ନୂଆଦିଲ୍ଲୀ,୯।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ନିର୍ବାଚନ କମିଶନଙ୍କୁ କଡା  ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି, କମିଶନ ରାଜ୍ୟ ସରକାରୀ ଅଧିକାରୀମାନଙ୍କୁ ଧମକ ଦେଉଛନ୍ତି। ଏହା ସହ ମମତା ଚେତାବନୀ ଦେଇଛନ୍ତି, ତାଙ୍କ ସରକାର ଏପରି ଧମକକୁ ସହ୍ୟ କରିବ ନାହିଁ। ବିଜେପି ସ୍ପେଶାଲ ଇନଟେନସିଭ୍ ରିଭିଜନ୍ (ଏସଆଇଆର) ନାମରେ ନିଆଁ ସହିତ ଖେଳୁଛି। ନିର୍ବାଚନ ପ୍ରକ୍ରିୟାକୁ ନିରପେକ୍ଷ ରଖିବା ବଦଳରେ ରାଜନୈତିକ ହସ୍ତକ୍ଷେପ କରିବାକୁ ଚେଷ୍ଟା କରାଯାଉଛି। ଭୋଟର ତାଲିକା ସହିତ ହେରଫେର କରିବାର ଯେକୌଣସି ପ୍ରୟାସ ଗଣତନ୍ତ୍ର ପ୍ରତି ବିଶ୍ୱାସଘାତକତା ହେବ।

ପଶ୍ଚିମବଙ୍ଗ ସଚିବାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି,ନିର୍ବାଚନ କମିଶନ ରାଜ୍ୟ ସରକାରୀ ଅଧିକାରୀମାନଙ୍କୁ ଧମକ ଦେଉଛନ୍ତି। ଆମେ ଏହାକୁ ସହ୍ୟ କରିବୁ ନାହିଁ। ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ନିର୍ବାଚନ କମିଶନ ଅଧିକାରୀମାନେ କିପରି ରାଜ୍ୟ ଗସ୍ତ କରି ସରକାରୀ ଅଧିକାରୀମାନଙ୍କୁ ଡକାଇପାରିବେ?

ଉଲ୍ଲେଖନୀୟ ଯେ,  ଆସନ୍ତା ବର୍ଷ ବଙ୍ଗଳାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଏସଆଇଆର ଯାହା ଦେଖାଯାଉଛି ତାହା ନୁହେଁ। ପଶ୍ଚିମବଙ୍ଗରେ ଏନଆରସି  ପରି ଏକ ପ୍ରକ୍ରିୟା କାର୍ଯ୍ୟକାରୀ କରିବା ପାଇଁ ଏହାକୁ ଢାଲ ଭାବରେ ବ୍ୟବହାର କରାଯାଉଛି। ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ, ବିଜେପି ଆଇନ ଶୃଙ୍ଖଳା ପାଇଁ ବଙ୍ଗଳା ସରକାରଙ୍କୁ ଆକ୍ରମଣ କରୁଛି। ବିଜେପି ନେତା ଜଗଦମ୍ବିକା ପାଲ କହିଛନ୍ତି ଯେ ବଙ୍ଗଳାରେ ଆଇନ ଶୃଙ୍ଖଳା ବିଫଳ ହୋଇଛି, ଏବଂ କେହି ସୁରକ୍ଷିତ ନାହାନ୍ତି। ୱାକଫ୍ ଆଇନ ପାସ୍ ହେବା ପରେ ଲୋକଙ୍କୁ ପଳାଇବାକୁ ପଡିଲା।  ସେଠାରେ ସାଂସଦ ମଧ୍ୟ ସୁରକ୍ଷିତ ନାହାନ୍ତି ।ସେମାନଙ୍କ ଉପରେ ଆକ୍ରମଣ ହୋଇଛି, ତେବେ ଏଥିପାଇଁ କିଏ ଦାୟୀ? ଯଦି ସେଠାରେ ରାଜ୍ୟ ପ୍ରାୟୋଜିତ ହିଂସା ଘଟୁଛି, ତେବେ ରାଜ୍ୟ ସରକାର ଏଥିପାଇଁ ଦାୟୀ। ସେଠାରେ ଚିନ୍ତାଜନକ ପରିସ୍ଥିତିର ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।’