେଟ୍ ଖାଦ୍ୟ, କୋଲ୍ଡଡ୍ରିଙ୍କ୍ସ, ଫ୍ରେଞ୍ଚ୍ ଫ୍ରାଇଜ୍ ଆଦି ଜିନିଷ ପିଲାଙ୍କୁ ନ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଗ୍ଲୋବାଲ ବର୍ଡନ୍ ଅଫ୍ ଡିଜିଜ୍ ରିପୋର୍ଟ ଅନୁସାରେ ପ୍ରତିବର୍ଷ ଫାଷ୍ଟଫୁଡ୍ ଯୋଗୁ ସାରା ବିଶ୍ୱରେ ୧.୧ କୋଟି ମୃତ୍ୟୁ ଘଟୁଛି । ଏହା ପଛକୁ ରହିଛି ଧୂମ୍ରପାନ । ସ୍ମୋକିଂରେ ପ୍ରତିବର୍ଷ ୮୦ ଲକ୍ଷ ଲୋକ ମରୁଥିବା ରିପୋର୍ଟ କହୁଛି ।

ଏହି ଖବରଟିକୁ ପଢନ୍ତୁ- ହୋଟେଲ କୋଠରୀରୁ ମିଳିଲା ୫ ମୃତଦେହ, କୋଇଲା ଚୁଲି ପାଇଁ ଚାଲିଗଲା ଜୀବନ...